Videos
|
International

US Iran War / ଯୁଦ୍ଧ ବନ୍ଦ ନୁହେଁ...ପୁଣି ଆରମ୍ଭ ହେଲା ପ୍ରଳୟଙ୍କରୀ ମହାସମର

Santosh Kumar Sahoo
Browse all articles by Santosh Kumar Sahoo
·2 months ago·3 min read
ଯୁଦ୍ଧ ବନ୍ଦ ନୁହେଁ...ପୁଣି ଆରମ୍ଭ ହେଲା ପ୍ରଳୟଙ୍କରୀ ମହାସମର
War

Key Points

ପୁଣି ଆରମ୍ଭ ହେଲା ପ୍ରଳୟଙ୍କରୀ ମହାସମର
୧୩୦ ଦିନରେ ପହଞ୍ଚିଲା ଆମେରିକା-ଇରାନ ମହାଯୁଦ୍ଧ
ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବାକୁ ଟ୍ରମ୍ପଙ୍କ ଜିଦ୍
ପୁଣି ଆରମ୍ଭ ହେଲା ପ୍ରଳୟଙ୍କାରୀ ମହାସମର । ୧୩୦ ଦିନରେ ପହଞ୍ଚିଲା ଆମେରିକା-ଇରାନ ମହାଯୁଦ୍ଧ । ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବାକୁ ଟ୍ରମ୍ପଙ୍କ ଜିଦ୍ । ଇରାନ ମାଟିରେ ଆମେରିକା ସେନାର ଭୟଙ୍କର ଏୟାରଷ୍ଟ୍ରାଇକ । ସେପଟେ ଆମେରିକାର ଆକ୍ରମଣ ପରେ ଇରାନ କରିଛି ପାଲଟା ଆକ୍ରମଣ । ଆରବ ଦେଶରେ ୟୁଏସ୍ ସାମରିକ ବେସ୍ ଉପରେ ମିସାଇଲ ମାଡ଼ କରିଛି ଇରାନ ।

ପାଣିରେ ପଡ଼ିଲା ଆମେରିକା-ଇରାନ ଶାନ୍ତି ଚୁକ୍ତି । ଯୁଦ୍ଧ ବନ୍ଦ ନୁହେଁ, ପୁଣି ଆରମ୍ଭ ହୋଇସାରିଛି ପ୍ରଳୟଙ୍କରୀ ଯୁଦ୍ଧ ! ଏହା ସହିତ ଇରାନ ଏବଂ ଆମେରିକା ଯୁଦ୍ଧ ଆଜି ୧୩୦ ଦିନରେ ପହଞ୍ଚିଛି । ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣର ବଦଲା ନେବାକୁ ଯାଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅସ୍ଥାୟୀ ଶାନ୍ତି ଚୁକ୍ତି ଶେଷ ହୋଇଥିବା ଘୋଷଣା କରିବା ସହ ଇରାନ ମାଟିରେ ଆମେରିକା ସେନା ଆରମ୍ଭ କରିଛି ବଡ଼ ଏୟାରଷ୍ଟ୍ରାଇକ ।

ଆମେରିକା ସେଣ୍ଟ୍ରାଲ କମାଣ୍ଡର ଘନ ଘନ ଆକ୍ରମଣରେ ଥରି ଉଠିଛି ସମ୍ପୂର୍ଣ୍ଣ ଇରାନ । ଇରାନର ପ୍ରାୟ ୧୫୦ରୁ ଅଧିକ ସାମରିକ ଘାଟିକୁ ଟାର୍ଗେଟ୍ କରି ବୋମା ବର୍ଷା କରିଛି ଆମେରିକା । ଚାବାହାର ପାୱାର ପ୍ଲାଣ୍ଟ, ବୁସେହର ବନ୍ଦର ଏବଂ କାଙ୍ଗାନ ସହର ସମେତ ରାଜଧାନୀ ତେହେରାନରେ ଦେଖିବାକୁ ମିଳିଛି କେବଳ ଧ୍ୱଂସର ଚିତ୍ର । ଗୁରୁତ୍ୱପୂର୍ଣ୍ଣ ଆବୁ ମୁସା ଦ୍ୱୀପ ଉପରେ ଏକାଧିକ ସାମରିକ ଷ୍ଟ୍ରାଇକ୍ କରାଯାଇଥିବା ବେଳେ ବାନ୍ଦାର ସିରିକ, କିଶ୍, ଲେଙ୍ଗେ ଏବଂ ଲାଭାନ ଦ୍ୱୀପର ତୈଳ ରିଫାଇନାରୀକୁ ସମ୍ପୂର୍ଣ୍ଣ ଛାରଖାର କରିଦିଆଯାଇଛି ।

ଆମେରିକାର ଦାବି ଅନୁଯାୟୀ, ଏହି ପ୍ରଳୟଙ୍କରୀ ଆକ୍ରମଣ ଯୋଗୁଁ ଇରାନର ଶକ୍ତିଶାଳୀ ସେନାବାହିନୀ IRGCର ଏୟାର ଡିଫେନ୍ସ ସିଷ୍ଟମ ପୂରା ଧ୍ବଂସ ହୋଇଯାଇଛି । ଯାହା ଇରାନ ପାଇଁ ସବୁଠାରୁ ବଡ଼ ଧକ୍କା ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆମେରିକାର ଏହି ବଡ଼ ଧରଣର ଆକ୍ରମଣ ପରେ ଚୁପ୍ ବସିନାହିଁ ଇରାନ । ନିଜର ପ୍ରତିରକ୍ଷା ବ୍ୟବସ୍ଥା ଭାଙ୍ଗିବା ପରେ ଏବେ ଆରବ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ବଡ଼ ଧରଣର ଓଲଟା ଆକ୍ରମଣ ଆରମ୍ଭ କରିଛି ଇରାନର IRGC । ବାଲିଷ୍ଟିକ ମିସାଇଲ ଓ କାମିକାଜି ଡ୍ରୋନ୍ ମାଡ଼ କରି ବିପଦକୁ ଆହୁରି ବଢ଼ାଇ ଦେଇଛି ଇରାନ ସେନା । ନିଜ ମାଟିରେ ବୋମାମାଡ଼ର ଜବାବ ଦେବାକୁ ଯାଇ ବାହାରିନ, କୁୱେତ ଏବଂ କତାର ଉପରେ ଶତାଧିକ କ୍ଷେପଣାସ୍ତ୍ର ବର୍ଷା କରିଛି ଇରାନ । କୁୱେତରେ ଥିବା ଆମେରିକାର ସବୁଠାରୁ ବଡ଼ ଆରିଫଜାନ ଓ ଅଲି ଅଲ-ସାଲେମ ଏୟାରବେସ୍ ଏବଂ ବାହାରିନରେ ଥିବା ୟୁଏସ୍ ଏୟାରବେସକୁ ସିଧାସଳଖ ଟାର୍ଗେଟ୍ କରାଯାଇଛି । ଇରାନ ଦାବି କରିଛି ଯେ, କୁୱେତରେ ଥିବା ଆମେରିକାର ପ୍ରସିଦ୍ଧ ପ୍ୟାଟ୍ରିଅଟ୍ ମିସାଇଲ ଡିଫେନ୍ସ ସିଷ୍ଟମ ଏବଂ ବାହାରିନର ବଡ଼ ବଡ଼ ତୈଳ ଟାଙ୍କିଗୁଡ଼ିକୁ ସେମାନେ କାମିକାଜି ଡ୍ରୋନ ସାହାଯ୍ୟରେ ଉଡ଼ାଇ ଦେଇଛି ।

ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ମହାଯୁଦ୍ଧର ରୂପ ନେବାକୁ ଯାଉଛି । ଏଭଳି ସଂଗୀନ ସ୍ଥିତି ଭିତରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱ ସଙ୍କଟକୁ ନେଇ ବଡ଼ ବୟାନ ଦେଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ସିଇଓ ଫୋରମରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ, ବିଶ୍ୱ ବର୍ତ୍ତମାନ ଏକ ବଡ଼ ଅନିଶ୍ଚିତତା ଦେଇ ଗତି କରୁଛି, ଯେଉଁଥିପାଇଁ ଗ୍ଲୋବାଲ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହେବା ସହ ସାରା ଦୁନିଆରେ ଭୟଙ୍କର ଶକ୍ତି ସଙ୍କଟ ବା ଏନର୍ଜି କ୍ରାଇସିସ୍ ଦେଖାଦେଇଛି । ଏଭଳି ସମୟରେ ଭାରତ ଏବଂ ଅଷ୍ଟ୍ରେଲିଆ ପରି ବିଶ୍ୱସ୍ତ ସହଯୋଗୀ ଏକାଠି ଆଗକୁ ବଢ଼ିବା ଜରୁରୀ ବୋଲି ମୋଦି ଆହ୍ୱାନ ଦେଇଛନ୍ତି ।

ତେବେ ବିଶ୍ୱ ନେତାଙ୍କ ଚେତାବନୀ ସତ୍ତ୍ବେ ବି ପଶ୍ଚିମ ଏସିଆରେ ବର୍ତ୍ତମାନ ଯେଉଁଭଳି ସ୍ଥିତି ଉପୁଜିଛି, ତାହା ସ୍ପଷ୍ଟ ସଙ୍କେତ ଦେଉଛି ଏହି ରକ୍ତାକ୍ତ ସଂଘର୍ଷ ଯେକୌଣସି ମୁହୂର୍ତ୍ତରେ ଏକ ଭୟଙ୍କର ତୃତୀୟ ବିଶ୍ୱଯୁଦ୍ଧର ରୂପ ନେଇପାରେ ।

US Iran War Escalates Again: Airstrikes, Missile Attacks Raise Global Tensions | Argus News