Amity କ୍ୟାମ୍ପସରେ ହାଇଡ୍ରାମା, କାରରେ ପୂରାଇ ଛାତ୍ରଙ୍କୁ ମାରିଲେ ୬୦ ଚାପୁଡ଼ା...ଭାଇରାଲ ହେଲା ଭିଡିଓ

Key Points
ଲକ୍ଷ୍ନୌର Amity ବିଶ୍ବ ବିଦ୍ୟାଳୟରେ ହାଇଡ୍ରାମା । କାରରେ ପୂରାଇ ଜଣେ ଛାତ୍ରଙ୍କୁ ୬୦ ଚାପୁଡ଼ା ମାରିଲେ ଯୁବତୀ । ଭାଇରାଲ ହେଲା ଭିଡିଓ ।
ଲକ୍ଷ୍ନୌର Amity ବିଶ୍ବ ବିଦ୍ୟାଳୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଛାତ୍ରଙ୍କୁ ତାଙ୍କ ସହପାଠୀ କ୍ୟାମ୍ପସରେ ପାର୍କିଂ ହୋଇଥିବା ଏକ କାର ଭିତରେ ୫୦-୬୦ ଥର ଚାପୁଡ଼ା ମାରିଥିବା ଅଭିଯୋଗ ହୋଇ । ଏହି ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ୨୬ ଅଗଷ୍ଟରେ ବିଶ୍ୱବିଦ୍ୟାଳୟ ପାର୍କିଂରେ ଘଟିଥିଲା। ପୀଡିତ ଛାତ୍ର ଜଣଙ୍କ ହେଉଛନ୍ତି ଶିଖର ମୁକେଶ କେଶରୱାନି ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ପିତା ଏହି ମାମଲାରେ ଆୟୁଷ ଯାଦବ, ଜାହ୍ନବୀ ମିଶ୍ର, ମିଲୟ ବାନାର୍ଜୀ, ବିବେକ ସିଂହ ଏବଂ ଆର୍ଯ୍ୟମାନ ଶୁକ୍ଲା ସମେତ କିଛି ଛାତ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଶିଖରଙ୍କ ପିତା କହିଛନ୍ତି ଯେ ଏହି ଘଟଣା ତାଙ୍କ ପୁଅ ଉପରେ ଗଭୀର ପ୍ରଭାବ ପକାଇଛି। ବିଏ ଏଲଏଲବି ଛାତ୍ର ଶିଖର ଏବେ ଭୟଭୀତ ଅଛନ୍ତି ଏବଂ କଲେଜ ଯିବାକୁ ଡରୁଛନ୍ତି । ସେ କହିଛନ୍ତି ଯେ ଶିଖର ବିଶ୍ବବିଦ୍ୟାଳୟର ପାର୍କିଂରେ ପହଞ୍ଚିବା ପରେ କିଛି ଛାତ୍ର ତାଙ୍କୁ ଘେରିଯାଇଥିଲେ । କଥା ହେବା ବାହାନାରେ ପ୍ରଥମେ କାରରେ ବସିଗଲେ । ଆଉ ଏହା ପରେ ସେମାନେ ତାଙ୍କୁ ଧମକ ଦେଲେ, ଗାଳି କଲେ ଏବଂ ପରେ ଆକ୍ରମଣ କଲେ ।
ଶିଖରଙ୍କ ବାପା କହିଛନ୍ତି ଯେ ତାଙ୍କ ପୁଅର ଅଗଷ୍ଟ ୧୧ ତାରିଖରେ ଲିଗାମେଣ୍ଟ ଅସ୍ତ୍ରୋପଚାର ହୋଇଥିଲା । ସେ ଠିକରେ ଚାଲିମଧ୍ୟ ପାରୁନଥଲେ । ଏହି ଅବସ୍ଥାରେ, ଅଭିଯୁକ୍ତ ଜାହ୍ନବୀ ମିଶ୍ର ଏବଂ ଆୟୁଷ ଯାଦବ ତାଙ୍କୁ ୫୦-୬୦ ଥର ଚାପୁଡ଼ା ମାରିଥିଲେ ଏବଂ ତାଙ୍କ ପରିବାରକୁ ଗାଳି ଦେବା ସହିତ ତାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ସେ ଆହୁରି କହିଛନ୍ତି ଯେ ବିବେକ ସିଂହ ଏବଂ ମିଲୟ ବାନାର୍ଜୀ ଏହି ସମ୍ପୂର୍ଣ୍ଣ ଆକ୍ରମଣ ସମୟର ଭିଡିଓ ସୁଟିଂ କରି କଲେଜ୍ କ୍ୟାମ୍ପସରେ ଭାଇରାଲ କରିଥିଲେ ।
କେବଳ ଏତିକି ନୁହେଁ, ଶିଖରଙ୍କ ଫୋନ୍ ମଧ୍ୟ ଭାଙ୍ଗି ଦେଇଥିଲା । ଯେତେବେଳେ ସେ ନିଜେ କଲେଜରେ ପହଞ୍ଚିଲେ, ଅଭିଯୁକ୍ତମାନେ ତାଙ୍କୁ ଭୟଭୀତ କରାଇ ଧମକ ଦେଇଥିଲେ ଯେ ଯଦି ସେ ପୁଣି କଲେଜକୁ ଆସନ୍ତି, ତେବେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରାଯିବ। ଭାଇରାଲ ଭିଡିଓରେ, ଦେଖିବାକୁ ମିଳୁଛି ଯେ କାରର ଆଗ ସିଟରେ ବସିଥିବା ଜଣେ ଝିଅ ପୀଡିତ ଛାତ୍ରଙ୍କ ବାମ ଗାଲରେ ଚାପୁଡ଼ା ମାରୁଛି। ସେ ତାଙ୍କୁ ଗାଳି ମଧ୍ୟ ଦେଉଛି ।