Videos
|
International

Pakistan Fuel Crisis / ପାକିସ୍ତାନରେ ‘ଲକ୍‌ଡାଉନ୍’ ଭଳି ସ୍ଥିତି ! ବାହାଘରରେ କେବଳ ଗୋଟିଏ ଡିସ୍, ରାତି ୯ଟାରେ ବନ୍ଦ ହେବ ଦୋକାନ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ପାକିସ୍ତାନରେ ‘ଲକ୍‌ଡାଉନ୍’ ଭଳି ସ୍ଥିତି ! ବାହାଘରରେ କେବଳ ଗୋଟିଏ ଡିସ୍, ରାତି ୯ଟାରେ ବନ୍ଦ ହେବ ଦୋକାନ
Pakistan Petrol Crisis

Key Points

ପାକିସ୍ତାନରେ ‘ଲକ୍‌ଡାଉନ୍’ ଭଳି ସ୍ଥିତି
ସରକାରୀ ଗାଡ଼ିକୁ ଅଧା ତେଲ
ପେଟ୍ରୋଲ୍ ଅଭାବରେ ଏମିତି ନିୟମ
ପାକିସ୍ତାନରେ ଏବେ ଇନ୍ଧନ ସଙ୍କଟର ପ୍ରଭାବ ସିଧାସଳଖ ଲୋକଙ୍କ ଜୀବନ ଉପରେ ପଡ଼ିଛି । ପେଟ୍ରୋଲ-ଡିଜେଲ୍‌ ଅଭାବ ଭିତରେ ସରକାର ନେଇଛି ଏକାଧିକ କଠୋର ନିଷ୍ପତ୍ତି । ରାତି ୯ଟା ପରେ ବନ୍ଦ ହେବ ବଜାର ଓ ଦୋକାନ, ରାତି ୧୦ଟାରେ ସରିବ ବିବାହ କାର୍ଯ୍ୟକ୍ରମ । ଏପରିକି ବିବାହ ଭୋଜିରେ ମଧ୍ୟ କେବଳ ଗୋଟିଏ ଡିସ୍‌ ପରିବେଷଣକୁ ଅନୁମତି ।

ପାକିସ୍ତାନ ଏବେ ଭୟଙ୍କର ପେଟ୍ରୋଲ ଓ ଡିଜେଲ୍‌ ସଙ୍କଟର ସାମ୍ନା କରୁଛି । ଇନ୍ଧନ ସଞ୍ଚୟ ପାଇଁ ସରକାର ପକ୍ଷରୁ ଏକାଧିକ କଠୋର ପଦକ୍ଷେପ ନିଆଯାଇଛି । ଏହାର ପ୍ରଭାବ ଏବେ ଦୈନନ୍ଦିନ ଜୀବନରୁ ଆରମ୍ଭ କରି ବିବାହ ଉତ୍ସବ ପର୍ଯ୍ୟନ୍ତ ପହଞ୍ଚିଛି ।

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏଣିକି ସମସ୍ତ ବଜାର, ଦୋକାନ, ସପିଂ ମଲ୍‌ ଓ ଗ୍ରୋସରୀ ଦୋକାନ ପ୍ରତିଦିନ ରାତି ୯ଟା ସୁଦ୍ଧା ବନ୍ଦ କରିବାକୁ ପଡ଼ିବ । ଇନ୍ଧନ ବ୍ୟବହାର କମାଇବା ଏବଂ ତୈଳ ସଞ୍ଚୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

