Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Buffer State / ବଫର ଷ୍ଟେଟ୍ କ'ଣ? କିପରି ଅଟକାଇଥାନ୍ତି ଯୁଦ୍ଧ?

Subhramjit Ray
Browse all articles by Subhramjit Ray
·3 months ago·3 min read
ବଫର ଷ୍ଟେଟ୍ କ'ଣ? କିପରି ଅଟକାଇଥାନ୍ତି ଯୁଦ୍ଧ?
Buffer State

Key Points

"ବଫର ଷ୍ଟେଟ୍" ଦୁଇ ପ୍ରତିଦ୍ୱନ୍ଦ୍ୱୀ ମହାଶକ୍ତି ମଧ୍ୟରେ ଅବସ୍ଥିତ ଦେଶ ଯିଏ "ଶକ୍ ଅବଜର୍ଭର" (Shock Absorber) ଭାବରେ କାର୍ଯ୍ୟ କରେ।
Buffer State in World: ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ଏପରି କିଛି ଦେଶ ଅବସ୍ଥିତ ଅଛନ୍ତି ଯିଏ କେବଳ ସେମାନଙ୍କର ସୀମା କିମ୍ବା ଆକାର ଅଥବା ଆୟତନ ପାଇଁ ପରିଚିତ ନଥାନ୍ତି। ବରଂ ଦୁଇଟି ପ୍ରମୁଖ ପାରମ୍ପରିକ ପ୍ରତିଦ୍ୱଦ୍ୱୀଙ୍କୁ ସାମରିକ ସଂଘର୍ଷରେ ମାତିବାରୁ ଅକଟାଇବା ପାଇଁ ଜଣାଶୁଣା ହୋଇଥାନ୍ତି। ଆନ୍ତର୍ଜାତୀୟ ରାଜନୀତିରେ ଏପରି ଦେଶକୁ "ବଫର ଷ୍ଟେଟ୍" କୁହାଯାଏ। ବୈଶ୍ୱିକ ରାଜନୀତିରେ ଏପରି ଦେଶଙ୍କ କାମ ଗାଡ଼ିରେ ବ୍ୟବହୃତ ହେଉଥିବା "ଶକ୍ ଅବଜର୍ଭର" ସହିତ ସମାନ ହୋଇଥାଏ।

ଗାଡ଼ିରେ ବ୍ୟବହାର ହୋଇଥିବା "ଶକ୍ ଅବଜର୍ଭର" (Shock Absorber) ଯେପରି କୌଣସି ପ୍ରକାରର ଆଘାତକୁ ଅବଶୋଷିତ କରି ଗାଡ଼ିକୁ ସୁରକ୍ଷିତ ରଖିଥାଏ,ଠିକ୍ ସେପରି ବିଶ୍ୱ ରାଜନୀତିରେ ଏହି କାମ "ବଫର ଷ୍ଟେଟ୍" କରିଥାନ୍ତି। ସାଧାରଣ ଭାଷାରେ କହିବାକୁ ଗଲେ "ବଫର ଷ୍ଟେଟ୍" ଶବ୍ଦର ଅର୍ଥ ହେଉଛି ସେହି ଦେଶ ଯିଏ ଦୁଇ ଶକ୍ତିଶାଳୀ ଦେଶଙ୍କ ମଧ୍ୟରେ ହେବାକୁ ଯାଉଥିବା ସାମ୍ଭାବ୍ୟ ଯୁଦ୍ଧକୁ ରୋକିବାରେ ସବୁଠାରୁ ବଡ଼ କାରଣ ହୋଇଥାନ୍ତି।

ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ "ବଫର ଷ୍ଟେଟ" ଭୂମିକା କ'ଣ?
ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ "ବଫର ଷ୍ଟେଟ" ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାର ସବୁଠାରୁ ପ୍ରାଥମିକ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ଯୁଦ୍ଧର ସମ୍ଭାବନାକୁ କମ କରିବା। ଯେତେବେଳେ ମହାଶକ୍ତି କୁହାଯାଉଥିବା ଦୁଇ ଦେଶର ସେନା ପରସ୍ପରର ସୀମାରେ ମୁହାଁମୁହିଁ ହୋଇଥାନ୍ତି, ସେତେବେଳେ ଏକ ଛୋଟ ଭୁଲ ବୁଝାମଣା ମଧ୍ୟ ଏକ ବିଶାଳ ଭୟାନକ ଯୁଦ୍ଧର କାରଣ ପାଲଟିଯାଏ। ହେଲେ ଯଦି ଏହି ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ କୌଣସି "ବଫର ଷ୍ଟେଟ" ରହିଥାଏ, ତାହେଲେ ଉଭୟ ଦେଶର ସେନା ମଧ୍ୟରେ ଏକ ସୁରକ୍ଷିତ ଦୂରତା ବଜାୟ ରହିଥାଏ। ଏହି ଭୌଗୋଳିକ ଦୂରତା ଅପ୍ରତ୍ୟାଶିତ ଆକ୍ରମଣ ଜନିତ ସମ୍ଭାବନାକୁ ହ୍ରାସ କରିଥାଏ। ଯାହା ଦ୍ୱାରା କ୍ଷେତ୍ରୀୟ ସ୍ଥିରତା ବଜାୟ ରହିଥାଏ। ବୈଶ୍ୱିକ ରାଜୈନିକ ଦୃଷ୍ଟିକୋଣରୁ "ବଫର ଷ୍ଟେଟ" କୁ ଏକ ସୁରକ୍ଷା ଢାଲ ମଧ୍ୟ କୁହାଯାଏ। କାରଣ ଏପରି ଦେଶ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି।

ଶକ୍ତି ସନ୍ତୁଳନ ବଜାୟ ରଖିବାର କଳା
ଆନ୍ତର୍ଜାତୀୟ ଭୂ-ରାଜନୀତିରେ ଶକ୍ତି ସନ୍ତୁଳନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। "ବଫର ଷ୍ଟେଟ" କୁହାଯାଉଥିବା ଦେଶ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ଦେଶ ସହ ସମ୍ପୂର୍ଣ୍ଣ ଭାବରେ ଯୋଡ଼ି ହୋଇ ରହିନଥାନ୍ତି। ସେମାନଙ୍କର ନିରପେକ୍ଷତା ନିଶ୍ଚିତ କରେ ଯେ କୌଣସି ଗୋଟିଏ ମହାଶକ୍ତି ଅନ୍ୟ ଉପରେ ଏହାର ପ୍ରାଧାନ୍ୟ ବିସ୍ତାର କରିପାରିବ ନାହିଁ। ଯଦି ଏକ ବଫର ଷ୍ଟେଟ କୌଣସି ଦେଶ ପଟକୁ ଢଳିବା ରମ୍ଭ କରିଦିଏ, ତାହେଲେ କ୍ଷେତ୍ରୀୟ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇପଡ଼େ। ଯାହା ପରେ ବିଶାଳ ଯୁଦ୍ଧର ଆକାର ନେଇପାରେ। ବୈଶ୍ବିକ ଶାନ୍ତି ପାଇଁ ଏପରି ଦେଶର ନିରପେକ୍ଷତା ବଜାୟ ରଖିବା ଅତ୍ୟନ୍ତ ଅତ୍ୟାବଶ୍ୟକ ବୋଲି ବିବେଚନା କରାଯାଏ।

ସଂକଟ ସମୟରେ ରହିଛି ନିର୍ଣ୍ଣାୟକ ଭୂମିକା
ଯେତେବେଳେ ଦୁଇ ମହାଶକ୍ତି କୁହାଯାଉଥିବା ଦେଶଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ବିଚ୍ଛିନ୍ନ ହୋଇଯାଏ ଏବଂ ପାରସ୍ପରିକ ଆଲୋଚନାର ସମସ୍ତ ଦ୍ୱାର ବନ୍ଦ ହୋଇଯାଏ, ସେତେବେଳେ "ବଫର ଷ୍ଟେଟ୍" ମଧ୍ୟସ୍ଥି କିମ୍ବା ବାର୍ତ୍ତାବାହକ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ସେମାନଙ୍କର ଭୌଗୋଳିକ ଅବସ୍ଥିତି ଏବଂ ନିରପେକ୍ଷ ଆଭିମୁଖ୍ୟ ଯୋଗୁଁ ଉଭୟ ପକ୍ଷ ବିଶ୍ୱାସଭାଜନ ହୋଇଥାନ୍ତି। ଯୁଦ୍ଧ ବିରାମ କିମ୍ବା ଗୁପ୍ତ ବାର୍ତ୍ତା ପଠାଇବା ପାଇଁ ଏପରି ଦେଶର ଭୂମି ବ୍ୟବହୃତ ହୋଇଥାଏ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିବା ପୂର୍ବରୁ ଆଲୋଚନା ମାଧ୍ୟମରେ ବିବାଦକୁ ହ୍ରାସ କରିବାର କ୍ଷମତା ରଖିଥାନ୍ତି ବଫର ଷ୍ଟେଟ୍।

କେଉଁଠୁ ଆସିଲା "ବଫର ଷ୍ଟେଟ୍" ବିଚାର?

ବୈଶ୍ୱିକ ରାଜନୀତିରେ "ବଫର ଷ୍ଟେଟ୍" ବିଚାରଧାରା ଉନବିଂଶ-ବିଂଶ ଶତାବ୍ଦୀରେ (19-20 Century) ଆସିଥିଲା। ଯେତେବେଳେ ବିଭିନ୍ନ ମହାଶକ୍ତି ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ପ୍ରତିଯୋଗିତାରେ ମାତି ଯାଇଥିଲେ। ସେତେବେଳର ଭୂ-ରାଜନୈତିକ ଅବସ୍ଥାରେ ନିଷ୍ପତ୍ତି ନିଆଯାଇଥିଲା ଯେ ଛୋଟ ଦେଶକୁ (ବଫର ଷ୍ଟେଟ୍) ବଡ଼ ସାମ୍ରାଜ୍ୟ ମଧ୍ୟରେ ଏକ "ଢାଲ" ଭାବରେ ରଖାଯିବା ଆବଶ୍ୟକ। "ବଫର ଷ୍ଟେଟ୍" କୁହାଯାଉଥିବା ଦେଶର ଅବସ୍ଥିତି ସର୍ବଦା ସକାରାତ୍ମକ ହୋଇନଥାଏ। ଏପରି ଦେଶଙ୍କୁ ପ୍ରାୟତଃ ସେମାନଙ୍କର ସାର୍ବଭୌମତ୍ୱ ସହିତ ବୁଝାମଣା କରିବାକୁ ପଡ଼ିଥାଏ। ଏପରିକି ସେମାନଙ୍କର ଶକ୍ତିଶାଳୀ ପଡ଼ୋଶୀଙ୍କ ଦ୍ୱାରା ସେମାନଙ୍କର ଭୂମି ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯିବାର ଭୟରେ ବଞ୍ଚିବାକୁ ପଡ଼ିଥାଏ।

ଆଜିର ଦିନରେ କେଉଁ ଦେଶକୁ କୁହାଯାଏ ବଫର ଷ୍ଟେଟ୍?
ଆଜିର ଦିନରେ ମଙ୍ଗୋଲିଆ, ନେପାଳ ଏବଂ ଭୁଟାନ ଆଦି ଦେଶ "ବଫର ଷ୍ଟେଟ" ର ପ୍ରକୃତ ଉଦାହରଣ। ମଙ୍ଗୋଲିଆ ଦୁଇଟି ବିଶାଳ ମହାଶକ୍ତି ଋଷିଆ-ଚୀନ୍ ମଧ୍ୟରେ ଅବସ୍ଥିତ। ଯିଏ ଉଭୟ ପକ୍ଷ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ। ସେହିପରି ନେପାଳ ଏବଂ ଭୁଟାନ ବିଶ୍ୱର ଦୁଇଟି ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏବଂ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାରତ-ଚୀନ୍ ମଧ୍ୟରେ ଅବସ୍ଥିତ। ସେମାନଙ୍କର ଉପସ୍ଥିତି ଭାରତ-ଚୀନ ସେନାବାହିନୀକୁ ଅନେକ କ୍ଷେତ୍ରରେ ସିଧାସଳଖ ସଂଘର୍ଷ କରିବାକୁ ଅକଟାଇ ଦେଇଥାଏ। ଯାହା ଫଳରେ ବଡ଼ ଧରଣର ଯୁଦ୍ଧକୁ ଏଡାଇ ଦିଆଯାଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What is a Buffer State? How They Shape Global Politics & War Strategy | Argus News