|
logo
Live

Argus News - ଯୁଦ୍ଧ ନିଆଁ ଲିଭାଇବାକୁ ଇସଲାମାବାଦରେ ପ୍ରୟାସ, ଆମେରିକା ଉପରେ ନାହିଁ ଇରାନର ବିଶ୍ବାସ

International

US Iran Conflict / ଯୁଦ୍ଧ ନିଆଁ ଲିଭାଇବାକୁ ଇସଲାମାବାଦରେ ପ୍ରୟାସ, ଆମେରିକା ଉପରେ ନାହିଁ ଇରାନର ବିଶ୍ବାସ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଯୁଦ୍ଧ ନିଆଁ ଲିଭାଇବାକୁ ଇସଲାମାବାଦରେ ପ୍ରୟାସ, ଆମେରିକା ଉପରେ ନାହିଁ ଇରାନର ବିଶ୍ବାସ
Peace Treaty

Key Points

ଯୁଦ୍ଧ ନିଆଁ ଲିଭାଇବାକୁ ଇସାଲାମାବାଦରେ ପ୍ରୟାସ
ଆମେରିକା ଉପରେ ନାହିଁ ଇରାନର ବିଶ୍ବାସ
ଏମିତିରେ ସଫଳ ହେବ ତ ଏ ପିସ୍ ଟକ୍ ?
ପଶ୍ଚିମ ଏସିଆରେ ଥମିବ କି ଯୁଦ୍ଧର ନିଆଁ ? ମଧ୍ୟପ୍ରାଚ୍ୟରେ ସ୍ଥାୟୀ ଶାନ୍ତି ଫେରାଇବା ପାଇଁ ଏବେ ଇସଲାମାବାଦରେ ଏକାଠି ହୋଇଛନ୍ତି ବିଶ୍ୱର ଦୁଇ ଶକ୍ତିଶାଳୀ ପ୍ରତିପକ୍ଷ ଆମେରିକା ଓ ଇରାନ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ଏହି ହାଇଭୋଲଟେଜ୍ ଶାନ୍ତି ଆଲୋଚନା ଉପରେ ଏବେ ସାରା ବିଶ୍ୱର ନଜର । ଗୋଟିଏ ପଟେ ଆମେରିକାର ୧୫ ସୂତ୍ରୀ ଖସଡ଼ା ଓ ଅନ୍ୟପଟେ ଇରାନର ୧୦ ସୂତ୍ରୀ ସର୍ତ୍ତ । ତେବେ ପରସ୍ପର ପ୍ରତି ଅବିଶ୍ୱାସ ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଜାରି ରହିଥିବା ବିବାଦ ଭିତରେ, ଏହି 'ପିସ୍ ଟକ୍' କେତେ ସଫଳ ହେବ, ତାହା ବଡ଼ ପ୍ରଶ୍ନ ।

ଗୋଟିଏ ପଟେ ଶାନ୍ତି ଆଲୋଚନା ପାଇଁ ଡାକୁଛନ୍ତି ତ ଅନ୍ୟପଟେ ଶୁଣାଉଛନ୍ତି ଚରମବାଣୀ । ଇରାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ଛିଡ଼ା କଲାଣି । ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ସ୍ଥିତିର ସମାଧାନ ଲାଗି ଦୁଇ ଦେଶ ଭିତରେ ଆଲୋଚନା ହେଉଛି । ଏନେଇ ଉଭୟ ଦେଶର ପ୍ରତିନିଧି ଦଳ ଇସଲାମାବାଦରେ ପହଞ୍ଚିଛନ୍ତି । ଆମେରିକାର ତରଫରୁ ପ୍ରତନିଧିତ୍ବ କରୁଛନ୍ତି ଉପରାଷ୍ଟ୍ରପତି ଜେଡି ଭାନ୍ସ । ତାଙ୍କ ସହ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନର୍ ଏହି ବୈଠକରେ ସାମିଲ ହେଉଛନ୍ତି ।

ସେପଟେ ଇରାନ ପକ୍ଷରୁ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗଲିବାଫ୍ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି । ତାଙ୍କ ସହ ଦେଶର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଘଚି ମଧ୍ୟ ଏହି ଶାନ୍ତି ଆଲୋଚନାର ଅଂଶୀଦାର ରହିଛନ୍ତି । ଆଉ ଏହି ଆଲୋଚନାରୁ ବାହାରିବାକୁ ଥିବା ନିସ୍କର୍ଷ ଉପରେ ରହିଛି ପୂରା ବିଶ୍ବର ନଜର । ହର୍ମୁଜ ପ୍ରଣାଳୀ ଖୋଳିବା, ଇରାନର ସମସ୍ତ ନ୍ୟୁକ୍ଲିୟାର ପ୍ରୋଗ୍ରାମ ବନ୍ଦ କରିବା ସମେତ ଆଲୋଚନାରେ ଇରାନ ଆଗରେ ରଖିବାକୁ ଏକ ୧୫ ସୂତ୍ରୀ ଖସଡ଼ା ପ୍ରସ୍ତୁତ କରିଛି ଆମେରିକା । ଯେଉଁଠି ମଧ୍ୟପ୍ରାଚ୍ୟରେ ସଂପୂର୍ଣ୍ଣ ଯୁଦ୍ଧ ବିରତି ଘୋଷଣା, ତୈଳ ବ୍ୟାପାର ଉପରୁ ଅନ୍ତରାଷ୍ଟ୍ରୀୟ କଟକଣା ପ୍ରତ୍ୟାହାର, ବିଦେଶରେ ଥିବା ଇରାନର ପାଣ୍ଠିକୁ ମୁକ୍ତ କରିବା ଭଳି ୧୦ ସୂତ୍ରୀ ପ୍ରସ୍ତାବକୁ ତେହରାନ ସୁପର ପାଓ୍ବାର ଆମେରିକା ସାମ୍ନାରେ ରଖିବାକୁ ପ୍ରସ୍ତୁତ ।