ବିବାହ ଉତ୍ସବରେ ମଧ୍ୟ କଟକଣା

ଇନ୍ଧନ ସଙ୍କଟ ମଧ୍ୟରେ ପାକିସ୍ତାନ ସରକାର ବିବାହ ଉତ୍ସବକୁ ନେଇ ମଧ୍ୟ କିଛି ନିୟମ ଲାଗୁ କରିଛି । ବିବାହ ହଲ୍‌ ହେଉ କି ଟେଣ୍ଟ, ସବୁକିଛି ରାତି ୧୦ଟା ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି । ଏହା ସହ ବିବାହ ଭୋଜିରେ କେବଳ ଗୋଟିଏ ପ୍ରକାରର ଡିସ୍‌ ପରିବେଷଣ କରିବାକୁ ନିୟମ କରାଯାଇଥିବା ରିପୋର୍ଟ ଆସିଛି । ଇନ୍ଧନ ସଙ୍କଟ ଯୋଗୁଁ ସରକାର ଖର୍ଚ୍ଚ ଓ ଶକ୍ତି ବ୍ୟବହାର କମାଇବା ଉପରେ ଗୁରୁତ୍ୱ ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରୀ ଗାଡ଼ିକୁ ମିଳିବ ୫୦% ତେଲ

ସେହିପରି ଇନ୍ଧନ ସଞ୍ଚୟ ପାଇଁ ସରକାରୀ ଗାଡ଼ିଗୁଡ଼ିକର ତେଲ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି । ରିପୋର୍ଟ ଅନୁସାରେ ସରକାରୀ ଗାଡ଼ିଗୁଡ଼ିକୁ ପୂର୍ବରୁ ମିଳୁଥିବା ଇନ୍ଧନର ମାତ୍ର ୫୦ ପ୍ରତିଶତ ଦିଆଯିବ । ଏହା ସହ ନୂଆ ସରକାରୀ ଗାଡ଼ି କିଣିବା ଉପରେ ମଧ୍ୟ ରୋକ ଲଗାଯାଇଛି । ସରକାରୀ ଖର୍ଚ୍ଚ କମାଇବା ସହ ତେଲ ବ୍ୟବହାର ନିୟନ୍ତ୍ରଣ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ବୋଲି ରିପୋର୍ଟରେ କୁହାଯାଇଛି ।

ମନ୍ତ୍ରୀଙ୍କ ବିଦେଶ ଯାତ୍ରାରେ ମଧ୍ୟ କଟକଣା

ପାକିସ୍ତାନ ସରକାର ଫେଡେରାଲ୍‌ ସରକାରୀ କର୍ମଚାରୀଙ୍କ ବିଦେଶ ଯାତ୍ରା ଉପରେ ତିନି ମାସ ପାଇଁ କଟକଣା ଲଗାଇଥିବା ରିପୋର୍ଟ ରହିଛି । ଯଦି କୌଣସି ମନ୍ତ୍ରୀଙ୍କୁ ବିଦେଶ ଯାତ୍ରା କରିବାକୁ ପଡ଼େ, ତେବେ ତାଙ୍କୁ ଇକୋନୋମି କ୍ଲାସ୍‌ରେ ଯାତ୍ରା କରିବାକୁ ପଡ଼ିବ ।

ପୂର୍ବରୁ ମୁଦ୍ରାସ୍ଫୀତିର ଚାପରେ ଥିବା ପାକିସ୍ତାନ ପାଇଁ ଇନ୍ଧନ ସଙ୍କଟ ଆହୁରି ଚିନ୍ତା ବଢ଼ାଇଛି । ଇନ୍ଧନ ବ୍ୟବହାର କମାଇବା ପାଇଁ ସ୍କୁଲ୍‌ ବନ୍ଦ ରଖିବା, ଦୋକାନ ଶୀଘ୍ର ବନ୍ଦ କରିବା ଓ ବିବାହ ଉତ୍ସବରେ କଟକଣା ଭଳି ପଦକ୍ଷେପ ନିଆଯାଉଛି । ଏଭଳି ଭାବେ ଇନ୍ଧନ ସଙ୍କଟ ପାକିସ୍ତାନର ସାଧାରଣ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରିଛି । ପାକିସ୍ତାନ ସରକାର ମଧ୍ୟ ଇନ୍ଧନ ସଞ୍ଚୟରେ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି ।