Videos
|
National

Viral Video / ଜିଲ୍ଲାପାଳ, ଏସ୍‌ପିଙ୍କ ସାମ୍ନାରେ ୧୩ ବର୍ଷର ବାଳକ... ଏମିତି କ'ଣ କହିଲା ଯେ, ଭିଡିଓ ଭାଇରାଲ୍

Sushanta Sahoo
Browse all articles by Sushanta Sahoo
·3 weeks ago·3 min read
ଜିଲ୍ଲାପାଳ, ଏସ୍‌ପିଙ୍କ ସାମ୍ନାରେ ୧୩ ବର୍ଷର ବାଳକ... ଏମିତି କ'ଣ କହିଲା ଯେ, ଭିଡିଓ ଭାଇରାଲ୍
13-Year-Old Boy Confronts District Magistrate Over Family Issues

Key Points

ପରିବାରର ଆର୍ଥିକ ସ୍ଥିତି, ମାଆଙ୍କ କଷ୍ଟକୁ ଆଖି ଆଗରେ ଦେଖୁଥିବା ଅମିତାଭ ଗୋଟି ଗୋଟି କରି ସବୁ ବଖାଣିଥିଲା । ନାବାଳକ ମୁହଁରୁ ଅନର୍ଗଳ ଅଭିଯୋଗ ଶୁଣିବା ପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଲକ୍ଷ୍ନୌ: ଚାଲିଥିଲା ଜନଶୁଣାଣି । ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଥିଲେ । ଆଉ ଭିଡ଼ ଭିତରେ ବଡ଼ ବଡ଼ ଅଧିକାରୀଙ୍କ ପାଖକୁ ହଠାତ୍ ଆସିଲା ଏକାକୀ ଜଣେ ୧୩ ବର୍ଷର ବାଳକ । ହଳିଦିଆ ରଙ୍ଗର ଟି-ଶାର୍ଟ ପିନ୍ଧି ବାଳକ ଜିଲ୍ଲାପାଳଙ୍କ ନିକଟକୁ ଗଲା ଆଉ ଆଖିରେ ଆଖି ମିଶାଇ ଅଭିଯୋଗ କଲା ।

୧୩ ବର୍ଷର ପୁଅର କଥା ଶୁଣି ଜିଲ୍ଲାପାଳ ଓ ଏସ୍‌ପି କ୍ଷଣିକ ପାଇଁ ଆଶ୍ଚର୍ଯ୍ୟ ହୋଇଗଲେ । ଠୋ ଠୋ କରି ହସିବାକୁ ଲାଗିଲେ । ହେଲେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ହସ ଓ ତାଗିଦ୍ ୧୩ ବର୍ଷର ଅମିତାଭ ଗୁପ୍ତାଙ୍କୁ ଅଟକାଇ ପାରି ନଥିଲା ।

ପରିବାରର ଆର୍ଥିକ ସ୍ଥିତି, ମାଆଙ୍କ କଷ୍ଟକୁ ଆଖି ଆଗରେ ଦେଖୁଥିବା ଅମିତାଭ ଗୋଟି ଗୋଟି କରି ସବୁ ବଖାଣିଥିଲା । ନାବାଳକ ମୁହଁରୁ ଅନର୍ଗଳ ଅଭିଯୋଗ ଶୁଣିବା ପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଉକ୍ତ ଅଭିଯୋଗର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ଆୟୋଜିତ ହୋଇଥିଲା ଏହି ଜନଶୁଣାଣି କାର୍ଯ୍ୟକ୍ରମ । ଯେଉଁଠି ଅମିତାଭ ଗୁପ୍ତା ନାମକ ଅଷ୍ଟମ ଶ୍ରେଣୀ ଛାତ୍ର ନିଜ ଘରର ସମସ୍ୟା ନେଇ ସିଧାସଳଖ ଜିଲ୍ଲାପାଳଙ୍କ ପାଖକୁ ପହଞ୍ଚିଥିଲେ ।

ଅମିତାଭ କହିଥିଲେ, ତାଙ୍କ ବାପା ମାନସିକ ଭାବେ ଅସୁସ୍ଥ । ଲୋକଙ୍କ ଘରେ କାମ କରି ପରିବାର ଚଳାଉଛନ୍ତି ମାଆ । ସେମାନେ ରହୁଥିବା ଘରର ଗୋଟିଏ ଅଂଶକୁ ପରିବାରର ଜଣେ ସମ୍ପର୍କୀୟ ତାଲା ପକାଇ ରଖିଛନ୍ତି । ଏହି ତାଲା ଖୋଲିବା ପାଇଁ ସେମାନେ ଅନେକ ଥର ପ୍ରଶାସନକୁ ଅଭିଯୋଗ କରିଛନ୍ତି । କିନ୍ତୁ ସମସ୍ୟାର ସମାଧାନ ହେଉ ନାହିଁ ।


ଜନଶୁଣାଣି ସମୟରେ ଅଧିକାରୀ 'କାମ କରିଦେବୁ' ବୋଲି କହିବା ପରେ ଅମିତାଭ ତୁରନ୍ତ କହିଥିଲେ, "କରିଦେବୁ ନୁହେଁ, ଶୀଘ୍ର କରିଦିଅନ୍ତୁ । କେବଳ କହିଲେ ହେବନି ।" ତାଙ୍କ ଏହି କଥା ସେଠାରେ ଥିବା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା ।

ଅମିତାଭଙ୍କୁ ପାଠପଢ଼ାରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କିନ୍ତୁ ଅମିତାଭ କହିଥିଲେ, ଘରର ସମସ୍ୟା ଓ ଆର୍ଥିକ କଷ୍ଟ ଏତେଯେ ପଢ଼ିବା ସମ୍ଭବ ନୁହେଁ । ମାଆଙ୍କ ଆୟରେ ଘର ଚଳାଇବା ସହ ପଢ଼ାର ଖର୍ଚ୍ଚ ବହନ କରିବା କଷ୍ଟକର ହୋଇ ପଡ଼ିଛି ।

ଏଥିସହ ପଢ଼ନ୍ତୁ: ହସ୍ପିଟାଲ୍ ଭିତରେ ନର୍ସଙ୍କୁ ହତ୍ୟା; ଅଭିଯୁକ୍ତଙ୍କୁ ଧରାଇଦେଲା ସୁଇସାଇଡ୍ ନୋଟ୍ 

କଥାବାର୍ତ୍ତା ସମୟରେ ସେ ପୋଲିସ ଅଧିକାରୀଙ୍କୁ ନେଇ ପ୍ରଶ୍ନ କରିଥିଲେ । କହିଥିଲ, "ଟଙ୍କା ନ ଦେଲେ ଆପଣ କିଛି କରିବେ ନାହିଁ ।" ଯାହାପରେ ଏଭଳି ନ କହିବା ଲାଗି ଜିଲ୍ଲାପାଳ ୧୩ ବର୍ଷର ଅମିତାଭଙ୍କୁ ବୁଝାଇଥିଲେ ।

ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସ୍ଥାନୀୟ ପୋଲିସ ଅମିତାଭଙ୍କ ଘରକୁ ଯାଇ ପରିବାର ସହ ଆଲୋଚନା କରିଛି । ଅମିତାଭଙ୍କ ମାଆଙ୍କ ଅନୁସାରେ, ପୁଅ ସ୍କୁଲକୁ ଯାଉଛି ବୋଲି ଘରୁ ବାହାରିଥିଲା । ହେଲେ ସେ ପହଞ୍ଚିଥିଲା ଜନଶୁଣାଣିରେ । ପରିବାର ଏବେ ମଧ୍ୟ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ପ୍ରଶାସନ ଏଥର ସେମାନଙ୍କ ସମସ୍ୟାର ସମାଧାନ କରିବ ବୋଲି ଆଶା ରଖିଛି ପରିବାର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
13-Year-Old Boy's Bold Reply to DM Goes Viral in Uttar Pradesh | Argus News