Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି?

International

Chhatrapati Shivaji Maharaj / କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି?

Subhramjit Ray
Browse all articles by Subhramjit Ray
·2 hours ago·3 min read
 କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି?
Chhatrapati Shivaji Maharaj

Key Points

ଇସ୍ରାଏଲ ଏହାର ଏକ ପ୍ରମୁଖ ସହରରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଚାହୁଁଛି। ମହାରାଷ୍ଟ୍ର ସରକାର ଏଥିରେ ଯୋଗଦାନ ଦେବାକୁ ରାଜି ହୋଇଛନ୍ତି।
Chhatrapati Shivaji Maharaj Statue in Isreal: ଭାରତ ପରେ ଇସ୍ରାଏଲରେ ସ୍ଥାପିତ ହେବାକୁ ଯାଉଛି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି। ଗତ ସପ୍ତାହରେ ଛତ୍ରପତିଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଇସ୍ରାଏଲ କନସଲ ଜେନେରାଲ ୟାନିଭ ରେଭାଚ୍ ଏ ସମ୍ପର୍କରେ ଜଣାଇଥିଲେ। ଏନେଇ ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଭାରତୀୟଙ୍କୁ, ଇସ୍ରାଏଲ ଲୋକଙ୍କ ସହିତ ଯୋଡ଼ିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି ଯେ ସରକାର ଏହି ପ୍ରୟାସରେ ଇସ୍ରାଏଲକୁ ଆବଶ୍ୟକୀୟ ସହଯୋଗ କରିବ। ହେଲେ କାହିଁକି ଇସ୍ରାଏଲରେ ସ୍ଥାପିତ ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି? ମହାରାଷ୍ଟ୍ର-ଇସ୍ରାଏଲ ମଧ୍ୟରେ କ'ଣ କୌଣସି ସମ୍ପର୍କ ରହିଛି।

ଇସ୍ରାଏଲ କନସଲ ଜେନେରାଲ ଛତ୍ରପତିଙ୍କ ରାଜ୍ୟାଭିଷେକ ଦିବସରେ ସମ୍ପ୍ରତି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଥିଲେ। ଏନେଇ ସେ କହିଥିଲେ, ଆମେ ଛତ୍ରପତି ଶିବାଜୀ ମହାରାଜଙ୍କ ଭାରତ ପ୍ରତି ଅବଦାନକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରୁଛୁ। ଆମର ଧାରଣା ହେଉଛି ମହାରାଜଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରି ଇସ୍ରାଏଲକୁ ପଠାଇବା। ଏହା ମାଧ୍ୟମରେ ଭାରତୀୟ, ଇସ୍ରାଏଲ ଲୋକଙ୍କ ସହିତ ଯୋଡ଼଼ିହେବ। ଆମେ ଏହାକୁ ଇସ୍ରାଏଲର ଏକ ପ୍ରମୁଖ ସହରକୁ ନେବାକୁ ଯୋଜନା କରୁଛୁ।

ଏହି ଐତିହ୍ୟ ସ୍ମାରକୀ ନିର୍ମାଣ କରିବା ପାଇଁ, ଇସ୍ରାଏଲ ଐତିହାସିକ ପ୍ରସଙ୍ଗ, କଳାତ୍ମକ ପରାମର୍ଶ ଏବଂ ଡିଜାଇନ୍ ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସହଯୋଗ ଲୋଡ଼ିଛି। ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ। ଏଥିରେ ସେ କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଇସ୍ରାଏଲରେ ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ପ୍ରତିମୂର୍ତ୍ତି ଇସ୍ରାଏଲ-ଭାରତ ମଧ୍ୟରେ ଘନିଷ୍ଠ ସମ୍ପର୍କର ଏକ ଶକ୍ତିଶାଳୀ ପ୍ରତୀକ ହେବ। ମହାରାଷ୍ଟ୍ର ଏବଂ ଭାରତୀୟ ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ଐତିହାସିକ ସମ୍ପର୍କକୁ ଦୃଷ୍ଟିରେ ରଖି ଏପରି ଏକ ସ୍ମାରକୀ ବିଶେଷ ଗୁରୁତ୍ୱପୂର୍ଣ୍ଣ ହେବ। ଯାହାଙ୍କ ବଂଶଧରଙ୍କ ମଧ୍ୟରୁ ଅନେକ ଆଜି ଇସ୍ରାଏଲୀ ସମାଜରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛନ୍ତି।

