Justice / ୪ ବର୍ଷ ଧରି ମିଳିଥିଲା ବିବାହ ପ୍ରତିଶ୍ରୁତି, ଶେଷରେ ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ

Key Points
୪ ବର୍ଷ ଧରି ମିଳିଥିଲା ବିବାହ ପ୍ରତିଶ୍ରୁତି, ଶେଷରେ ଭିଡିଓ କରି ଆତ୍ମହତ୍ୟା କଲେ ଯୁବତୀ ।
ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ତାଜଗଞ୍ଜ ଥାନା ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ତାଜଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି, ଯେଉଁଥିରେ କି ଜଣେ ପୋଲିସ କନଷ୍ଟେବଳଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ବିବାହର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ଅଧିକ ସମୟ ଧରି ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା । ତାଙ୍କ ମୃତ୍ୟୁ ପରେ, ଏହି ମାମଲାର ତଦନ୍ତ ପୋଲିସ ଆରମ୍ଭ କରିଛି ।
ଭାଇରାଲ ଭିଡିଓରେ ମୃତ ଯୁବତୀ ଜଣକ ଅଭିଯୁକ୍ତ କନଷ୍ଟେବଳ ଜେବି ଗୌତମଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ କହିବା ଅନୁଯାୟୀ, ଗୌତମ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗତ ଚାରି ବର୍ଷ ଧରି ସ୍ତ୍ରୀ ଭାବରେ ରଖି ଆସୁଥିଲେ । ମାତ୍ର ବିବାହ ପାଇଁ ଚାପ ପକାଇବା ପରେ କନଷ୍ଟେବଳ ଜଣକ ପରିବାରର ଅସମ୍ମତି ଦର୍ଶାଇ ପଛଘୁଞ୍ଚା ଦେବା ସହ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।
ଭିଡିଓରେ ସେ ଅତ୍ୟନ୍ତ ଭାବପ୍ରବଣ ହୋଇ କହିଛନ୍ତି ଯେ, ଅଭିଯୁକ୍ତ ନିଜେ ପୋଲିସ ହୋଇଥିବାରୁ ତାଙ୍କୁ ନ୍ୟାୟ ମିଳିବ କି ନାହିଁ ସେ ନେଇ ସେ ଆଶଙ୍କାରେ ଥିଲେ । ଘଟଣାଟି ସାମ୍ନାକୁ ଆସିବା ପରେ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଡିସିପି ସିଟି ଅଲି ଆବାସଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତୁରନ୍ତ ତଦନ୍ତ କରାଯାଇ ଅଭିଯୁକ୍ତ କନଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯିବା ସହ ଗିରଫ କରି ଜେଲ ପଠାଯାଇଛି ।
ପୀଡ଼ିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ପୋଲିସ ଏବେ ଭାଇରାଲ ଭିଡିଓକୁ ମୁଖ୍ୟ ପ୍ରମାଣ ଭାବେ ଗ୍ରହଣ କରିଛି । ଜଣେ ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକଳାପ ବିଭାଗ ପାଇଁ ଲଜ୍ୟାଜନକ ହୋଇଥିବା ବେଳେ, ପୋଲିସ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି । ଯୁବତୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ବୈଷୟିକ ଓ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରାଯାଉଛି ।
ଏଥିସହ ପଢ଼ନ୍ତୁ: ଭାଇ ହେଲା ଭଗାରି; ବାଡ଼େଇ ବାଡ଼େଇ ବଡ଼ଭାଇ ଓ ମାଆକୁ ମାରିଦେଲା ସାନ ପୁଅ
📱 Get Argus News App
✨Related Topics
Explore more stories