ନେପାଳ ହିଂସା: ସଙ୍କଟରେ ଓଲୀ ସରକାର, ଇସ୍ତଫା ଦେଲେ ୯ ମନ୍ତ୍ରୀ !

Key Points
ନେପାଳରେ `Gen-Z’ ଝଡ଼ । ନେପାଳ ଗୃହମନ୍ତ୍ରୀଙ୍କ ଘର ଭଙ୍ଗାରୁଜା କରି ନିଆଁ ଲଗାଇଲେ ପ୍ରଦର୍ଶନକାରୀ । କୀର୍ତ୍ତିପୁର ନଗରପାଳିକା ଭବନରେ ନିଆଁ ଲଗାଇଦେଲେ ପ୍ରଦର୍ଶନକାରୀ ।
ନେପାଳରେ ଥମୁନି ସରକାର ବିରୋଧୀ ହିଂସା । ସୋସିଆଲ ମିଡିଆ ବ୍ୟାନ୍ ପ୍ରସଙ୍ଗରେ ତେଜୁଛି ଆନ୍ଦୋଳନ । ପୋଲିସ ଓ ଆନ୍ଦୋଳନକାରୀଙ୍କ ସଂଘର୍ଷରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜୀବନ । ଦ୍ବିତୀୟ ଦିନରେ ନେପାଳ ରାଜଧାନୀ କାଠମାଣ୍ଡୁରେ ଜୋରଦାର ବିକ୍ଷୋଭ ଜାରି ରହିଛି । ଏମିତିକି ନେପାଳରେ ରାଜନୈତିକ ସଙ୍କଟ ଘନୀଭୂତ ହେଉଛି । ମଙ୍ଗଳବାର ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ସରକାରଙ୍କ ୯ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହି ମନ୍ତ୍ରୀମାନେ ସୋମବାର ଦିନ ସୋସିଆଲ ମିଡିଆ ବ୍ୟାନକୁ Gen-G କରିଥିବା ହିଂସାତ୍ମକ ବିକ୍ଷୋଭ ସମୟରେ ସରକାରୀ ନୀତି ଏବଂ ସରକାରୀ କାର୍ଯ୍ୟାନୁଷ୍ଠାନକୁ ସେମାନଙ୍କ ଇସ୍ତଫାର କାରଣ ବୋଲି କହିଛନ୍ତି। ଅନ୍ୟପକ୍ଷରେ, ନେପାଳର ବୀରଗଞ୍ଜରେ ନେପାଳ ସରକାରଙ୍କ ଆଇନ ମନ୍ତ୍ରୀ ଅଜୟ କୁମାର ଚୌରାସିଆଙ୍କ ଘର ମଧ୍ୟ ପୋଡ଼ି ଦିଆଯାଇଛି ।
ମୁଖ୍ୟତଃ ନେପାଳ ସରକାରଙ୍କ ଗୃହ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୂଚନା ମନ୍ତ୍ରଣାଳୟର ଦାୟିତ୍ବରେ ଥିବା ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି । ସେମାନେ କହିଛନ୍ତି ଯେ ସରକାର ନାଗରିକଙ୍କ ସ୍ୱର ଦମନ କରିବା ଏବଂ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ନ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି। ଏହା ସହିତ, ଉପ-ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ସେପଟେ ପ୍ରବଳ ବିରୋଧ ହେବାରୁ ସୋସିଆଲ ମିଡିଆ ପ୍ରତିବନ୍ଧକ ପ୍ରତ୍ୟାହାର କଲେ ନେପାଳ ସରକାର । ଜରୁରୀକାଳୀନ କ୍ୟାବିନେଟ ବୈଠକ ଡାକି ଏହି ନିଷ୍ପତ୍ତି ନିଆଯାଇଛି । ନେପାଳ ଯୋଗାଯୋଗ ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ ଘୋଷଣା କରିଛନ୍ତି ଯେ ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ସମେତ ସମସ୍ତ ସାଇଟ୍ ପୁନଃଆରମ୍ଭ କରାଯାଇଛି ।
📱 Get Argus News App
✨
ନେପାଳରେ ଯୁବକ ଯୁବତୀମାନଙ୍କ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଦର୍ଶନକାରୀଙ୍କ ଦାବି ଅନୁଯାୟୀ ସୂଚନା ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ସୋସିଆଲ ମିଡିଆ ସାଇଟଗୁଡ଼ିକୁ ପୁନଃ ଆରମ୍ଭ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦର୍ଶନକାରୀଙ୍କୁ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି ।
ନେପାଳରେ ସୋସିଆଲ ମିଡିଆ ବନ୍ଦ ହେବା ପରେ ଭୟଙ୍କର ଅଶାନ୍ତି ଦେଖା ଦେଇଥିଲା । ହଜାର ହଜାର ଯୁବକ ଓ ଯୁବତୀ ଏହି ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ । ବିରୋଧ ପ୍ରଦର୍ଶନ କରିଥିଲେ । ପରେ ବିରୋଧ ପ୍ରଦର୍ଶନକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ସଂସଦ ପରିସର ଭିତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ପ୍ରଦର୍ଶନକାରୀମାନଙ୍କୁ ଅଟକାଇବା ପରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ଏପର୍ଯ୍ୟନ୍ତ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।