ସ୍ପେସ୍ ଷ୍ଟେସନ୍ରେ ପହଞ୍ଚିଲା ମସ୍କଙ୍କ ସ୍ପେସକ୍ରାଫ୍ଟ, ମାର୍ଚ୍ଚ ୧୯ରେ ଫେରିବେ ସୁନୀତା ୱିଲିୟମ୍ସ

ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ଏକ୍ସର ସ୍ପେସକ୍ରାଫ୍ଟ ଡ୍ରାଗନ ପ୍ରାୟ ୨୮ ଘଣ୍ଟାରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ପହଞ୍ଚିଛି । ଆଜି ମାର୍ଚ୍ଚ ୧୬ ଭାରତୀୟ ସମୟ ସକାଳ ୯ଟା ୪୦ରେ ସ୍ପେସକ୍ରାଫ୍ଟ ଡକିଂ ପରେ ୧୧ଟା ୧୫ରେ ହ୍ୟାଚ୍ ଖୋଲିଥିଲା । ୯ ମାସ ହେଲା ସ୍ପେସ୍ ଷ୍ଟେସନରେ ଫସିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ପୃଥିବୀକୁ ସ୍ପେସକ୍ରାଫ୍ଟରେ ଫେରିବେ ।
ଶନିବାର ସ୍ପେସଏକ୍ସର ଫାଲକନ-୯ ରକେଟରେ କ୍ରୁ-୧୦ ଭାରତୀୟ ସମୟ ସକାଳ ସାଢ଼େ ୪ଟାରେ ଉଡ଼ାଣ ଭରିଥିଲେ । କେନେଡି ସ୍ପେସ୍ ସେଣ୍ଟରରୁ ରକେଟ୍କୁ ଲଞ୍ଚ କରାଯାଇଥିଲା । କ୍ରୁ-୧୦ ସ୍ପେସ ସେଣ୍ଟରରେ ପହଞ୍ଚିବା ପରେ ସେଠାରେ ଥିବା କ୍ରୁ-୯ ମହାକାଶଚାରୀ ନିକ ହେଗ, ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋର ଓ ଅଲେକ୍ସାନ୍ଦ୍ର ଗୋରବୁନୋବ ଡ୍ରାଗନ ସ୍ପେସକ୍ରାଫ୍ଟରେ ପ୍ରତ୍ୟାବର୍ତ୍ତନ କରିବେ ।
ଆଶା କରାଯାଉଛି, କ୍ରୁ-୯ର ୪ ଜଣ ମହାକାଶଚାରୀ ମାର୍ଚ୍ଚ ୧୯ ତାରିଖରେ ପୃଥିବୀକୁ ଫେରି ଆସିବେ । ଆଜି କ୍ରୁ-୯ର ୪ ସଦସ୍ୟଙ୍କୁ ଆଣିବା ଲାଗି ସ୍ପେସକ୍ରାଫ୍ଟ ପହଞ୍ଚିବା ପରେ ମହାକାଶଚାରୀମାନେ ଖୁସିରେ ନାଚି ଉଠିଥିଲେ । ଏବେ ଉକ୍ତ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ବୋଇଂ ଓ ନାସାର ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନରେ ସୁନୀତା ଓ ବୁଚ୍ ଯାଇଥିଲେ । ଯେଉଁଥିରେ ସ୍ପେସକ୍ରାଫ୍ଟର ପାଇଲଟ୍ ଥିଲେ ସୁନୀତା । ବୁଚ୍ ୱିଲମୋର ଏହି ମିଶନର କମାଣ୍ଡର ଥିଲେ । ଉଭୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୮ ଦିନ ରହି ପୃଥିବୀକୁ ଫେରିବାର ଥିଲା ।
📱 Get Argus News App
✨
୨୦୨୪ ଜୁନ୍ ୫ ତାରିଖ ରାତି ୮ଟା ୨୨ରେ ବୋଇଂର ଷ୍ଟାରଲାଇନର ସ୍ପେସକ୍ରାଫ୍ଟକୁ ଆଟଲସ ଭି ରକେଟ୍ରେ ଉତକ୍ଷେପଣ କରାଯାଇଥିଲା । ଥ୍ରଷ୍ଟରରେ ସମସ୍ୟା ଯୋଗୁଁ ୬ ଜୁନ୍ ରାତି ୯ଟା ୪୫ ପରିବର୍ତ୍ତେ ୧୧ଟା ୩୦ରେ ସ୍ପେସ ଷ୍ଟେସନ ପହଞ୍ଚିଥିଲା । ଏହି ମିଶନର ଉଦ୍ଦେଶ୍ୟ ଥିଲା ମହାକାଶଚାରୀଙ୍କୁ ସ୍ପେସ ଷ୍ଟେସନ ନେଇ ପୁଣି ଫେରିବାର କ୍ଷମତା ପ୍ରଦର୍ଶନ କରିବା । ଆଉ ୮ ଦିନର ରହଣୀ ସମୟରେ ଅନେକ ପରୀକ୍ଷା ନିରୀକ୍ଷା ବି ହେବାର ଥିଲା ।