ଅଟୋ ଚାଳକଙ୍କ ମନମାନୀ, ୨୦୦ ମିଟର ଦୂରତା ପାଇଁ ୨ ହଜାର ଭଡ଼ା

Key Points
ଲକ୍ଷ୍ନୌରେ ଅଟୋ ଚାଳକଙ୍କ ମନମାନି । ଡାକ୍ତରଙ୍କୁ ଲଗାଇଲେ ଚୂନା । ମାତ୍ର ୨୦୦ ମିଟର ପାଇଁ ଭଡ଼ା ନେଲେ ୨୦୦୦ ଟଙ୍କା।
ଅଟୋ ଚାଳକଙ୍କ ମନମାନୀ । ମାତ୍ର ୨୦୦ ମିଟର ଦୂରତା ପାଇଁ ୨ ହଜାର ଟଙ୍କା ଭଡ଼ା ଦାବି କଲେ ଅଟୋ ଡ୍ରାଇଭର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ । ଏଠାରେ ଜଣେ ଅଟୋ ଡ୍ରାଇଭର KGMU (କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭର୍ସିଟି)ର ଜଣେ ଡାକ୍ତରଙ୍କୁ ମାତ୍ର 200 ମିଟର ଦୂରତା ପାଇଁ ୨ ହଜାର ଟଙ୍କା ଆଦାୟ କରିଥିଲେ । ତେବେ ପରେ ଡାକ୍ତର ଜଣକ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି GRP ଅଟୋଟିକୁ ଜବତ କରିଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଛି ।
ବାସ୍ତବାରେ, ଏହି ଘଟଣାଟି ଶୁକ୍ରବାର ସକାଳେ ଘଟିଛି । KGMU ଡାକ୍ତର ସନି ଚୌଧୁରୀ ଡେରାଡୁନ୍ ବନ୍ଦେ ଭାରତ ଏକ୍ସପ୍ରେସ ଧରିବା ପାଇଁ ଲକ୍ଷ୍ନୌ ପହଞ୍ଚିଥିଲେ । ଷ୍ଟେସନକୁ ନେଇ ଦ୍ୱନ୍ଦ୍ୱ ପାଇଁ ସେ ଲକ୍ଷ୍ନୌ ଜଙ୍କସନ୍ ବଦଳରେ ଲକ୍ଷ୍ନୌ ଚାରବାଗ ଷ୍ଟେସନରେ ପହଞ୍ଚିଥିଲେ । ତେବେ ସେଠାରେ ଥିବା ଜଣେ ଅଟୋ ଡ୍ରାଇଭର, ଡାକ୍ତରଙ୍କୁ ଠିକ୍ ଷ୍ଟେସନରେ ପହଞ୍ଚାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଅଟୋ ଡ୍ରାଇଭର ଜଣକ ଡାକ୍ତରଙ୍କୁ ମାତ୍ର ୨୦୦ ମିଟର ଦୂରରେ ଥିବା ଲକ୍ଷ୍ନୌ ଜଙ୍କସନ୍ ଷ୍ଟେସନକୁ ନେଇଗଲେ ଏବଂ ତାଙ୍କଠାରୁ ଭଡ଼ା ୨ ହଜାର ଟଙ୍କା ଆଦାୟ କଲେ । ଡାକ୍ତରଜଣଙ୍କ ଏ ବିଷୟରେ GRPରେ ଅଭିଯୋଗ କରିଥିଲେ । ତଦନ୍ତରୁ ଜଣାପଡିଛି ଯେ ସମ୍ପୃକ୍ତ ଅଟୋଟି ଚାରବାଗ ଷ୍ଟେସନରେ କାର୍ଯ୍ୟ କରୁଥିବା ଶାହି ଅଟୋ ଆସୋସିଏସନରେ ପଞ୍ଜିକୃତ। ବର୍ତ୍ତମାନ, GRP ଉକ୍ତ ଅଟୋଟିକୁ ଜବତ କରିଛି।
📱 Get Argus News App
✨ସୂଚନା ଅନୁସାରେ, ଲକ୍ଷ୍ନୌ ଷ୍ଟେସନ ଏବଂ ଲକ୍ଷ୍ନୌ ଜଙ୍କସନ୍ ନାମକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ଟିକେଟରେ "LKO" କିମ୍ବା "NE" ଲେଖାଯାଇଥାଏ, ଯାହା ଦ୍ୱାରା ବାହାରୁ ଆସୁଥିବା ଯାତ୍ରୀମାନେ ଭୁଲ ଷ୍ଟେସନରେ ପହଞ୍ଚି ଯାଆନ୍ତି। ଏହି ପରିସ୍ଥିତିର ସୁଯୋଗ ନେଇ ଅଟୋ ଚାଳକମାନେ ଯାତ୍ରୀମାନଙ୍କଠାରୁ ମନଇଚ୍ଛା ଭଡ଼ା ଆଦାୟ କରନ୍ତି।
ସେହିପରି ପ୍ରିପେଡ୍ ବୁଥ୍ ବନ୍ଦ ହେବା ଯୋଗୁଁ ଯାତ୍ରୀମାନଙ୍କ ସମସ୍ୟା ଆହୁରି ବଢ଼ିଯାଏ କାରଣ ପ୍ରିପେଡ୍ ବୁଥ୍ ବନ୍ଦ ହେବା ଯୋଗୁଁ, ଧାର୍ଯ୍ୟ ଭଡ଼ାରେ ଅଟୋ ମିଳେନାହିଁ । ପୂର୍ବରୁ ଯାତ୍ରୀମାନେ ଜିଆରପିଙ୍କ ତତ୍ତ୍ୱାବଧାନରେ ପ୍ରିପେଡ୍ ବୁଥରୁ ସୁଲଭ ମୂଲ୍ୟରେ ଅଟୋ ସୁବିଧା ପାଉଥିଲେ, କିନ୍ତୁ ବର୍ତ୍ତମାନ ପରିସ୍ଥିତି ପୂରା ଅଲଗା । ସଂଘର ପ୍ରାୟ ୩୦୦ ଅଟୋ ଧାର୍ଯ୍ୟ ଦର ବିନା ସିଧାସଳଖ ଷ୍ଟେସନ ପରିସରରେ ପ୍ରବେଶ କରନ୍ତି ଏବଂ ଯାତ୍ରୀମାନଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରନ୍ତି । ତେବେ ଏହି ଘଟଣା ପରେ ପୋଲିସ କହିଛି ଯେ ଏପରି ଅଭିଯୋଗ ଉପରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଲୁଟପାଟର ଶିକାର ହେବାକୁ ପଡ଼ିବ ନାହିଁ ।