Videos
|
International

Nepal Teacher Saves Students / କିଛି ମିନିଟ୍‌ର ନିଷ୍ପତ୍ତି, ବଞ୍ଚିଗଲା ୧୬୪୩ ଛାତ୍ରଛାତ୍ରୀଙ୍କ ଜୀବନ ! ନେପାଳର ଏହି ଶିକ୍ଷକ ହେଲେ ହିରୋ

Santosh Kumar Sahoo
Browse all articles by Santosh Kumar Sahoo
·54 mins ago·2 min read
କିଛି ମିନିଟ୍‌ର ନିଷ୍ପତ୍ତି, ବଞ୍ଚିଗଲା ୧୬୪୩ ଛାତ୍ରଛାତ୍ରୀଙ୍କ ଜୀବନ ! ନେପାଳର ଏହି ଶିକ୍ଷକ ହେଲେ ହିରୋ
Nepal Teacher Saves Students

Key Points

ବନ୍ୟା ଆସିବାର କିଛି ମିନିଟ୍ ପୂର୍ବରୁ ଖାଲି ହେଲା ସ୍କୁଲ
ବଞ୍ଚିଗଲେ ୧୬୪୩ ପିଲା
ଶିକ୍ଷକ ନେଲେ ଗୋଟିଏ ବଡ଼ ନିଷ୍ପତ୍ତି
ନେପାଳର ପାହାଡ଼ରୁ ତଳକୁ ମାଡ଼ି ଆସୁଥିଲା ପ୍ରଳୟ । ଆଉ ଠିକ୍‌ ଏହି ସମୟରେ ନେପାଳର ନୁୱାକୋଟ ଜିଲ୍ଲାର ତ୍ରିଶୂଳୀ ଉପତ୍ୟକାର ଏକ ସ୍କୁଲରେ ପାଠ ପଢ଼ୁଥିଲେ ୧,୬୪୩ ଜଣ ଛାତ୍ରଛାତ୍ରୀ । ଆଖି ଆଗରେ ବଦଳିଯାଉଥିଲା ପରିସ୍ଥିତି, ହାତରେ ଥିଲା ମାତ୍ର କିଛି ମିନିଟ୍‌ର ସମୟ । ସେତେବେଳେ ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦବାଡ଼ୀ ନେଲେ ଏମିତି ଏକ ନିଷ୍ପତ୍ତି, ଯାହା ଲେଖିଦେଲା ୧,୬୪୩ଟି ପରିବାରର ନୂଆ ଜୀବନର କାହାଣୀ ।

ଗତ ବୁଧବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌ରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଦବାଡ଼ୀଙ୍କ ପାଖକୁ ଜଣେ ବନ୍ଧୁ ଫୋନ୍ କରିଥିଲେ । ଆଉ କହିଥିଲେ, ଗାଁଟି ଭୟଙ୍କର ନଦୀରେ ଭାସି ଯାଉଛି । ତୁରନ୍ତ ସେଠାରେ ପଳେଇ ଯିବାକୁ ସେ ସତର୍କ କରାଇଥିଲେ । ପ୍ରଥମେ ରାଜେନ୍ଦ୍ର ଦବାଡ଼ୀଙ୍କୁ ଲାଗିଥିଲା ଯେ ତ୍ରିଭୁବନ ତ୍ରିଶୂଳୀ ସେକେଣ୍ଡାରୀ ସ୍କୁଲ ସୁରକ୍ଷିତ । କାହିଁକି ନା ତିନି ମହଲାର ଏହି କୋଠାଟି ନଦୀଠାରୁ ପ୍ରାୟ ୬୦ ମିଟର ଉଚ୍ଚରେ ଥିଲା । କିନ୍ତୁ କିଛି ମୁହୂର୍ତ୍ତ ମଧ୍ୟରେ ପରିସ୍ଥିତି ବଦଳିବାକୁ ଲାଗିଲା ।

ସେ ତୁରନ୍ତ ସ୍କୁଲର ଘଣ୍ଟି ବଜାଇଦେଲେ । ଶିକ୍ଷକମାନଙ୍କୁ ପ୍ରତ୍ୟେକ କ୍ଲାସରୁମ୍ ଖାଲି କରିବାକୁ କହିଲେ । ବସ୍‌ ଡ୍ରାଇଭରମାନଙ୍କୁ ଫୋନ୍ କରି ଗାଡ଼ି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଲେ । ଯଦିଓ ଗୋଟିଏ ବସ୍ ସେତେବେଳେ ପୋଲ ଅତିକ୍ରମ କରୁଥିବାରୁ ତାହାକୁ ଅଟକାଇବା ସମ୍ଭବ ହୋଇନଥିଲା ।

ସ୍କୁଲରେ ହଠାତ୍ ଆତଙ୍କ ଖେଳିଯାଇଥିଲା । ପିଲାମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଏମିତିକି ଜଣେ ଛାତ୍ରୀ ଭୟରେ ଅଚେତ ହୋଇଯିବା ଭଳି ଅବସ୍ଥାକୁ ଚାଲିଯାଇଥିଲେ । ତାଙ୍କୁ ତୁରନ୍ତ ଏକ ବାଇକ୍‌ ସାହାଯ୍ୟରେ ପାହାଡ଼ ଉପରକୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା । ଅନ୍ୟ ପିଲାମାନେ ପାହାଡ଼ ଆଡ଼କୁ ଦୌଡ଼ିବାକୁ ଲାଗିଲେ । ଆଉ ସମସ୍ତଙ୍କ ପଛରେ ରହିଗଲେ ପ୍ରଧାନଶିକ୍ଷକ ରାଜେନ୍ଦ୍ର ଦବାଡ଼ୀ । କାରଣ ଯେପରି କୌଣସି ଜଣେ ବି ଛାତ୍ରଛାତ୍ରୀ ପଛରେ ନ ରହି ଯାଆନ୍ତି ସେ ତାହାକୁ ସ୍ପଷ୍ଟ କରିବାକୁ ଚାହୁଁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ମିନିଟ୍‌ ମଧ୍ୟରେ ସମସ୍ତ ୧,୬୪୩ ଜଣ ପିଲା ପାହାଡ଼ର ଉଚ୍ଚ ସ୍ଥାନରେ ପହଞ୍ଚିଗଲେ । ଆଉ ଠିକ୍ ସେତିକିବେଳେ ଆସିଲା ସେହି ଭୟଙ୍କର ମୁହୂର୍ତ୍ତ । ପ୍ରଚଣ୍ଡ ବେଗରେ ଆସିଥିବା ବନ୍ୟା ସ୍କୁଲକୁ ପରିସରକୁ ନିଜ ଆୟତ୍ତରେ ନେଇଗଲା । ଆଖି ପିଛୁଳାକେ ସ୍କୁଲର ସେହି ୩ ମହଲାର କୋଠାଟି ମଧ୍ୟ ପ୍ରଳୟଙ୍କାରୀ ସୁଅ ମଧ୍ୟରେ ଭାସିଗଲା । ଯେଉଁଠାରେ କିଛି ସମୟ ପୂର୍ବରୁ ଶହ ଶହ ପିଲା ପାଠ ପଢ଼ୁଥିଲେ, ସେଠାରେ ଏବେ ଥିଲା କେବଳ କାଦୁଅ, ପଥର, ମାଟି ଓ ଭୟଙ୍କର ବନ୍ୟାର ଚିହ୍ନ ।

ଆଉ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଦବାଡ଼ୀଙ୍କ ସେହି କିଛି ମିନିଟ୍‌ର ନିଷ୍ପତ୍ତି ୧,୬୪୩ ଜଣ ପିଲାଙ୍କୁ ମୃତ୍ୟୁମୁଖରୁ ଟାଣି ଆଣିଥିଲା । କିନ୍ତୁ ଭୟଙ୍କର ଘଟଣାରେ ସ୍କୁଲର ଦୁଇଜଣ କର୍ମଚାରୀଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ୩୨ ବର୍ଷୀୟ ଇତିହାସ ଶିକ୍ଷକ ସନ୍ତୋଷ ପରିୟାର ସକାଳେ ଖାଇବା ରାନ୍ଧିବା ପାଇଁ ନଦୀ କୂଳରେ ଥିବା ତାଙ୍କ ଭଡ଼ା ଘରକୁ ଯାଇଥବା ସମୟରେ ବନ୍ୟା ଜଳ ତାଙ୍କୁ ଭସାଇ ନେଇଥିଲା । ସେହିପରି ସ୍କୁଲର ଚୌକିଦାର ସୁଲତାନ ଲାମା ମଧ୍ୟ ପ୍ରାଣ ହରାଇଥିଲେ ।