India To Dubai / ଭାରତରେ ଭଲ ଚାକିରି ଓ ୬ ଅଙ୍କର ଦରମା ଛାଡ଼ି ଦୁବାଇ ଗଲେ CA, ଆଉ ତା'ପରେ...

Key Points
ଭାରତରେ ଭଲ ଚାକିରି ଓ ୬ ଅଙ୍କର ଦରମା ଛାଡ଼ି ଦୁବାଇ ଗଲେ CA, ଆଉ ତା'ପରେ...
୩ ବର୍ଷରେ କିଣିଲେ ଘର ଓ କାର୍; ଜାଣନ୍ତୁ ଜୟ ମେହେତାଙ୍କ ସଫଳତାର କାହାଣୀ
ଭାରତରେ ଭଲ ଚାକିରି ଓ ୬ ଅଙ୍କର ଦରମା ପାଉଥିବା ସତ୍ତ୍ୱେ ରାଜସ୍ଥାନର ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଦୁବାଇ ଯିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ନୂଆ ଦେଶରେ ତାଙ୍କ ପାଇଁ ଯାତ୍ରା ଏତେ ସହଜ ନଥିଲା । ଚାକିରିର ଚାପ, ଏକାକୀପଣ, ଚାକିରି ଖୋଜିବା ଏବଂ ଘର କଥା ମନେ ପଡ଼ିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ।
କିନ୍ତୁ ଆଜି ତିନି ବର୍ଷ ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି । ବର୍ତ୍ତମାନ ସେ ଦୁବାଇର ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀରେ ଫାଇନାନ୍ସ ହେଡ୍ ଭାବେ କାମ କରୁଛନ୍ତି । ଏହି ସମୟ ମଧ୍ୟରେ ସେ ନିଜର ପ୍ରଥମ କାର୍ ଓ ଘର ମଧ୍ୟ କିଣିଛନ୍ତି । ତାଙ୍କ ନାମ ହେଉଛି ଜୟ ମେହେତା ।
ରାଜସ୍ଥାନର ସିକର ଜିଲ୍ଲାର ଖଣ୍ଡେଲା ଅଞ୍ଚଳର ଛୋଟ ଗାଁ କେରପୁରାରୁ ଆସିଥିବା ଜୟ ୨୬ ନଭେମ୍ବର ୨୦୨୩ରେ ଦୁବାଇରେ ପହଞ୍ଚିଥିଲେ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ନିଜର ତିନି ବର୍ଷର ସଂଘର୍ଷ ଓ ସଫଳତାର କାହାଣୀ ବଖାଣିଛନ୍ତି ।
ଏଥି ସହ ପଢନ୍ତୁ: ATMରୁ ଟଙ୍କା ଉଠାଣ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ RBIର ନୂଆ ନିୟମ...
ICICI ବ୍ୟାଙ୍କରୁ ଆରମ୍ଭ ହୋଇଥିଲା କ୍ୟାରିୟର
ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେବା ପରେ ଜୟ ମେହେତା ICICI ବ୍ୟାଙ୍କରେ କ୍ରେଡିଟ୍ ମ୍ୟାନେଜର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଗୁରୁଗ୍ରାମ ଯାଇ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଫାଇନାନ୍ସ ଆନାଲିଷ୍ଟ ଭାବେ କାମ କରିଥିଲେ।
ଭାରତରେ ଭଲ ଦରମା ଓ ସୁରକ୍ଷିତ ଚାକିରି ଥିବା ସତ୍ତ୍ୱେ ସେ ଦୁବାଇ ଯିବାକୁ ମନସ୍ଥ କରିଥିଲେ । ଜୟଙ୍କ କହିବା ଅନୁସାରେ, ସେ ଏପରି ଏକ ସ୍ଥାନକୁ ଯିବାକୁ ଚାହୁଁଥିଲେ, ଯେଉଁଠାରେ ତାଙ୍କୁ କେହି ଜାଣିନଥିବେ । ନିଜ କ୍ୟାରିୟରରେ ଆଗକୁ ବଢ଼ିବା ସହ ଏକ ନୂଆ ପରିବେଶରେ ନିଜକୁ ପରଖିବା ତାଙ୍କର ଲକ୍ଷ୍ୟ ଥିଲା ।
ଦୁବାଇରେ ପ୍ରଥମ ୩୦ ଦିନ ଥିଲା ସବୁଠାରୁ କଷ୍ଟକର
ଜୟଙ୍କ କହିବା ଅନୁସାରେ, ଦୁବାଇରେ ପହଞ୍ଚିବା ପରେ ପ୍ରଥମ ୩୦ ଦିନ ତାଙ୍କ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା । ସେ ଚାରି ଜଣ ଅଜଣା ବ୍ୟକ୍ତିଙ୍କ ସହ ଏକ ଶେୟାରିଂ ଆପାର୍ଟମେଣ୍ଟରେ ରହୁଥିଲେ । ଏପରିକି ଶାକାହାରୀ ଖାଦ୍ୟ ଖୋଜିବା ମଧ୍ୟ ତାଙ୍କ ପାଇଁ ସହଜ ନଥିଲା ।
