ଅଯୋଧ୍ୟାରେ ଭବ୍ୟ ଆୟୋଜନ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଅର୍ଗସ ବ୍ୟୁରୋ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । ଆସିବେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର । ଭବ୍ୟ ଓ ଦିବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ କାଶୀ ପଣ୍ଡିତ ସ୍ଥିର କରିସାରିଛନ୍ତି ଶୁଭମୁହୂର୍ତ୍ତି । ଆସନ୍ତା ଜାନୁଆରୀ ୨୨ ତାରିଖ ଦ୍ବିପ୍ରହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ମଧ୍ୟରେ ମାତ୍ର ୮୪ ସେକେଣ୍ଡରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ରାମଲଲାଙ୍କ ପ୍ରଥମ ଆରତି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ଦେବ ନଗରୀ ଅଯୋଧ୍ୟାରେ ୧୮ ଦିନିଆ ଅଯୋଧ୍ୟା ମହୋତ୍ସବ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ମନ୍ଦିର, ଗର୍ଭଗୃହଠାରୁ ଆରମ୍ଭ କରି ଅଯୋଧ୍ୟା ବିମାନବନ୍ଦର, ରେଲ୍ ଷ୍ଟେସନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖରେ ଶ୍ରୀରାମ ଆନ୍ତର୍ଜାତିକ ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ । ଅଯୋଧ୍ୟା ଉତ୍ସବକୁ ଭବ୍ୟ ଓ ଦିବ୍ୟତାରେ ଭରିବା ସହ ସାରା ବିଶ୍ବକୁ ଅଯୋଧ୍ୟା ସହ ଯୋଡ଼ିବା ପାଇଁ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଛି ।
ଅଧିକ ପଢନ୍ତୁ : ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ
ଅଯୋଧ୍ୟାରେ ସଗର୍ବେ ଠିଆ ହେଉଛି ଭବ୍ୟ ଦିବ୍ୟ ଶ୍ରୀରାମ ମନ୍ଦିର । ଦିନରାତି ଏକ କରିଛନ୍ତି କାରିଗର । ପୌରାଣିକ କଥାବସ୍ତୁ ଓ ବିଶ୍ବାସ ଆଧାରରେ ଜାରି ରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ । ମନ୍ଦିରର ପ୍ରଥମ ତଳ ବା ଗ୍ରାଉଣ୍ଡ ଫ୍ଲୋର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ତଳର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ମନ୍ଦିର ନିର୍ମାଣ କାର୍ଯ୍ୟରେ ସାରା ଭାରତର ବିଶ୍ବକର୍ମା ସାମିଲ ହୋଇଛନ୍ତି । ଶତାଧିକ ଓଡ଼ିଆ ଶିଳ୍ପୀ ଓ କାରିଗର ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଶିଳାରେ ସୂକ୍ଷ୍ମ କାରୁକାର୍ଯ୍ୟ କରି ମନ୍ଦିରକୁ ଭବ୍ୟ ରୂପ ଦେଉଛନ୍ତି ବିଶ୍ବକର୍ମା । ପ୍ରଥମ ଥର ଲାଗି ମନ୍ଦିର ପରିସରକୁ ଗଣମାଧ୍ୟମକୁ ଛଡ଼ାଯାଇଥିବାବେଳେ କ୍ୟାମେରାରେ କଏଦ ହୋଇଛି ମନ୍ଦିରର ସଂପୂର୍ଣ୍ଣ ଦୃଶ୍ୟ ।
📱 Get Argus News App
✨ଆଉ ମାତ୍ର କେଇଦିନର ଅପେକ୍ଷା ପରେ ଶ୍ରୀରାମ ଜନ୍ମଭୂମିରେ ପୁଣି ସଗର୍ବ ଫରଫର ହୋଇ ଲହରିବ ସନାତନୀ ଧ୍ବଜା । ସାକାର ହେବ ଭାରତବାସୀଙ୍କ ଦୀର୍ଘ ୫ ଶହ ବର୍ଷର ସ୍ବପ୍ନ । ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଆଉ ଏକ ତାରିଖ- ୨୦୨୪ ମସିହା ଜାନୁଆରୀ ୨୨ ତାରିଖ । ଭାରତର ପ୍ରାଣ, ବିଶ୍ବାସର ଆଧାର, ଇତିହାସର କେନ୍ଦ୍ର ଅଯୋଧ୍ୟା ମାଟି ଉପରେ କେନ୍ଦ୍ରିଭୂତ ହେବ ସାରା ବିଶ୍ବର ନଜର । ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେବ ଆକାଶ । ସାରା ବିଶ୍ବ ଦେଖିବ ଆଦି ଓ ଅନନ୍ତର ଶକ୍ତି, ସନାତନର ପରାକାଷ୍ଠା । ପୁଣି ଥରେ ଜନ୍ମସ୍ଥାନରେ ଭବ୍ୟ ଉତ୍ସବରେ, ଦିବ୍ୟ ମୁହୂର୍ତ୍ତରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ।