କେଉଁଠି ଅଛନ୍ତି ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ, ଦେଶ ଛାଡ଼ି ପଳାଇଲେ ନା ହୋଇଗଲେ ଅଣ୍ଡରଗ୍ରାଉଣ୍ଡ ?

Key Points
କୁଆଡ଼େ ଗଲେ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ. ପି ଶର୍ମା ଓଲି ? ଓଲି ଦେଶ ଛାଡ଼ି ପଳାଇଲେ ନା ହୋଇଗଲେ ଅଣ୍ଡରଗ୍ରାଉଣ୍ଡ ? ବାଂଲାଦେଶର ପୂର୍ବ PM ଶେଖ୍ ହସିନାଙ୍କ ଭଳି ଓଲି ପଶିବେ କି ଭାରତର ଶରଣ ?
ଏବେ ବି ଜଳୁଛି ନେପାଳ । ପ୍ରଧାନମନ୍ତ୍ରୀ ପଦରୁ କେପି ଶର୍ମା ଓଲି ଇସ୍ତଫା ଦେବା ପରେ ବି ଥମୁନି ଆନ୍ଦୋଳନ । ନେପାଳ ଏବେ ଏକ ଭୟଙ୍କର ସଙ୍କଟର ସମ୍ମୁଖୀନ ହେଉଛି । ଦେଶରେ ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଘଟିଥିବା ହିଂସା ଅନେକ ଲୋକଙ୍କ ଜୀବନ ନେଇଛି । ପରିସ୍ଥିତି ଖରାପ ହେଉଥିବା ଦେଖି କେପି ଶର୍ମା ଓଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ତଥାପି ଥମିଲାନି ହିଂସା । ତେବେ ଏସବୁ ମଧ୍ୟରେ ଏବେ କେଉଁଠି ଅଛନ୍ତି ନେପାଳ ପ୍ରଧାନମନ୍ତ୍ରୀ, ସେ ବିଷୟରେ ସୂଚନା ସାର୍ବଜନୀନ ଭାବରେ ପ୍ରକାଶ କରାଯାଇ ନାହିଁ । ପ୍ରତିବାଦକାରୀମାନେ ଅନେକ ସରକାରୀ କୋଠାରେ ନିଆଁ ଲଗାଇ ଦେଇଥିଲେ ।
ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ବିଷୟରେ ଏକ ଖବର ଆସିଥିଲା ଯେ ସେ ନେପାଳ ଛାଡ଼ି ଦୁବାଇ ପଳାଇ ଯାଇପାରନ୍ତି । କିନ୍ତୁ ବର୍ତ୍ତମାନ ସେ କେଉଁଠି ଅଛନ୍ତି ସେ ନେଇ କୌଣସି ଠୋସ୍ ସୂଚନା ନାହିଁ । ନେପାଳୀ ଗଣମାଧ୍ୟମ ଅନୁଯାୟୀ, ଓଲି କାଠମାଣ୍ଡୁର ଏକ ନିରାପଦ ଘରେ ଲୁଚି ରହିଛନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତ୍ରିଭୁବନ ବିମାନବନ୍ଦର ବନ୍ଦ କରାଯାଇଛି । ତେଣୁ, ସେଠାରୁ ବିମାନ ଚଳାଚଳ କରୁନାହିଁ । ଦେଶର କମାଣ୍ଡ ଏବେ ସେନା ହାତରେ ଅଛି । କାଠମାଣ୍ଡୁର ରାସ୍ତାରେ ସୈନିକମାନେ ମଧ୍ୟ ପାଟ୍ରୋଲିଂ କରୁଛନ୍ତି।
ପ୍ରତିବାଦକାରୀମାନେ ଓଲିଙ୍କ ଘରକୁ ନିଆଁ ଲଗାଇ ଦେଲେ
ନେପାଳ ସରକାରଙ୍କ ଅନେକ ମନ୍ତ୍ରୀଙ୍କୁ ପ୍ରତିବାଦକାରୀମାନେ ପିଛା କରିଥିଲେ ଏବଂ ପିଟିଥିଲେ । ଅନେକ ସରକାରୀ କୋଠାରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ପ୍ରଦର୍ଶନକାରୀମାନେ କେପି ଶର୍ମା ଓଲିଙ୍କ ଘରେ ମଧ୍ୟ ପହଞ୍ଚିଥିଲେ। ଭକ୍ତପୁରରେ ତାଙ୍କ ଘରକୁ ନିଆ ଲଗାଇ ପୋଡ଼ି ଦେଇଥିଲେ । କିନ୍ତୁ ସେତେବେଳକୁ ଓଲି ତାଙ୍କ ପରିବାର ସହିତ ଖସି ପଳାଇବାରେ ସଫଳ ହୋଇଥିଲେ। ଅନୁମାନ କରାଯାଉଛି ଯେ ସେ ଏକ ସୁରକ୍ଷିତ ସ୍ଥାନରେ ଲୁଚି ରହିଛନ୍ତି।
📱 Get Argus News App
✨
ହିଂସାତ୍ମକ ପ୍ରତିବାଦ ମଧ୍ୟରେ ପଶୁପତିନାଥ ମନ୍ଦିର ବନ୍ଦ
ସେପଟେ ଦେଶରେ ବଢ଼ୁଥିବା ହିଂସାତ୍ମକ ପ୍ରତିବାଦ ଯୋଗୁଁ ବୁଧବାର ଦିନ ନେପାଳର ସବୁଠାରୁ ପବିତ୍ର ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ପଶୁପତିନାଥ ମନ୍ଦିର ପରିସରର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶାନ୍ତି ବଜାୟ ରଖିବା ପାଇଁ ନେପାଳ ସେନା ମୁତୟନ କରାଯାଇଛି।