ଏହା ସହ ପଢନ୍ତୁ: ବିଦେଶରେ ସ୍ଥାପିତ ହେବ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମା

ଭାରତକୁ ବେନେ ଇସ୍ରାଏଲୀଙ୍କ ଆଗମନ
ପ୍ରାକ୍ ଯୁଗର ଜଣେ ଗ୍ରୀକ୍ ରାଜା ଆଣ୍ଟିଓକସ୍ ଚତୁର୍ଥ ଏପିଫେନ୍ ଙ୍କ ଅତ୍ୟାଚାରରେ ପୀଡ଼ିତ ହୋଇ, କିଛି ଇହୁଦୀ ସୁରକ୍ଷିତ ଠିକଣା ଖୋଜି ଆସି ଭାରତରେ ପହଞ୍ଚିଥିଲେ। ସେମାନେ ବସତି ସ୍ଥାପନ ପାଇଁ ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳକୁ ବାଛିଥିଲେ। ଏହି ଲୋକଙ୍କୁ ଇସ୍ରାଏଲର ସନ୍ତାନ ଅର୍ଥାତ "ବେନେ ଇସ୍ରାଏଲୀ" ଭାବରେ ଜଣାଯାଉଥିଲା। ତେଲ ନିଷ୍କାସନ କରିବା ସେମାନଙ୍କର ପେସାଗତ ବୃତ୍ତି ଥିଲା। ସେମାନେ ଶନିବାର ଦିନ ବିଶ୍ରାମ ନେଉଥିଲେ। ଏଥିପାଇଁ ସେମାନଙ୍କ ଲାଗି "ଶନିୱାରୀ ତେଲି" ଶବ୍ଦ ବ୍ୟବହାର କରାଯାଉଥିଲା। ବେନେ ଇସ୍ରାଏଲୀ ସମ୍ପ୍ରଦାୟର ପିଲାଙ୍କୁ ଜନ୍ମ ସମୟରେ ଏକ ହିବ୍ରୁ ନାମ ଏବଂ ଏକ ସ୍ଥାନୀୟ ନାମ ଦିଆଯାଇଥିଲା। ପୁରୁଷଙ୍କ ପାଇଁ ଆବାଜି, ବାପୁଜୀ, ତାନାଜୀ ଭଳି ନାମ ଦିଆଯାଉଥିଲା। ସେହିପରି ମହିଳାଙ୍କ ପାଇଁ ସୋନାବାଇ, ଅମ୍ବାଇ ଏବଂ ବୈନାବାଇ ନାମ ବ୍ୟବହାର କରାଯାଉଥିଲା।

