Videos
|
International

Pakistan LPG Prices / କାଙ୍ଗାଳ ପାକିସ୍ତାନ ଉପରେ ମହଙ୍ଗା ମାଡ଼, ୭୦୦୦ ଟଙ୍କା ହେଲା LPG ସିଲିଣ୍ଡର ଦାମ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କାଙ୍ଗାଳ ପାକିସ୍ତାନ ଉପରେ ମହଙ୍ଗା ମାଡ଼,  ୭୦୦୦ ଟଙ୍କା ହେଲା LPG ସିଲିଣ୍ଡର ଦାମ୍
LPG Cylinder Price

Key Points

ପାକିସ୍ତାନରେ LPG ସଙ୍କଟ
ଗ୍ୟାସ୍ ସିଲିଣ୍ଡର ୮୨୦୦ ଟଙ୍କା
ଚିନ୍ତାରେ ସାଧାରଣ ଲୋକ

ମହଙ୍ଗା ମାଡ଼ ଏବଂ ଆର୍ଥିକ ସଙ୍କଟରେ ମଧ୍ୟରେ ପୂର୍ବରୁ ଥିବା ପାକିସ୍ତାନ ଏବେ ଆଉ ଏକ ବଡ଼ ସମସ୍ୟାର ସାମ୍ନା କରୁଛି । ଦେଶରେ ରୋଷେଇ ଗ୍ୟାସ୍‌ (LPG)ର ଅଭାବ ଦେଖାଦେଇଥିବା ବେଳେ ସିଲିଣ୍ଡର ଦର ଆକାଶଛୁଆଁ ହୋଇଛି । ଯେଉଁ ସିଲିଣ୍ଡର କିଛି ଦିନ ପୂର୍ବରୁ ୪୫୦୦ ପାକିସ୍ତାନୀ ଟଙ୍କାରେ ମିଳୁଥିଲା, ତାହା ଏବେ ୭୦୦୦ରୁ ୮୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଖବର ମିଳିଛି । ଏହାଦ୍ୱାରା ସାଧାରଣ ଲୋକଙ୍କ ରୋଷେଇ ବଜେଟ୍‌ ଉପରେ ଚାପ ବଢ଼ିଛି ।

ଇରାନରୁ ଯୋଗାଣ ବନ୍ଦ, ବଢ଼ିଲା ସଙ୍କଟ

ସୂଚନା ଅନୁଯାୟୀ, ଅକ୍ଟୋବର ୧୭ରୁ ଇରାନ ପଟୁ ପାକିସ୍ତାନକୁ LPG ଯୋଗାଣ ବନ୍ଦ ହୋଇଯାଇଛି । ଏହା ସହିତ ଇରାନ ଓ ପାକିସ୍ତାନ ମଧ୍ୟରେ ଥିବା ଦୁଇଟି ପ୍ରମୁଖ ସୀମା ଚେକ୍‌ପୋଷ୍ଟ ବନ୍ଦ ହେବାରୁ ଇନ୍ଧନ ଯୋଗାଣ ଓ ବାଣିଜ୍ୟ ପ୍ରଭାବିତ ହୋଇଛି ।

ପାକିସ୍ତାନର କହିବା ଅନୁସାରେ, ସୁରକ୍ଷା ବ୍ୟବସ୍ଥା ମଜବୁତ କରିବା ଏବଂ ଚୋରାଚାଲାଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ, ଇରାନ ଏହା ପଛରେ ବୈଷୟିକ କାରଣ ଥିବା କହିଛି । ସୀମା ବନ୍ଦ ହେବାରୁ LPG ଟ୍ୟାଙ୍କର ଏବଂ ଅନେକ ମାଲବାହୀ ଟ୍ରକ୍‌ ଉଭୟ ପଟେ ଅଟକି ରହିଛି ।

ସରକାରୀ ଦରଠାରୁ ଦୁଇଗୁଣରୁ ଅଧିକ ମୂଲ୍ୟ

ସବୁଠାରୁ ଚିନ୍ତାଜନକ କଥା ହେଉଛି, ପାକିସ୍ତାନର ତୈଳ ଓ ଗ୍ୟାସ୍‌ ନିୟାମକ ସଂସ୍ଥା OGRA ଅନୁସାରେ ୧୧.୮ କିଲୋଗ୍ରାମ LPG ସିଲିଣ୍ଡରର ସରକାରୀ ଦର ୩୨୯୬ ଟଙ୍କା ରହିଛି । କିନ୍ତୁ ବଜାରରେ ଏହାଠାରୁ ବହୁ ଅଧିକ ଦାମରେ ସିଲିଣ୍ଡର ବିକ୍ରି ହେଉଥିବା ଅଭିଯୋଗ ଆସିଛି । ବଲୁଚିସ୍ତାନରେ ଏଲପିଜି ସିଲିଣ୍ଡର ଦର ୭୦୦୦ ଟଙ୍କା ରହିଥିବା ବେଳେ ଲାହୋରେ ୭୫୦୦ ଓ ସ୍କର୍ଦ୍ଦୁରେ ୮୨୦୦ ଟଙ୍କା ରହିଛି । ଏହି ଦର ବୃଦ୍ଧି ଯୋଗୁଁ ସାଧାରଣ ପରିବାରଙ୍କ ପାଇଁ ରୋଷେଇ ଗ୍ୟାସ୍‌ କିଣିବା କଷ୍ଟକର ହୋଇପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୭୦ ପ୍ରତିଶତ LPG ଆମଦାନୀ ଉପରେ ନିର୍ଭରଶୀଳ ପାକିସ୍ତାନ

ପାକିସ୍ତାନ ନିଜର ମୋଟ LPG ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ବିଦେଶରୁ ଆମଦାନୀ କରେ । ଏହାର ଏକ ବଡ଼ ଅଂଶ, ପ୍ରାୟ ୫୦ ପ୍ରତିଶତ, ଇରାନରୁ ଆସୁଥିବା ଦାବି କରାଯାଇଛି । ତେଣୁ ଇରାନରୁ ଯୋଗାଣ ବନ୍ଦ ହେବାର ସିଧାସଳଖ ପ୍ରଭାବ ପାକିସ୍ତାନର ଘରୋଇ ଇନ୍ଧନ ବଜାର ଉପରେ ପଡ଼ିଛି ।
ପାକିସ୍ତାନ ଇରାକ ଓ ଓମାନ ଭଳି ଅନ୍ୟ ଦେଶରୁ ମଧ୍ୟ ଇନ୍ଧନ ଆଣିଥାଏ। କିନ୍ତୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଜାରି ସଙ୍କଟ ଯୋଗୁଁ ସେଠାରୁ ଯୋଗାଣ ମଧ୍ୟ ପ୍ରଭାବିତ ହେଉଥିବା କୁହାଯାଉଛି ।

ଆଗକୁ ବଢ଼ିପାରେ ସମସ୍ୟା

ଇରାନ-ପାକିସ୍ତାନ ସୀମା ବନ୍ଦ ରହିବା ଏବଂ ଆମଦାନୀରେ ବାଧା ଜାରି ରହିଲେ LPGର ଅଭାବ ଆହୁରି ଗମ୍ଭୀର ହୋଇପାରେ । ଏହାର ପ୍ରଭାବ କେବଳ ରୋଷେଇ ଗ୍ୟାସ୍‌ ଦରରେ ସୀମିତ ନ ରହି ଦେଶର ସାଧାରଣ ଜନଜୀବନ ଓ ଘରୋଇ ଖର୍ଚ୍ଚ ଉପରେ ମଧ୍ୟ ପଡ଼ିପାରେ । ଆର୍ଥିକ ସଙ୍କଟ ସହ ଲଢ଼ୁଥିବା ପାକିସ୍ତାନ ପାଇଁ ଏହି ଗ୍ୟାସ୍‌ ସଙ୍କଟ ଏବେ ଆଉ ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇ ଉଭା ହୋଇଛି ।