Videos
|
International

Sheikh Hasina Return / ୨ବର୍ଷ ପରେ ନିଜ ଦେଶ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଇଚ୍ଛା, ସରକାର କହିଲେ ହାତକଡ଼ି ପିନ୍ଧି ଫେରିବେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
୨ବର୍ଷ ପରେ ନିଜ ଦେଶ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଇଚ୍ଛା, ସରକାର କହିଲେ ହାତକଡ଼ି ପିନ୍ଧି ଫେରିବେ
Sheikh Hasina Bangladesh Return

Key Points

ବିଜୟ ଦିବସରେ ଫେରିପାରନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ
ଡିସେମ୍ବର ୧୬ରେ ବାଂଲାଦେଶ ଫେରିବାକୁ ଜଣାଇଛନ୍ତି ଶେଖ ହାସିନା
ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବାଂଲାଦେଶରେ ରାଜନୈତିକ ଉତ୍ତେଜନା
ଢାକା: ବାଂଲାଦେଶ ରାଜନୀତିରେ ପୁଣି ହସିନାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ହଲଚଲ୍‌ । ପ୍ରାୟ ଦୁଇ ବର୍ଷ ଭାରତରେ ରହିବା ପରେ ଆସନ୍ତା  ଡିସେମ୍ବର ୧୬ ତାରିଖ ବିଜୟ ଦିବସରେ ଦେଶକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା । ଏଥିପାଇଁ ବାଂଲାଦେଶ ସରକାରଙ୍କୁ ଦିଲ୍ଲୀରୁ ଢାକା ଫେରିବା ଲାଗି ସରକାରୀ ବିମାନ ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ସେପଟେ ବାଂଲାଦେଶ ସରକାର ହସିନାଙ୍କୁ ଆତଙ୍କବାଦୀ କହି ହାତକଡ଼ି ସହ ଦେଶ ଫେରିବେ ବୋଲି ସିଧାସିଧା କହିଛନ୍ତି ।

  • ସ୍ଵତନ୍ତ୍ର ବିମାନ ଯୋଗାଇବାକୁ ହସିନାଙ୍କ ଅନୁରୋଧ
୨୦୨୪ ଅଗଷ୍ଟ ୫ରେ ହିଂସାତ୍ମକ ଆନ୍ଦୋଳନ ପରେ ଦେଶ ଛାଡ଼ି ଭାରତ ଆସିଥିଲେ ଶେଖ୍ ହସିନା । ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ରହୁଥିବା ହସିନା ଏବେ ପୁଣି ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ତାଙ୍କ ପ୍ରବକ୍ତାଙ୍କ ଅନୁସାରେ, ଭାରତ ଆସିବା ସମୟରେ ଯେଉଁ ବାଂଲାଦେଶୀ ବିମାନର ବ୍ୟବସ୍ଥା ହୋଇଥିଲା, ସେହିଭଳି ଫେରିବା ସମୟରେ ମଧ୍ୟ ସରକାର ବିମାନ ଯୋଗାଇ ଦିଅନ୍ତୁ ବୋଲି ହସିନା ଦାବି କରିଛନ୍ତି ।

  • ସରକାର କହିଲେ ହାତକଡ଼ି ପିନ୍ଧି ଫେରିବେ
କିନ୍ତୁ ହସିନାଙ୍କ ଫେରିବା ଇଚ୍ଛାକୁ ନେଇ ବାଂଲାଦେଶ ସରକାରଙ୍କ ଆଭିମୁଖ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ବାଂଲାଦେଶର ବିଦେଶ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ୍ କବିର କହିଛନ୍ତି, ହସିନାଙ୍କ ଫେରିବା ଇଚ୍ଛା ବାସ୍ତବତା ସହ ମେଳ ଖାଉନାହିଁ । ତାଙ୍କୁ ଜଣେ ଅପରାଧୀ ଓ ଆତଙ୍କବାଦୀ ଭାବେ ଅଭିହିତ କରି ମନ୍ତ୍ରୀ କହିଛନ୍ତି, "ହସିନା ବାଂଲାଦେଶକୁ ଫେରିଲେ ତାଙ୍କୁ ହାତକଡ଼ି ପିନ୍ଧାଇ ଗିରଫ କରାଯିବ ।" ଏପରିକି ପ୍ରତ୍ୟାର୍ପଣ ପ୍ରକ୍ରିୟା ବ୍ୟତୀତ ତାଙ୍କ ଫେରିବାର ଅନ୍ୟ କୌଣସି ବାଟ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

  • ସତରେ ନିଜ ଦେଶ ଫେରିଯିବେ କି ହସିନା ?
ଏପଟେ ହସିନାଙ୍କ ବିରୋଧରେ ଆଇନଗତ ମାମଲା, ମୃତ୍ୟୁଦଣ୍ଡର ଆଶଙ୍କା ଏବଂ ତାଙ୍କ ଦଳ ଆଓ୍ବାମୀ ଲିଗ୍ ପାର୍ଟି ଉପରେ ପ୍ରତିବନ୍ଧକ ଭଳି ପରିସ୍ଥିତି ରହିଛି । ତେଣୁ ଡିସେମ୍ବର ୧୬ରେ ତାଙ୍କ ପ୍ରତ୍ୟାବର୍ତ୍ତନ କେବଳ ଏକ ଯାତ୍ରା ନୁହେଁ, ବରଂ ବାଂଲାଦେଶର ରାଜନୀତିରେ ଏକ ବଡ଼ ଝଡ଼ ସୃଷ୍ଟି କରିବାର ସମ୍ଭାବନା ରହିଛି । ହସିନା ଫେରିବେ ନା ତାଙ୍କ ପ୍ରତ୍ୟାବର୍ତ୍ତନ ଦାବି କେବଳ ରାଜନୈତିକ ବୟାନରେ ସୀମିତ ରହିବ । ଏଥିଲାଗି ଏବେ ସମସ୍ତଙ୍କ ନଜର ଡିସେମ୍ବର ୧୬ ଉପରେ ଅଛି ।

  • କାହିଁକି ନିଜ ଦେଶ ଛାଡ଼ିଥିଲେ ହସିନା ?
ବାଲାଂଦେଶରେ ୧୯୭୧ ମସିହାର ମୁକ୍ତିଯୁଦ୍ଧରେ ସାମିଲ ହୋଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ସରକାରୀ ଚାକିରିରେ ୩୦% ସଂରକ୍ଷଣ ବ୍ୟବସ୍ଥାକୁ ହାଇକୋର୍ଟ ପୁନଃ ଲାଗୁ କରିବା ପରେ ଛାତ୍ରଛାତ୍ରୀମାନେ ଏହାର ତୀବ୍ର ବିରୋଧ କରିଥିଲେ । ଏହି ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଥିବା କଠୋର କାର୍ଯ୍ୟାନୁଷ୍ଠାନ ଓ ପୋଲିସ ଗୁଳିଚାଳନାରେ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା । ଏହା ଫଳରେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଯାଇଥିଲା ଏବଂ ଆନ୍ଦୋଳନ ସରକାର ବିରୋଧୀରେ ପରିଣତ ହୋଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନିଜର ଶେଷ ଇଚ୍ଛା ପ୍ରକାଶ କଲେ ହସିନା: କହିଲେ ମୁଁ ଜାଣିଛି ସେମାନେ ମତେ ଶୀଘ୍ର ମାରିଦେବେ...

ଶେଖ୍ ହସିନାଙ୍କ ୧୫ ବର୍ଷର ଶାସନ କାଳରେ ବଢ଼ୁଥିବା ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା, ବିରୋଧୀ ଦଳଙ୍କ ଉପରେ ଦମନମୂଳକ ନୀତି ଏବଂ ଏକତରଫା ନିର୍ବାଚନ ନେଇ ଲୋକଙ୍କ ମନରେ ପୂର୍ବରୁ ତୀବ୍ର ଅସନ୍ତୋଷ ରହିଥିଲା । ୨୦୨୪ ଅଗଷ୍ଟ ୫ ତାରିଖରେ ହଜାର ହଜାର ବିକ୍ଷୋଭକାରୀ କର୍ଫ୍ୟୁ ଭାଙ୍ଗି ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (ଗଣଭବନ) ଅଭିମୁଖେ ମାଡ଼ି ଆସିବା ସହ ଭିତରକୁ ପଶିଯାଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଏବଂ ସୁରକ୍ଷା ବାହିନୀ ସହ ଆଲୋଚନା ପରେ ସେ ଜୀବନ ରକ୍ଷା ପାଇଁ ଇସ୍ତଫା ଦେଇ ଏକ ସାମରିକ ହେଲିକପ୍ଟର ଯୋଗେ ଭାରତ ପଳାଇ ଆସିଥିଲେ ।