ବାଂଲାଦେଶ ସ୍ଥିତି ଓ ଆଗାମୀ ରଣନୀତିକୁ ନେଇ ସଂସଦରେ ସର୍ବଦଳୀୟ ବୈଠକ

ଅର୍ଗସ ବ୍ୟୁରୋ : ପାକିସ୍ତାନ, ଶ୍ରୀଲଙ୍କା ପରେ ବାଂଲାଦେଶ। ଭାରତର ଆଉ ଏକ ପଡ଼ୋଶୀ ଦେଶରେ ସରକାର ବିରୋଧରେ ହୋଇଛି ଜୋରଦାର ବିଦ୍ରୋହ। ସ୍ଥିତି ଏମିତି ହୋଇଛି ଦେଶ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହାସିନା। ହିଂସାର ନିଆଁରେ ଜଳୁଛି ବାଂଲାଦେଶ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଭାରତରେ ଶରଣ ନେଇଛନ୍ତି। ବାଂଲାଦେଶରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଦୃଷ୍ଟିରୁ ବଢ଼ିଛି ଭାରତ ସରକାରଙ୍କ ଚିନ୍ତା। ନୂଆଦିଲ୍ଲୀରେ ବଢ଼ିଯାଇଛି ହଲଚଲ। ପଡ଼ୋଶୀ ଦେଶର ସ୍ଥିତି ଉପରେ ଚର୍ଚ୍ଚା କରିବା ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିବାକୁ ସଂସଦ ଭବନରେ ହୋଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ରାଜ୍ୟସଭାରେ ଶାସକ ଦଳ ନେତା ଜେ. ପି ନଡ୍ଡା, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ବାଂଲାଦେଶର ସ୍ଥିତି ଉପରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାଂଲାଦେଶରେ 12ରୁ13 ହଜାର ଭାରତୀୟ ଅଛନ୍ତି । ସ୍ଥିତି ଏତେ ଚିନ୍ତାଜନକ ହୋଇନାହିଁ ।
ଅଧିକ ପଢନ୍ତୁ : ବାଂଲାଦେଶର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା
ସେମାନଙ୍କୁ ଏୟାରଲିଫ୍ଟ କରିବା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ। ଅନ୍ୟପଟେ ଶେଖ୍ ହାସିନା ଭାରତରେ ରହିବେ ବା ଅନ୍ୟ କେଉଁ ଦେଶରେ ରାଜନୈତିକ ଶରଣ ନେବେ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ । ଭାରତ ସରକାର ହସିନାଙ୍କ ସହ ସଂକ୍ଷିପ୍ତ ଆଲୋଚନା କରିଛନ୍ତି । ଶେଖ୍ ହାସିନା ତାଙ୍କର ଭବିଷ୍ୟତ ଯୋଜନା ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ସର୍ବଦଳୀୟ ବୈଠକରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, କେ. ସି ବେଣୁଗୋପାଳ ବୈଠକରେ ଯୋଗ ଦେଇଥିଲେ। ଡିଏମକେ ନେତା ଟି ଆର୍ ବାଲୁ, ଜେଡିୟୁ ନେତା ଲଲ୍ଲନ ସିଂ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ଆରଜେଡିରୁ ମିସା ଭାରତୀ, ବିଜେଡିର ସସ୍ମିତ ପାତ୍ର, ଏନସିପିର ସୁପ୍ରିୟା ସୁଲେ, ଟିଡିପିର ରାମମୋହନ ନାଇଡୁ ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ।