Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Nepal Crisis: ଯାହାଙ୍କୁ କାର୍ଯ୍ୟକାଳ ପୂର୍ବରୁ ହଟାଇଥିଲେ ଓଲି, ଏବେ ସିଏ ହେବେ ପ୍ରଧାନମନ୍ତ୍ରୀ !

Sushanta Sahoo
Browse all articles by Sushanta Sahoo
·10 months ago·2 min read
Nepal Crisis: ଯାହାଙ୍କୁ କାର୍ଯ୍ୟକାଳ ପୂର୍ବରୁ ହଟାଇଥିଲେ ଓଲି, ଏବେ ସିଏ ହେବେ ପ୍ରଧାନମନ୍ତ୍ରୀ !

Key Points

ସମୟ ଚକ୍ରରେ କୁଲମାନ ଘିସିଙ୍ଗ୍‌ଙ୍କୁ ନେପାଳ ବିଦ୍ୟୁତ୍ ବୋର୍ଡ ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିବା ଓଲି ଏବେ ପଦରେ ନାହାନ୍ତି । ଆଉ ପୂର୍ବ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସ୍ଥାନ ନେବାକୁ ରେସ୍‌ରେ ଆଗରେ ଅଛନ୍ତି କୁଲମାନ ଘିସିଙ୍ଗ୍‌ ।

କାଠମାଣ୍ଡୁ: ଅଶାନ୍ତ, ଅସ୍ଥିର ନେପାଳକୁ କିଏ କରିବ ଶାନ୍ତ ? କାହା କଥା ମାନିବେ ଜେନ୍-ଜି ? ଦୁର୍ନୀତି ବିରୋଧୀ ପ୍ରତିବାଦକୁ ନେଇ ୩ ଦିନ ହେଲା ନେପାଳ ଜଳୁଛି, ୩୧ ଲୋକ ମଲେଣି । ଦେଶ ଛାଡ଼ି ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଳାଇଥିବାରୁ ନେପାଳରେ ଲାଗି ରହିଛି ରାଜନୈତିକ ସଂକଟ । ଆଉ ନେପାଳର ଏହି ସଂକଟ ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ଵ କିଏ ନେବ ? ଏ ନେଇ ଚର୍ଚ୍ଚା ଭିତରେ ଜେନ୍-ଜି ଦେଇଛନ୍ତି ନୂଆ ନାଁ...


କୁଲମାନ ଘିସିଙ୍ଗ୍, ପେଶାରେ ବୈଦ୍ୟୁତିକ୍ ଯନ୍ତ୍ରୀ । ଏବେ ଜେନ୍-ଜିଙ୍କ ପସନ୍ଦ ହେଉଛନ୍ତି କୁଲମାନ । ପୂର୍ବରୁ ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ତେବେ ପୂର୍ବତନ ବିଚାରପତି ଓ ବୟସ ୭୦ରୁ ଅଧିକ ହୋଇଥିବାରୁ ଏବେ କୁଲମାନ ଘିସିଙ୍ଗ୍‌ଙ୍କ ନାଁ ଆଗକୁ ଆସିଛି । ଆଉ ଇୟେ ସେହି କୁଲମାନ ଘିସିଙ୍ଗ୍‌ ଯାହାଙ୍କୁ ଚଳିତବର୍ଷ କେପି ଶର୍ମା ଓଲି କାର୍ଯ୍ୟକାଳ ସରିବା ପୂର୍ବରୁ ପଦରୁ ହଟାଇ ଦେଇଥିଲେ ।


ନେପାଳ ବିଦ୍ୟୁତ୍ ବୋର୍ଡର ପୂର୍ବତନ ମୁଖ୍ୟ ହେଉଛନ୍ତି କୁଲମାନ ଘିସିଙ୍ଗ୍‌ । ଯିଏ କି ନେପାଳକୁ ଅନ୍ଧାରରୁ ବାହାର କରିଥିବା ଇଞ୍ଜିନିୟର ଭାବେ ବେଶ ପରିଚିତ । ଦିନେ ସମସ୍ତଙ୍କ ଘର ଆଲୋକିତ କରିଥିବା କୁଲମାନ ଏବେ ଦେଶକୁ ସଂକଟରୁ ଉଦ୍ଧାର କରିବେ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି । ୨୦୧୬ ପୂର୍ବରୁ ନେପାଳରେ ଦୈନିକ ୧୮ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବା ବେଳେ କୁଲମାନ ଘିସିଙ୍ଗ୍‌ ନେପାଳ ବିଦ୍ୟୁତ୍ କର୍ତ୍ତୃପକ୍ଷର ପରିଚାଳନା ନିର୍ଦ୍ଦେଶକ ହେବା ସମୟରେ ଏହାକୁ ଦୁଇ ଦିନରେ ଦୁଇ ଘଣ୍ଟାକୁ ହ୍ରାସ କରିଥିଲେ ।


ସୋମବାର ବିକ୍ଷୋଭ ବେଳେ ପୋଲିସ ଗୁଳିରେ ୧୮ ଯୁବକଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଥିଲେ କୁଲମାନ ଘିସିଙ୍ଗ୍‌ । ଫେସବୁକ୍ ପୋଷ୍ଟରେ ସରକାରଙ୍କ ଇସ୍ତଫା ଦାବି କରିଥିଲେ ସେ । ଆଉ ଏକ ପୋଷ୍ଟରେ କୁଲମାନ ଘିସିଙ୍ଗ୍‌ ନେପାଳରେ ମଧ୍ୟବର୍ତ୍ତୀକାଳୀନ ଗଠନ ଓ ତାଙ୍କ ନେତୃତ୍ଵରେ ନିର୍ବାଚନ ଦାବି କରିଥିଲେ । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ତଦନ୍ତ କରି ସଜ୍ଜା ଦେବାକୁ ମଧ୍ୟ ଦାବି କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ନ ପହଞ୍ଚାଇବା ଲାଗି ନିବେଦନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନେପାଳର ରାମେଛାପ ଜିଲ୍ଲାରେ ୧୯୭୦ ନଭେମ୍ବର ୨୫ରେ ଜନ୍ମିତ କୁଲମାନ ଘିସିଙ୍ଗ୍‌ ଭାରତରେ ପାଠ ପଢ଼ିଛନ୍ତି । ଝାଡ଼ଖଣ୍ଡ ସ୍ଥିତ ରିଜିଓନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ କରିଛନ୍ତି । ଏହାପରେ ନେପାଳ ପୁଲଚୌକ ଇଞ୍ଜିନିୟରିଂ କଲେଜରୁ ପାୱାର ସିଷ୍ଟମ ଇଞ୍ଜନିୟରିଂରେ ସ୍ନାତକୋତ୍ତର କରିଛନ୍ତି । ନେପାଳ ବିଦ୍ୟୁତ୍ ବୋର୍ଡରେ ଦୁଇଥର ପରିଚାଳନା ନିର୍ଦ୍ଦେଶକ ରହିବା ସହ କୁଲମାନ ଘିସିଙ୍ଗ୍‌ ରାହୁଘାଟ ହାଇଡ୍ରୋଇଲେକ୍ଟ୍ରିସିଟି ପ୍ରକଳ୍ପ ଓ ଚିଲିମେ ହାଇଡ୍ରୋପାୱାର କମ୍ପାନୀର ପ୍ରମୁଖ ଭାବେ କାର୍ଯ୍ୟ କରିଛନ୍ତି ।


ଘିସିଙ୍ଗ୍‌ଙ୍କ ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିଲେ ଜନତା


ଚଳିତବର୍ଷ କେପି ଶର୍ମା ଓଲିଙ୍କ ସରକାର କୁଲମାନ ଘିସିଙ୍ଗ୍‌ଙ୍କ ସ୍ଥାନରେ ହିତେନ୍ଦ୍ର ଦେବ ଶାକ୍ୟଙ୍କୁ ନେପାଳ ବିଦ୍ୟୁତ୍ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରିଥିଲେ । କାର୍ଯ୍ୟକାଳ ଶେଷର ୩ ମାସ ପୂର୍ବରୁ କୁଲମାନ ଘିସିଙ୍ଗ୍‌ଙ୍କୁ ଅବ୍ୟାହତି ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜନତା । ଯାହାକୁ ନେଇ କାଠମାଣ୍ଡୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଉ ସମୟ ଚକ୍ରରେ କୁଲମାନ ଘିସିଙ୍ଗ୍‌ଙ୍କୁ ନେପାଳ ବିଦ୍ୟୁତ୍ ବୋର୍ଡ ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇ ଦେଇଥିବା ଓଲି ଏବେ ପଦରେ ନାହାନ୍ତି । ଆଉ ପୂର୍ବ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସ୍ଥାନ ନେବାକୁ ରେସ୍‌ରେ ଆଗରେ ଅଛନ୍ତି କୁଲମାନ ଘିସିଙ୍ଗ୍‌ ।

Sponsored
Kulman Ghising Emerges as Top Candidate for Nepal’s Interim Prime Minister | Argus News | Argus News