24 ମହାଲଢ଼େଇ ପାଇଁ ଆସନ୍ତାକାଲି ତାରିଖ ଘୋଷଣା

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍। ଆଉ କେଇ ଘଣ୍ଟାର ଅପେକ୍ଷା। 2024 ମହାଲଢ଼େଇ ପାଇଁ ଆସନ୍ତାକାଲି ବିଗୁଲ ବଜାଇବେ ଜାତୀୟ ନିର୍ବାଚନ କମିଶନ। ଲୋକସଭା ସମେତ 4ଟି ରାଜ୍ୟ, ଓଡ଼ିଶା, ସିକ୍କିମ, ଅରୁଣାଚଳପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ବିଧାନସଭା ପାଇଁ ଶନିବାର ଅପରାହ୍ନ 3ଟାରେ କରିବେ ନିର୍ବାଚନ ତାରିଖ ଘୋଷଣା। ଏଥର ଦେଶର 96 କୋଟି 88 ଲକ୍ଷ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ଏମାନଙ୍କ ମଧ୍ୟରେ ଅଛନ୍ତି 18-19 ବର୍ଷ ବୟସର ପ୍ରାୟ 1 କୋଟି 85 ଲକ୍ଷ ନୂଆ ଭୋଟର । 2019 ଲୋକସଭା ନିର୍ବାଚନ ତୁଳନାରେ ଏଥର ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା 6 ପ୍ରତିଶତ ବଢ଼ିଛି ।
ଏଥର 7ରୁ8ଟି ପର୍ଯ୍ୟାୟରେ ହୋଇପାରେ ଲୋକସଭା ନିର୍ବାଚନ । 2019 ଲୋକସଭା ନିର୍ବାଚନରେ 7ଟି ପର୍ଯ୍ୟାୟରେ ହୋଇଥିଲା ଭୋଟ୍ ଗ୍ରହଣ । 2019 ମାର୍ଚ୍ଚ 10 ତାରିଖରେ ହୋଇଥିଲା ତାରିଖ ଘୋଷଣା। ଏପ୍ରିଲ 11 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଏବଂ ମେ 19 ତାରିଖରେ ହୋଇଥିଲା ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ। ଏହାର 4 ଦିନ ପରେ ଅର୍ଥାତ୍ ମେ 23 ତାରିଖରେ ହୋଇଥିଲା ଭୋଟ୍ ଗଣତି।
2019 ନିର୍ବାଚନରେ 2014ଠାରୁ ବି ବଡ଼ ବିଜୟ ହାସଲ କରିଥିଲା ବିଜେପି ଓ NDA । ଲୋକସଭାର ମୋଟ 543ଟି ଆସନ ମଧ୍ୟରୁ 2019ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେବଳ ବିଜେପି 303ଟି ଆସନରେ ବିଜୟୀ ହୋଇଥିବାବେଳେ NDAକୁ ମିଳିଥିଲା 353ଟି ସିଟ୍। ବିଜେପିକୁ 37.7 ପ୍ରତିଶତ ଓ NDAର ଭୋଟ୍ ହାର ଥିଲା 45 ପ୍ରତିଶତ। ସ୍ପଷ୍ଟ ବହୁମତ ପାଇଁ ଲଗାତାର ଦ୍ବିତୀୟ ଥର କ୍ଷମତାସୀନ ହୋଇଥିଲା ବିଜେପି ନେତୃତ୍ବାଧୀନ NDA ମେଣ୍ଟ। ଲଗାତାର ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦି। 2019ରେ କଂଗ୍ରେସକୁ ମିଳିଥିଲା ମାତ୍ର 52ଟି ଆସନ। ଏଥର ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ।
📱 Get Argus News App
✨ଗତ ଦୁଇଟି ନିର୍ବାଚନରେ ତାରିଖ ଘୋଷଣା ଓ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ମଧ୍ୟରେ ଥିଲା 40ରୁ 50 ଦିନର ସମୟ । ଅର୍ଥାତ୍ ଆଗାମୀ 40ରୁ 50 ଦିନ ଭିତରେ ଦେଶ ସାଧାରଣ ନିର୍ବାଚନକୁ ଯାଉଥିବାବେଳେ ଏଥର ମୋଦିଙ୍କ ନେତୃତ୍ବରେ ଲଗାତାର ତୃତୀୟ ଲୋକସଭା ନିର୍ବାଚନ ଲଢ଼ିବ NDA ମେଣ୍ଟ । ପୂର୍ବ ଦୁଇ ନିର୍ବାଚନ ଭଳି ଏଥର ବି ଜୋରଦାର ମୋଦି ଲହର । ଲୋକପ୍ରିୟତା ଗ୍ରାଫରେ ଶୀର୍ଷରେ ରହି ସାରା ଦେଶରେ ଛାଇ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୋଟରଙ୍କୁ ଆକୃଷ୍ଟ କରୁଛି ମୋଦି ଗ୍ୟାରେଣ୍ଟି । ଏଥିପାଇଁ ତ ନିର୍ବାଚନ ପୂର୍ବରୁ ଆସିଥିବା ପ୍ରାୟ ସବୁ ଜନମତ ସର୍ଭେରେ ମୋଦିଙ୍କ ନେତୃତ୍ବାଧୀନ NDA ମେଣ୍ଟକୁ ସ୍ପଷ୍ଟ ବହୁମତ ସହ ଅପୂର୍ବ ସଫଳତା ମିଳିବାକୁ ଯାଉଥିବା ଦର୍ଶାଯାଇଛି ।
ଆହୁରି ପଢନ୍ତୁ ରାଜନୀତି ଖବର...