ବେନେ ଇସ୍ରାଏଲୀ ସମ୍ପ୍ରଦାୟ ସେମାନଙ୍କର ଯୁଦ୍ଧ କଳା ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ। ଛତ୍ରପତି ଶିବାଜୀ ମହାରାଜ ସେମାନଙ୍କର ସାମରିକ ଦକ୍ଷତାକୁ ଚିହ୍ନି ପାରିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ବେନେ ଇସ୍ରାଏଲୀଙ୍କୁ ତାଙ୍କ ସେନାରେ ନିଯୁକ୍ତି ଦେଇଥିଲେ। ସେମାନେ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠା ଏବଂ ବିସ୍ତାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସପ୍ତଦଶ (୧୭) ଶତାବ୍ଦୀରେ ଆରୋନ ଚୁରିକର ନାମକ ଜଣେ ବେନେ ଇସ୍ରାଏଲୀ ମରାଠା ନୌସେନା କମାଣ୍ଡର ନିଯୁକ୍ତ ହୋଇଥିଲେ। ଶାଲୋମ ଜୋସେଫ ଆଇଜାକ୍ ସାମୁଏଲ୍ ତାଲକର ମରାଠା ଲାଇଟ୍ ଇନଫ୍ୟାଣ୍ଟ୍ରି ବାହିନୀରେ କାର୍ଯ୍ୟରତ ଥିଲେ। ତୃତୀୟ ମରାଠା ଲାଇଟ୍ ଇନଫ୍ୟାଣ୍ଟ୍ରି ବାହିନୀରେ ସେବା ଯୋଗାଉଥିବା ଲେଫ୍ଟନାଣ୍ଟ ଏଲିସ୍ ଆଷ୍ଟନ୍ ମଧ୍ୟ ଇସ୍ରାଏଲୀ ସ୍ୱାଧିନତା ଆନ୍ଦୋଳନରେ ସାମିଲ ଥିଲେ। ମୁମ୍ବାଇର ପ୍ରସିଦ୍ଧ ସାମୁଏଲ୍ ଷ୍ଟ୍ରିଟ୍ ସାମୁଏଲ୍ ଦିଭେକରଙ୍କ ନାମରେ ନାମିତ। ଯିଏ ବେନେ ଇସ୍ରାଏଲୀ ସମ୍ପ୍ରଦାୟର ଥିଲେ। ମରାଠା ଲାଇଟ୍ ଇନଫ୍ୟାଣ୍ଟ୍ରିର କମାଣ୍ଡାଣ୍ଟ ଭାବରେ, ସେ ଟିପୁ ସୁଲତାନଙ୍କ ବିରୋଧରେ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ।

ଇସ୍ରାଏଲୀ କେବେ ସେମାନଙ୍କ ଆନୁଗତ୍ୟ ବଦଳାଇ ନଥିଲେ
ବେନେ ଇସ୍ରାଏଲୀ ସମ୍ପ୍ରଦାୟର କିଛି ପରିବାର ଜଞ୍ଜିରାର ଶାସକଙ୍କ ସେବାରେ ନିୟୋଜିତ ହୋଇଥିଲେ। ଯେତେବେଳେ ସେମାନେ ଏକ ଯୁଦ୍ଧରେ ମରାଠା ସେନା ହାତରେ ବନ୍ଦୀ ହୋଇଥିଲେ, ସେତେବେଳେ ସେମାନେ ସେମାନଙ୍କ ଆନୁଗତ୍ୟ ପରିବର୍ତ୍ତନ କରିବାକୁ ମନା କରିଥିଲେ। ଏପରିକି ନିଜ ଜୀବନ ବଳି ଦେଇଥିଲେ। ସେମାନଙ୍କ ଏପରି ବିଶ୍ୱସ୍ତତା ପାଇଁ, ମରାଠା ସେନାପତି ସେହି ପରିବାରର ଅନ୍ୟ ଦୁଇଜଣ ସଦସ୍ୟ, ସାମୁଏଲ୍ (ସମାଜି) ଏବଂ ଆବ୍ରାହାମ (ଆବାଜି) ଙ୍କୁ ମରାଠା ନୌସେନାରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଥିଲେ।

ଏପରି ଭାବେ ବେନେ ଇସ୍ରାଏଲ ଇହୁଦୀ ମହାରାଷ୍ଟ୍ର ଏବଂ ଭାରତର ଇତିହାସରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେମାନେ ମରାଠା ସାମ୍ରାଜ୍ୟର ସେନା ଏବଂ ନୌସେନାରେ ସେବା ଦେଇଥିଲେ। ଏହା ସହିତ ବ୍ୟବସାୟ ଏବଂ ସମାଜରେ ସେମାନଙ୍କର ଉପସ୍ଥିତି ସ୍ଥାପନ କରିଥିଲେ। ଏହା ସହିତ ଭାରତ-ଇସ୍ରାଏଲ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ ​​କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored