Videos
|
National

Taxi Drivers Marathi / ଅଟୋ-ଟ୍ୟାକ୍ସି ଚାଳକଙ୍କୁ ବଡ଼ ଆଶ୍ୱସ୍ତି, ମରାଠୀ ଶିଖିବାକୁ ଆଉ ୧ ବର୍ଷ ସମୟ

Santosh Kumar Sahoo
Browse all articles by Santosh Kumar Sahoo
·32 mins ago·2 min read
ଅଟୋ-ଟ୍ୟାକ୍ସି ଚାଳକଙ୍କୁ ବଡ଼ ଆଶ୍ୱସ୍ତି, ମରାଠୀ ଶିଖିବାକୁ ଆଉ ୧ ବର୍ଷ ସମୟ
Taxi Drivers Marathi

Key Points

ବିରୋଧ ପରେ ନରମ ହେଲା ସରକାର
ମରାଠୀ ଶିଖିବା ପାଇଁ ୧ ବର୍ଷ ସମୟ
ରିକ୍ସା-ଟ୍ୟାକ୍ସି ଡ୍ରାଇଭରଙ୍କ ପାଇଁ ବଡ଼ ନିଷ୍ପତ୍ତି
ମହାରାଷ୍ଟ୍ରରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ପାଇଁ ଆସିଲା ବଡ଼ ଆଶ୍ୱସ୍ତି । ଅଣ-ମରାଠୀ ଚାଳକଙ୍କୁ ଏବେ ତୁରନ୍ତ ମରାଠୀ ନ ଜାଣିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିବନି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଘୋଷଣା ଅନୁସାରେ, କଥିତ ମରାଠୀ ଶିଖିବା ପାଇଁ ସେମାନଙ୍କୁ ଆଉ ଏକ ବର୍ଷ ସମୟ ଦିଆଯାଇଛି । ଏହି ଏକ ବର୍ଷ ମଧ୍ୟରେ ଚାଳକମାନେ ମରାଠୀ ଶିଖିନପାରିଲେ ସେମାନଙ୍କ ବିରୋଧରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଅଟୋ-ରିକ୍ସା ଓ ଟ୍ୟାକ୍ସି ଚାଳକ ସଂଗଠନର ପ୍ରମୁଖମାନେ ତାଙ୍କୁ ଭେଟିଥିଲେ । ଚାଳକମାନଙ୍କୁ ମରାଠୀ ଭାଷା ଶିଖିବା ପାଇଁ ଆଉ ଏକ ବର୍ଷର ସମୟ ଦେବାକୁ ସେମାନେ ଦାବି କରିଥିଲେ । ସଂଗଠନଗୁଡ଼ିକର ଏହି ଦାବିକୁ ସରକାର ଗ୍ରହଣ କରି ଏକ ବର୍ଷର ମହଲତ ଦେବାକୁ ନିଷ୍ପତ୍ତି ନେଇଛି।

ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ କ୍ୟାବ୍ ଚାଳକ

ମରାଠୀ ଭାଷା ଜ୍ଞାନକୁ ନେଇ ବିବାଦ ମଧ୍ୟରେ ଚାରିଜଣ କ୍ୟାବ୍ ଚାଳକ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅଗଷ୍ଟ ୨୫ ତାରିଖରେ ସେମାନେ ମହାରାଷ୍ଟ୍ର ସରକାରଙ୍କ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ଅଟୋ-ରିକ୍ସା, ଟ୍ୟାକ୍ସି ଓ ଆପ୍‌ ଆଧାରିତ କ୍ୟାବ୍ ଚାଳକଙ୍କ ପାଇଁ ମରାଠୀ ଭାଷାର କାର୍ଯ୍ୟକାରୀ ଜ୍ଞାନକୁ ଅନିବାର୍ଯ୍ୟ କରାଯାଇଥିଲା । ଆବେଦନକାରୀମାନେ ଯୁକ୍ତି ଦେଇଥିଲେ ଯେ ସରକାରଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ କରୁଛି ।

‘କାହାର ରୋଜଗାର ଛଡ଼ାଇବା ଉଦ୍ଦେଶ୍ୟ ନାହିଁ’

ମହାରାଷ୍ଟ୍ର ପରିବହନ ବିଭାଗ ଅଗଷ୍ଟ ୨୦, ୨୦୨୬ରୁ ସାରା ରାଜ୍ୟରେ ଏକ ଅଭିଯାନ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଅଣ-ମରାଠୀ ଟ୍ୟାକ୍ସି ଓ ଅଟୋ-ରିକ୍ସା ଚାଳକମାନଙ୍କର ମରାଠୀ ଭାଷା ଜ୍ଞାନ ଯାଞ୍ଚ କରିବା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟର ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ କହିଥିଲେ ଯେ ସରକାରଙ୍କ ଉଦ୍ଦେଶ୍ୟ କାହାର ରୋଜଗାର ଛଡ଼ାଇବା ନୁହେଁ। ମହାରାଷ୍ଟ୍ରରେ କାମ କରୁଥିବା ଲୋକମାନେ ରାଜ୍ୟର ଭାଷା ଓ ସଂସ୍କୃତିକୁ ଶିଖନ୍ତୁ ଏବଂ ସମ୍ମାନ କରନ୍ତୁ, ସରକାର ଏତିକି ଚାହୁଁଛି ବୋଲି ସେ କହିଥିଲେ ।

ବିରୋଧ ପରେ ସରକାରଙ୍କ ନିଷ୍ପତ୍ତି

ମରାଠୀ ଭାଷା ଜ୍ଞାନ ଯାଞ୍ଚ ଅଭିଯାନକୁ ନେଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ଅଟୋ ଓ ଟ୍ୟାକ୍ସି ଚାଳକମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଭାରି ଜରିମାନା ଲାଗିବ ବୋଲି ଚାଲିଥିବା ଚର୍ଚ୍ଚା ପରେ ଅନେକ ଚାଳକ ରାସ୍ତାକୁ ଓହ୍ଲାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ତାଙ୍କ କହିବା ଅନୁସାରେ, ସରକାରଙ୍କ ଅଭିଯାନର ଲକ୍ଷ୍ୟ ଚାଳକମାନଙ୍କୁ ମରାଠୀ ଭାଷାର ବିଶେଷଜ୍ଞ କରିବା ନୁହେଁ । ବରଂ ଯାତ୍ରୀଙ୍କ ସହ ଦୈନନ୍ଦିନ କାମ ପାଇଁ ସ୍ଥାନୀୟ ଭାଷାରେ ମୌଳିକ ଭାବେ ଯୋଗାଯୋଗ କରିପାରିବା ନିଶ୍ଚିତ କରିବା ହିଁ ଏହି ଅଭିଯାନର ଉଦ୍ଦେଶ୍ୟ ।