Videos
|
National

Temple Stampede / ଶ୍ରାବଣ ସୋମବାରରେ ଜଳାଭିଷେକ ବେଳେ ଅଘଟଣ; ଦଳାଚକଟାରେ ୭ ଶ୍ରଦ୍ଧାଳୁ ମୃତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଶ୍ରାବଣ ସୋମବାରରେ ଜଳାଭିଷେକ ବେଳେ ଅଘଟଣ; ଦଳାଚକଟାରେ ୭ ଶ୍ରଦ୍ଧାଳୁ ମୃତ
7 Dead During Shravan Somvar

Key Points

ଶ୍ରାବଣ ତୃତୀୟ ସୋମବାରରେ ଜଳାଭିଷେକ ବେଳେ ଅଘଟଣ
ବିଦ୍ୟୁତ୍ ତାର ଛିଡ଼ିବା ଗୁଜବରୁ ମନ୍ଦିରରେ ଦଳାଚକଟା ସ୍ଥିତି
ମନ୍ଦିରରେ ଆଖି ବୁଜିଲେ ୭ ଶ୍ରଦ୍ଧାଳୁ, ୧୨ରୁ ଅଧିକ ଆହତ
ବିହାର ଲଖିସରାଇର ଅଶୋକଧାମ ମନ୍ଦିରରେ ଦଳାଚକଟା
ପାଟନା: ଶ୍ରାବଣ ମାସର ତୃତୀୟ ସୋମବାରରେ ବିଭିନ୍ନ ଶୈବ ପୀଠରେ ଗହଳି ଦେଖିବାକୁ ମିଳିଛି । ମହାଦେବଙ୍କ ନିକଟରେ ଜଳ ଲାଗି କରିବାକୁ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ ଗୁଜବ ଯୋଗୁଁ ୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି ।

ବିହାରର ଲଖିସରାଇ ସ୍ଥିତ ପ୍ରସିଦ୍ଧ ଅଶୋକଧାମ ମନ୍ଦିରରେ ଦଳାଚକଟାରେ ଆଖି ବୁଜିଛନ୍ତି ୭ ଜଣ ଶ୍ରଦ୍ଧାଳୁ । ସୂଚନା ଅନୁସାରେ, ଶ୍ରାବଣ ତୃତୀୟ ସୋମବାରରେ ଶିବଙ୍କ ନିକଟରେ ଜଳାଭିଷେକ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା । ବ୍ୟାରିକେଡ୍ ଦେଇ ଆଗକୁ ବଢ଼ୁଥିଲେ ଶ୍ରଦ୍ଧାଳୁ ।

ଆସ୍ଥା ଓ ବିଶ୍ଵାସର ସହ ଆଗକୁ ଭକ୍ତମାନେ ବଢ଼ୁଥିବା ବେଳେ ହଠାତ୍ ବିଦ୍ୟୁତ୍ ତାର୍ ଛିଡ଼ିବା ନେଇ କେହି ଗୁଜବ କରିଥିଲେ । ଆଉ ଜୀବନ ବିକଳରେ ବ୍ଯାରିକେଡ୍ ଭାଙ୍ଗି ଶ୍ରଦ୍ଧାଳୁ ଠେଲାପେଲା ହୋଇ ଦୌଡ଼ିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୧୨ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଦଳାଚକଟା ସୂଚନା ମିଳିବା ମାତ୍ରେ ପୋଲିସ, ପ୍ରଶାସନିକ ଅଧିକାରୀ ଓ ମେଡିକାଲ୍ ଟିମ୍ ପହଞ୍ଚିଥିଲେ । ଆହତଙ୍କୁ ତୁରନ୍ତ ଲଖିସରାଇ ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗମ୍ଭୀର ଥିବା କୁହାଯାଉଛି । ଏବେ ମନ୍ଦିରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୋଲିସ ଅନୁସାରେ, ୭ ମୃତକଙ୍କ ମଧ୍ୟରୁ ୪ ଜଣଙ୍କ ପରିଚୟ ମିଳିଛି । ୪ ମୃତକ ହେଲେ- ହେମଲତା, ଲଳିତା ଦେବୀ, ରିଙ୍କୁ ଦେବୀ ଓ ମନମାଳା ଦେବୀ । ଅନ୍ୟ ମୃତକଙ୍କ ପରିଚୟ ଜାଣିବାକୁ ପୋଲିସ ପ୍ରୟାସ ଜାରି ରଖିଥିବା ସୂଚନା ଦେଇଛି ।

ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର 

ଗୁଜବରୁ ଦଳାଚକଟା

ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଅନୁସାରେ, ଦଳାଚକଟା ସମୟରେ ମନ୍ଦିରରେ ପ୍ରବଳ ଭିଡ଼ ଥିଲା । ଜଳାଭିଷେକ ପାଇଁ ଭକ୍ତ ଲମ୍ବା ଧାଡ଼ିରେ ଥିବା ବେଳେ କେହି ବିଦ୍ୟୁତ୍ ତାର ଛିଡ଼ି ପଡ଼ୁଥିବା କହିଥିଲେ । ଫଳରେ ଲୋକେ ଜୀବନ ବିକଳରେ ଠେଲାପେଲା କରି ଦୌଡ଼ିଥିଲେ । ଦଳାଚକଟାରେ ଅନେକ ମହିଳା ତଳେ ପଡ଼ି ଯାଇଥିଲେ ।

ଲଖିସରାଇ ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର କହିଛନ୍ତି, "ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ଭୋର୍ ସାଢ଼େ ୩ଟାରୁ ପ୍ରଶାସନିକ ଅଧିକାରୀ ମନ୍ଦିରରେ ଉପସ୍ଥିତ ଥିଲେ । ୨ଟି ଟ୍ରେନ୍ ରହିବାରୁ ମନ୍ଦିରରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଥିଲା ।"

ସେ କହିଛନ୍ତି, "ସକାଳ ୬ଟା ୪୦ର ୪୫ ମଧ୍ୟରେ ଭିଡ଼ ଗୋଟିଏ ପାର୍ଶ୍ଵରେ ବଢ଼ିଥିଲା । ଫଳରେ ବ୍ୟାରିକେଡ୍ ଭାଙ୍ଗିବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ତୁରନ୍ତ ୧୦ରୁ ୧୫ ଜଣଙ୍କୁ ଆ୍ବୁଲାନ୍ସରେ ମେଡିକାଲ୍ ନିଆଯାଇଛି । ଡାକ୍ତର ଚିକିତ୍ସା କରୁଛନ୍ତି ।"

ତେବେ ଦଳାଚକଟା ପାଇଁ ଭକ୍ତ ପ୍ରଶାସନକୁ ଦାୟୀ କରିଛନ୍ତି ମୋକାମାରୁ ଆସିଥିବା ବିନୋଦ କୁମାର କହିଛନ୍ତି, "ବ୍ୟାରିକେଡ୍ ଲାଗିଥିବା ସ୍ଥାନରେ ହଠାତ୍ ୧୦୦ ଲୋକ ଜବରଦସ୍ତି ପଶିଥିଲେ । ଧକ୍କା ଦେବା ଫଳରେ ଅନେକ ଲୋକ ତଳେ ପଡ଼ି ଯାଇଥିଲେ । ସେଠାରେ କୌଣସି ଅଧିକାରୀ ନଥିଲେ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: