Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Assembly Elections 2026 / କାଲି ଆସାମ, କେରଳମ୍ ଓ ପୁଡୁଚେରୀରେ ହେବ ନିର୍ବାଚନ, ସକାଳ ୭ରୁ ଆରମ୍ଭ ହେବ ମତଦାନ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
କାଲି ଆସାମ, କେରଳମ୍ ଓ ପୁଡୁଚେରୀରେ ହେବ ନିର୍ବାଚନ, ସକାଳ ୭ରୁ ଆରମ୍ଭ ହେବ ମତଦାନ
Assembly Election

Key Points

କାଲି ଆସାମ, କେରଳମ୍ ଓ ପୁଡୁଚେରୀରେ ହେବ ନିର୍ବାଚନ
ଆସାମର ୧୨୬ ଓ କେରଳମର ୧୪୦ ଆସନ ପାଇଁ ପଡ଼ିବ ଭୋଟ୍
ତୃତୀୟ ଥର ଜିତି ଆସାମରେ ହାଟ୍ରିକ୍ କରିବା ଲକ୍ଷ୍ୟରେ ବିଜେପି
ରାତି ପାହିଲେ ଦୁଇଟି ରାଜ୍ୟ ଆସାମ ଓ କେରଳମ ସମେତ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ପଡ଼ିବ ଭୋଟ୍ । ମୋଟ୍ ୨୯୬ ବିଧାନସଭା ଆସନ ପାଇଁ ସକାଳ ୭ରୁ ଆରମ୍ଭ ହେବ ମତଦାନ । ତୃତୀୟ ଥର ଜିତି ଆସାମରେ ହାଟ୍ରିକ୍ କରିବା ଲକ୍ଷ୍ୟରେ ରହିଛି ବିଜେପି । ଅନ୍ୟପକ୍ଷରେ କେରଳମରେ ବି CPM ନେତୃତ୍ବାଧୀନ LDF ମେଣ୍ଟର ହାଟ୍ରିକ ଲକ୍ଷ୍ୟ ରଖିଛି । ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସାମୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ଭାରତୀୟ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ, କାଲି ୨ଟି ରାଜ୍ୟ ଆସାମ ଓ କେରଳମ୍‌ ସହ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ଆସାମରେ ମୋଟ ୧୨୬ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ଭୋଟିଂ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ପ୍ରାୟ ୨.୫ କୋଟି ମତଦାତା ବିଜେପି ନେତୃତ୍ବାଧୀନ NDA ମେଣ୍ଟର ଭାଗ୍ୟ ନିର୍ଣ୍ଣୟ କରିବେ । ରାଜ୍ୟରେ ମୋଟ୍ ୩୧,୪୯୦ଟି ବୁଥ୍‌ ସ୍ଥାପନ କରାଯାଇଛି । ନିର୍ବାଚନ ମୈଦାନରେ ଅଛନ୍ତି ମୋଟ ୭୨୨ ଜଣ ପ୍ରାର୍ଥୀ ।

ଏଠାରେ ମୁଖ୍ୟତଃ NDA ମେଣ୍ଟକୁ ଟକ୍କର ଦେଉଛି କଂଗ୍ରେସ । ରାଜ୍ୟରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଥିବା ତରୁଣ ଗୋଗୋଇଙ୍କ ପୁଅ ତଥା ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ଉପନେତା ଥିବା ଗୌରବ ଗୋଗୋଇ, ପ୍ରଥମଥର ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । INDI ମେଣ୍ଟ ଛାତ ତଳେ ୬ଟି ବିରୋଧୀ ଦଳ ଏକାଠି ହୋଇଛନ୍ତି । ବିଜେପି ନିଜର 'ହିନ୍ଦୁତ୍ୱ' ଓ 'ବିକାଶ' କାର୍ଡ ଖେଳୁଥିବା ବେଳେ କଂଗ୍ରେସ 'ଗ୍ୟାରେଣ୍ଟି' କାର୍ଡ ମାଧ୍ୟମରେ ସାଧାରଣ ଜନତାଙ୍କ ମନ ଜିତିବାକୁ ଚେଷ୍ଟା କରିଛି ।

ସେହିପରି କେରଳମର ୧୪୦ଟି ବିଧାନସଭା ଆସନ ପାଇଁ କାଲି ଗୋଟିଏ ପର୍ଯ୍ୟାୟରେ ହେବ ଭୋଟିଂ । ସାଧାରଣତଃ ଦୁଇଟି ପ୍ରମୁଖ ମେଣ୍ଟ ଚାରିପାଖରେ ଘୂରି ବୁଲେ କେରଳ ରାଜନୀତି । ଏଥର କିନ୍ତୁ କେରଳରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ଦେଖିବାକୁ ମିଳୁଛି । ବାମପନ୍ଥୀ ଗଣତାନ୍ତ୍ରିକ ମେଣ୍ଟ- LDFରେ CPI, CPM ସହ ୧୦ ସହଯୋଗୀ ଅଛନ୍ତି । କଂଗ୍ରେସ ନେତୃତ୍ବାଧୀନ ମିଳିତ ଗଣତାନ୍ତ୍ରିକ ମେଣ୍ଟ- UDFରେ ଅଛନ୍ତି ୫ ସହଯୋଗୀ । ସେହିପରି NDA ମେଣ୍ଟରେ BJP ସହ ଭାରତ ଧର୍ମ ଜନସେନା ଓ KKC ପାର୍ଟି ଏକାଠି ହୋଇ ମଇଦାନକୁ ଓହ୍ଲାଇଛନ୍ତି ।

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ମୋଟ୍ ୩୦ଟି ବିଧାନସଭା ଆସନ ପାଇଁ ହେବ ନିର୍ବାଚନ । ୩ ଜଣ ସଦସ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ମନୋନୀତ ହୁଅନ୍ତି । ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମୋଟ ୨୯୧ ଜଣ ପ୍ରାର୍ଥୀ । ଦୁଇଟି ପ୍ରମୁଖ ମେଣ୍ଟ ମଧ୍ୟରେ ହେଉଛି ମୁଖ୍ୟ ଲଢ଼େଇ । ଶାସକ NDA ଓ ବିରୋଧୀ ସିକୁଲାର ପ୍ରୋଗ୍ରେସିଭ୍ ଆଲାଏନ୍ସ- SPA ମୁହାଁମୁହିଁ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍. ରଙ୍ଗାସ୍ୱାମୀଙ୍କ ନେତୃତ୍ୱରେ ଓହ୍ଲାଇଥିବା NDAର ଭାଗ୍ୟ ନିର୍ଣ୍ଣୟ କରିବେ ରାଜ୍ୟର ୯ ଲକ୍ଷ ୪୮ ହଜାର ୯୭୧ ମତଦାତା । ସମସ୍ତ ରାଜ୍ୟରେ ମେ ୪ ତାରିଖରେ ମତଗଣନା ସହ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Assam, Kerala, Puducherry Elections Tomorrow: Voting from 7 AM | Argus News