ନୂଆ ସହରରେ ଏକାକୀ ରହିବା ଓ ଚାକିରି ଖୋଜିବା ଚାପ ମଧ୍ୟରେ ତାଙ୍କୁ ବାରମ୍ବାର ଘର କଥା ମନେ ପଡ଼ୁଥିଲା । ଥରେ ଏକ କାଫେରେ ଏକୁଟିଆ ବସି ଖାଇବା ସମୟରେ ସେ କାନ୍ଦି ପକାଇଥିଲେ ବୋଲି ନିଜ ଭିଡିଓରେ କହିଛନ୍ତି । ସେତେବେଳେ ଦୁବାଇ ଆସିବାର ନିଷ୍ପତ୍ତି ଠିକ୍ ଥିଲା କି ନାହିଁ, ତାହା ନେଇ ମଧ୍ୟ ତାଙ୍କ ମନରେ ଦ୍ୱନ୍ଦ୍ୱ ଥିଲା । ତେବେ ତାଙ୍କର ଚାକିରି ଖୋଜିବା ପ୍ରକ୍ରିୟା ଅଧିକ ଦିନ ଚାଲିନଥିଲା । ଦୁବାଇରେ ପହଞ୍ଚିବାର ମାତ୍ର ୨୫ ଦିନ ମଧ୍ୟରେ ତାଙ୍କୁ ପ୍ରଥମ ଚାକିରି ମିଳିଯାଇଥିଲା । ବର୍ତ୍ତମାନ ସେ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀରେ ଫାଇନାନ୍ସ ହେଡ୍ ଭାବେ କାର୍ଯ୍ୟରତ । କମ୍ପାନୀର ଫାଇନାନ୍ସ, ଆକାଉଣ୍ଟିଂ, ରିପୋର୍ଟିଂ, ଟ୍ୟାକ୍ସ ଏବଂ ନିୟମାବଳୀ ପାଳନ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସେ ସମ୍ଭାଳୁଛନ୍ତି ।
ତିନି ବର୍ଷରେ କିଣିଲେ ପ୍ରଥମ ଘର ଓ କାର୍
ଦୁବାଇରେ କେବଳ କ୍ୟାରିୟର ନୁହେଁ, ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ସଫଳତା ହାସଲ କରିଛନ୍ତି ଜୟ । ତାଙ୍କ ପତ୍ନୀ ମଧ୍ୟ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । ଜୟଙ୍କ ଅନୁସାରେ, ଉଭୟେ ମିଶି ନିୟମିତ ସଞ୍ଚୟ ଓ ସଠିକ୍ ଆର୍ଥିକ ଯୋଜନା ମାଧ୍ୟମରେ UAEରେ ନିଜର ପ୍ରଥମ ଘର ଓ କାର୍ କିଣିବାର ସ୍ୱପ୍ନ ପୂରଣ କରିଛନ୍ତି । ସେ ଅଯଥା ଖର୍ଚ୍ଚ ଓ ଦେଖାଦେଖିରୁ ଦୂରେଇ ରହୁଥିଲେ । ଭଲ ଜୀବନଶୈଳୀ ବଜାୟ ରଖିବା ସହିତ ନିୟମିତ ସଞ୍ଚୟ କରୁଥିଲେ । ଏହା ସହ ଭାରତରେ ରହୁଥିବା ନିଜ ପରିବାରକୁ ମଧ୍ୟ ଆର୍ଥିକ ସହାୟତା ପଠାଉଥିଲେ ।
ବିଦେଶ ଯିବାକୁ ଚାହୁଁଥିବା ଯୁବକଙ୍କୁ ଦେଲେ ଏହି ପରାମର୍ଶ
ଜୟଙ୍କ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । ବିଦେଶରେ ଚାକିରି ଖୋଜୁଥିବା ଭାରତୀୟଙ୍କୁ ସେ ପରାମର୍ଶ ଦେଇଛନ୍ତି ଯେ, ବିଦେଶ ଯିବା ପୂର୍ବରୁ ନିଜର ଆର୍ଥିକ ଯୋଜନା ଭଲ ଭାବେ ପ୍ରସ୍ତୁତ କରିବା ଆବଶ୍ୟକ ।
ନୂଆ ଦେଶରେ ଜୀବନ ଆରମ୍ଭ କରିବା ସହଜ ନୁହେଁ । ସେଠାରେ ପହଞ୍ଚିବା ମାତ୍ରେ ସବୁକିଛି ଠିକ୍ ହୋଇଯିବ ବୋଲି ଆଶା କରିବା ଉଚିତ୍ ନୁହେଁ । ବିଦେଶରେ କ୍ୟାରିୟର ଗଢ଼ିବା ପାଇଁ ଧୈର୍ଯ୍ୟ, ନିରନ୍ତର ପରିଶ୍ରମ ଏବଂ ଆବଶ୍ୟକ ପଡ଼ିଲେ ଶୂନରୁ ଆରମ୍ଭ କରିବାର ମାନସିକତା ରହିବା ଦରକାର । ଜୟ ମେହେତାଙ୍କ ଏହି ଯାତ୍ରା ପ୍ରମାଣ କରୁଛି ଯେ, ସଫଳତା ପାଇଁ କେବଳ ଭଲ ଚାକିରି ନୁହେଁ, ବରଂ ସାହସ, ଧୈର୍ଯ୍ୟ, ସଠିକ୍ ଯୋଜନା ଓ ନିରନ୍ତର ପ୍ରୟାସ ମଧ୍ୟ ଜରୁରୀ ।
📱 Get Argus News App
✨Related Topics
Explore more stories