ଆଲୋଚନାରେ ଲେବାନନର ନରସଂହାର ଏକ ମୁଖ୍ୟ ମୁଦ୍ଦା ସାଜିବ ପୂର୍ବରୁ ଏକଥାର ମଧ୍ୟ ସୁରାଗ ଦେଇସାରିଛି ଇରାନ । ଏହା ବ୍ୟତୀତ ଆଲୋଚନା ପୂର୍ବରୁ ଆମେରିକା ଉପରେ ବିଶ୍ବାସ ନଥିବା କହି ସ୍ଥିତିକୁ ଆହୁରି ଜଟିଳତା ଭିତରକୁ ଠେଲି ଦେଇଛନ୍ତି ଇରାନ ପ୍ରତିନିଧି ଦଳର ମୁଖ୍ୟ ମହମ୍ମଦ ବାଘେର ଗଲିବାଫ୍ ।

ଇସାଲାମାବାଦରେ ଆଲୋଚନାରୁ ସଫଳ ନିଷ୍କର୍ଷ ବାହାରୁ । କିଛି ଏଭଳି ଆଶା ବାନ୍ଧିଛି ବିଶ୍ବ । ମଧ୍ୟପ୍ରାଚ୍ୟ ମହାକଳି ଲାଗି ବିଶ୍ବ ଉପରକୁ ମାଡ଼ି ଆସିଥିବା ଅନାବଶ୍ୟକ ସଂକଟ ଦୂର ହେବା ଲାଗି ପ୍ରାର୍ଥନା କରୁଛନ୍ତି । କିନ୍ତୁ ଆଲୋଚନା ଲାଗି ଯାଇଥିବା ଦୁଇ ପକ୍ଷଙ୍କ ମନୋଭାବ କିଛି ଅଲଗା ହିଁ ଇସାରା କରୁଛି । ଶାନ୍ତି ଆଲୋଚନା ପୂର୍ବରୁ ହର୍ମୁଜ ଖୋଲିବାକୁ ଇରାନକୁ ଚରମବାଣୀ ଶୁଣାଇଛନ୍ତି ଟ୍ରମ୍ପ । ରାଜି ହେଲେ ଇରାନ ସହ ନଚେତ ଇରାନ ବିନା ସେ ଏହା କରିବେ ବୋଲି ପୂର୍ବରୁ ଦାବି କରିଆସୁଛନ୍ତି । ଏମିତିରେ ହର୍ମୁଜରେ ଇରାନ ଲଗାଇଥିବା Sea ମାଇନ୍ସର ସନ୍ଧାନ ପାଉନଥିବାର ଆମେରିକା ଆଣିଛି ଆଉ ଏକ ନୂଆ ଅଭିଯୋଗ । ଯେଉଁଥିପାଇଁ ଏହି ପ୍ରଣାଳୀ ଦେଇ ଆସୁଥିବା ଜାହାଜଙ୍କ ବୁଡ଼ିବା ସଂକଟ ଦୁଇ ଗୁଣିତ ହୋଇଛି ।

ସେପଟେ ଇସଲାମାବାଦରେ ପହଞ୍ଚିବା ପୂର୍ବରୁ ବିମାନ ଭିତରୁ ଏକ ହୃଦୟ ବିଦାରକ ଫଟୋ ସେୟାର କରିଛନ୍ତି ଇରାନ ପ୍ରତିନିଧି ଦଳ ମୁଖ୍ୟ । ଯେଉଁଥିରେ ଆମେରିକା ଆକ୍ରମଣରେ ଜୀବନ ହାରିଥିବା କୁନି କୁନି ପିଲାଙ୍କ ଫଟୋ ବିମାନ ସିଟରେ ରହିଥିବା ଦେଖିବାକୁ ମିଳୁଛି ।

ଇସଲାମାବାଦର ଏହି ଆଲୋଚନାରୁ ସଫଳ ନିଷ୍କର୍ଷ ବାହାରିବା ନେଇ ଆଶା ବାନ୍ଧିଛି ପୂରା ବିଶ୍ବ । କୁହାଯାଉଛି ଜେଡି ଭାନ୍ସଙ୍କୁ ଆମେରିକା ପକ୍ଷରୁ ପ୍ରତିନିଧିତ୍ବ କରିବାକୁ ଇରାନ ପକ୍ଷରୁ ଅନୁରୋଧ କରାଯାଇଛି । ଇରାନରେ ଭାନ୍ସଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତି ନିକଟତର ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ବଡ଼ 'ଯୁଦ୍ଧ ବିରୋଧୀ' ଚେହେରା ଭାବେ ଦେଖାଯାଏ। ଯଦି ଏହି ଆଲୋଚନା ସଫଳ ହୁଏ ତେବେ ବିଶ୍ବରେ ତାଙ୍କର ଲୋକପ୍ରିୟତା ଦୁଇ ଗୁଣିତ ହୋଇଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Iran Conflict: ଯୁଦ୍ଧ ନିଆଁ ଲିଭାଇବାକୁ ଇସଲାମାବାଦରେ ପ୍ରୟାସ, ଆମେରିକା ଉପରେ ନାହିଁ ଇରାନର ବିଶ୍ବାସ | Argus News