Videos
|
International

US Iran Conflict / US ଯୁଦ୍ଧଜାହାଜକୁ ମିସାଇଲ୍ ମାଡ଼, ଇରାନର ୫ ତେଲ ଟ୍ୟାଙ୍କର ଧ୍ୱଂସ କଲା ଆମେରିକା

Santosh Kumar Sahoo
Browse all articles by Santosh Kumar Sahoo
·34 mins ago·2 min read
US ଯୁଦ୍ଧଜାହାଜକୁ ମିସାଇଲ୍ ମାଡ଼, ଇରାନର ୫ ତେଲ ଟ୍ୟାଙ୍କର ଧ୍ୱଂସ କଲା ଆମେରିକା
US Iran Conflict

Key Points

ଇରାନକୁ ଆମେରିକାର କଡ଼ା ଜବାବ
ଧ୍ୱଂସ ହେଲା ୫ ତେଲ ଟ୍ୟାଙ୍କର
ତେହେରାନର ମିସାଇଲ୍ ପରେ ୱାଶିଂଟନର ପ୍ରତିଆକ୍ରମଣ
ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ବିବାଦ ବଢ଼ିଛି । ଇରାନ ବିରୋଧରେ ଆମେରିକୀୟ ନୌସେନା ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମଙ୍ଗଳବାର ଆମେରିକୀୟ ସେନା ଇରାନର ୫ଟି ତେଲ ଟ୍ୟାଙ୍କରକୁ ଟାର୍ଗେଟ୍ କରି ଧ୍ୱଂସ କରିଥିବା ଜଣାପଡ଼ିଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ ବା CENTCOM ଅନୁସାରେ, ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ପକ୍ଷରୁ ଏକ ଆମେରିକୀୟ ନୌସେନା ଯୁଦ୍ଧଜାହାଜକୁ ଦୁଇଥର ବାଲିଷ୍ଟିକ୍ ମିସାଇଲ୍‌ରେ ଟାର୍ଗେଟ୍ କରାଯିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ବଡ଼ ଧରଣର ଏୟାର୍ ଷ୍ଟ୍ରାଇକ୍ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି ।

ଆମେରିକୀୟ ସେନା କହିଛି ଯେ, ଇରାନର ଦୁଇଟି ମିସାଇଲ୍ ଆକ୍ରମଣରୁ ଯୁଦ୍ଧଜାହାଜଟି ସୁରକ୍ଷିତ ଭାବେ ବର୍ତ୍ତିଯାଇଛି । ଏହି ଘଟଣାରେ କୌଣସି ଆମେରିକୀୟ ସେନା ଅଧିକାରୀ ଆହତ ହୋଇନଥିବା ମଧ୍ୟ ଜଣାପଡ଼ିଛି ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛି ଯେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ ପକ୍ଷରୁ ଆମେରିକୀୟ ଯୁଦ୍ଧଜାହାଜ ଉପରେ ଆକ୍ରମଣ ପରେ ଇରାନର କ୍ରୁଡ୍‌ ଅଏଲ ନେଇଯାଉଥିବା ୫ଟି ଟ୍ୟାଙ୍କରକୁ ଧ୍ୱଂସ କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ ଇରାନ ପକ୍ଷରୁ ବାଲିଷ୍ଟିକ୍ ମିସାଇଲ୍‌ରେ ଯୁଦ୍ଧଜାହାଜକୁ ଟାର୍ଗେଟ୍ କରିବାର ଦୁଇଟି ପ୍ରୟାସର ଜବାବରେ ଏହି ଆକ୍ରମଣ କରାଯାଇଥିବା ଆମେରିକା କହିଛି ।

ଅନ୍ୟପଟେ, ଇରାନର ସରକାରୀ ଟେଲିଭିଜନ ମଧ୍ୟ ଏହି ଆକ୍ରମଣ ସମ୍ପର୍କରେ ଖବର ପ୍ରସାରଣ କରିଛି । ଏଥିରେ କୁହାଯାଇଛି ଯେ, ଆମେରିକୀୟ ସେନା ଦକ୍ଷିଣ ଇରାନର ଜାସ୍କ ବନ୍ଦର ଏବଂ ପାର୍ସିକ ଉପସାଗରର ଖାର୍ଗ ଦ୍ୱୀପ ନିକଟରେ ଅତି କମରେ ୩ଟି ଇରାନୀ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି । ତେବେ ଟ୍ୟାଙ୍କରରେ ଥିବା କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଇରାନୀ ଗଣମାଧ୍ୟମ କହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛଅ ମାସରୁ ଅଧିକ ସମୟ ଧରି ଚାଲିଥିବା ଲଢ଼େଇ ମଧ୍ୟରେ ୱାଶିଂଟନ୍ ଓ ତେହେରାନ୍ ମଧ୍ୟରେ ପୁଣିଥରେ ପରସ୍ପର ଉପରେ ଆକ୍ରମଣ ଆରମ୍ଭ ହୋଇଛି । ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ, ଇରାନ ପକ୍ଷରୁ ହେଉଥିବା ଆକ୍ରମଣର ଆମେରିକା ନିଶ୍ଚିତ ଭାବେ ଜବାବ ଦେବ ।

ଏହାରି ମଧ୍ୟରେ ଇରାନୀ ରିଭୋଲ୍ୟୁସନାରୀ ଗାର୍ଡର ନୌସେନା କୁଏତ ଓ ବାହାରିନ୍ ବନ୍ଦର ନିକଟରେ ଥିବା ତେଲ ଟ୍ୟାଙ୍କରଗୁଡ଼ିକର କର୍ମଚାରୀଙ୍କୁ ଜାହାଜ ଖାଲି କରିବାକୁ ଚେତାବନୀ ଦେଇଛି । ଇରାନର ଅଭିଯୋଗ ହେଉଛି ଯେ, ଏହି ଦେଶଗୁଡ଼ିକରେ ଆମେରିକାର ସାମରିକ ଉପସ୍ଥିତି ରହିଛି ଏବଂ ସେମାନେ ଆମେରିକୀୟ ସାମରିକ ଅଭିଯାନରେ ସହଯୋଗ କରୁଛନ୍ତି । ଏହା ଫଳରେ ଉପସାଗରୀୟ ଅଞ୍ଚଳରେ ସମୁଦ୍ରପଥର ସୁରକ୍ଷାକୁ ନେଇ ଚିନ୍ତା ଆହୁରି ବଢ଼ିଛି ।

ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ବିବାଦର ପ୍ରଭାବ ଏବେ ବିଶ୍ୱ ଶକ୍ତି ବଜାରରେ ମଧ୍ୟ ଦେଖିବାକୁ ମିଳୁଛି । ମଧ୍ୟପ୍ରାଚ୍ୟରେ ତେଲ ଟ୍ୟାଙ୍କରଗୁଡ଼ିକୁ ଟାର୍ଗେଟ୍ କରାଯିବା ମଧ୍ୟରେ କ୍ରୁଡ୍‌ ଅଏଲର ଦର ପ୍ରାୟ ୧୦୦ ଡଲାର ପ୍ରତି ବ୍ୟାରେଲ୍‌ରେ ପହଞ୍ଚିଛି । ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ମାର୍ଗ ଭାବେ ପରିଚିତ ଏହି ଅଞ୍ଚଳରେ ଯଦି ଦୀର୍ଘ ସମୟ ଧରି ଉତ୍ତେଜନା ଜାରି ରହେ, ତେବେ ବିଶ୍ୱସ୍ତରରେ ତେଲ ଯୋଗାଣ ଓ ଦର ଉପରେ ବଡ଼ ପ୍ରଭାବ ପଡ଼ିପାରେ ।