Videos
|
National

Bahraich Jalpari Show Accident UP / ଜଳପରୀ ପ୍ରଦର୍ଶନୀ ସମୟରେ ଭାଙ୍ଗିଲା କାଚ ନିର୍ମିତ ଟାଙ୍କି; ୪ ଆହତ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଜଳପରୀ ପ୍ରଦର୍ଶନୀ ସମୟରେ ଭାଙ୍ଗିଲା କାଚ ନିର୍ମିତ ଟାଙ୍କି; ୪ ଆହତ
Bahraich Jalpari Show Accident UP

Key Points

ବହରାଇଚର ଦାଦା ମିଆଁ ଉତ୍ସ ମେଳାରେ ଲୋକ ଏକ ଜଳପରୀ ପ୍ରଦର୍ଶନୀ ଉପଭୋଗ କରୁଥିଲେ। ହେଲେ ହଠାତ୍ ୨୦ ହଜାର ଲିଟର ପାଣିରେ ଭର୍ତ୍ତି ଏକ ବିରାଟ କାଚ ଟାଙ୍କି ଫାଟିଗଲା। ଦର୍ଶକଙ୍କ ଉପରେ ଭଙ୍ଗା କାଚ ଖଣ୍ଡ ଏବଂ ପାଣି ପଡ଼ିବାରେ ଲାଗିଥିଲା।
ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାର ଫଖରପୁର ସହରରେ ଆୟୋଜିତ ହୋଇଥିବା ଦାଦା ମିଆଁ ଉର୍ସ ମେଳାରେ ଘଟିଯାଇଛି ଅଘଟଣ। ସୋମବାର (ନଭେମ୍ବର ୨) ବିଳମ୍ବିତ ରାତିରେ ଏକ ଜଳ ପରୀ ପ୍ରଦର୍ଶନ ସମୟରେ ହଠାତ୍ ଏକ କାଚ ନିର୍ମିତ ଟାଙ୍କି ଭାଙ୍ଗିଯିବାରୁ ଆତଙ୍କ ସୃଷ୍ଟି ହୋଇଥିଲା। ହଜାର ହଜାର ଲିଟର ପାଣି ଏବଂ ଟାଙ୍କିରୁ କାଚ ଖଣ୍ଡ ଦର୍ଶକଙ୍କ ଉପରେ ପଡ଼ିଥିଲା। ଯେଉଁଥିରେ ୪ ଜଣ ଶିଶୁଙ୍କ ସମେତ ମୋଟ ୧୫ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ମେଳାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ଗୁରୁତର ଆହତ ୨ ଶିଶୁଙ୍କୁ ମେଡିକାଲ କଲେଜ ପଠାଯାଇଛି। ଏହି ଦୁର୍ଘଟଣା ସୁରକ୍ଷା ବ୍ୟବସ୍ଥା ଏବଂ ମେଳାର ଅନୁମତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି।

ପ୍ରଦର୍ଶନ ସମୟରେ ହଠାତ ଭାଙ୍ଗିଗଲା କାଚ ନିର୍ମିତ ଟାଙ୍କି
ଫଖରପୁର ଥାନା ଅଧିନସ୍ଥ ଖାଲିଦପୁର ଗ୍ରାମରେ ଆୟୋଜିତ ହୋଇଥିବା ଦାଦା ମିଆଁ ଉର୍ସ ମେଳାରେ ଏହି ଦୁର୍ଘଟଣା ଘଟିଥିଲା। ମେଳାରେ ଏକ ଜଳପରୀ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଦର୍ଶନୀ ଚାଲିଥିବା ସମୟରେ ପାଣିରେ ଭର୍ତ୍ତି ଏକ ବଡ଼ କାଚ ନିର୍ମିତ ଟାଙ୍କି ହଠାତ୍ ଏକ ଜୋରଦାର ଶବ୍ଦ କରିବା ସହ ଭାଙ୍ଗିଗଲା। କାଚ ଭାଙ୍ଗିଯିବା ସହିତ ଟାଙ୍କିରୁ ପାଣି ବାହାରକୁ ବାହାରି ଆସିଲା ଏବଂ ସାମ୍ନାରେ ଠିଆ ହୋଇଥିବା ଦର୍ଶକଙ୍କ ଉପରେ ଭଙ୍ଗା କାଚ ଖଣ୍ଡ ପଡ଼ିଥିଲା। ସେହି ସମୟରେ ପ୍ରାୟ ୨୦-୨୫ ଜଣ ଲୋକ ଜଳପରୀ ପ୍ରଦର୍ଶନୀ ଦେଖିବାକୁ ଉପସ୍ଥିତ ରହିଥିଲେ।

୪ ଶିଶୁଙ୍କ ସମେତ ୧୫ ଆହତ
ଏହି ଦୁର୍ଘଟଣାରେ ୪ ଜଣ ପିଲା ସିଧାସଳଖ କାଚ ଯୋଗୁଁ ଆହତ ହୋଇଥିଲେ। ସେମାନଙ୍କର ମୁଣ୍ଡ ଏବଂ ମୁହଁରେ ଆଘାତ ଲାଗିଥିଲା। ସେମାନେ ହେଉଛନ୍ତି ଅର୍ଶ (୮), ବୁରଉ (୭), ଅହଦ ଖାନ (୮) ଏବଂ ମହମ୍ମଦ ସାଦିକ (୯)। ସମସ୍ତ ଆହତ ଖାଲିଦପୁର ଗ୍ରାମର ବାସିନ୍ଦା। ଜଳପରୀ ପ୍ରଦର୍ଶନୀ କରୁଥିବା ଯୁବତୀ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଲୋକ ଆହତ ହୋଇଥିବା ନିଶ୍ଚିତ ହୋଇଛି। ଆହତଙ୍କୁ ତୁରନ୍ତ ଫଖରପୁର ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ (CHC) ପଠାଯାଇଥିଲା। ଅନ୍ୟ ୨ ଜଣ ପିଲା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବହରାଇଚ ମେଡିକାଲ କଲେଜ ପଠାଯାଇଥିଲା। ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା।

୨୦ ହଜାର ଲିଟର ପାଣିରେ ପୂର୍ଣ୍ଣ ଥିଲା ଟାଙ୍କି
ରିପୋର୍ଟ ଅନୁଯାୟୀ, ପ୍ରଦର୍ଶନୀ ପାଇଁ ପ୍ରସ୍ତୁତ କାଚ ଟାଙ୍କି ପ୍ରାୟ ୨୦ ହଜାର ଲିଟର ପାଣିରେ ପରିପୂର୍ଣ୍ଣ ହୋଇଥିଲା। ଦର୍ଶକ ବାହାର କାଚ ଦେଇ ଜଳପରୀଙ୍କ ପ୍ରଦର୍ଶନୀ ଦେଖୁଥିଲେ। ଟାଙ୍କି ଭାଙ୍ଗିବା ପରେ ପ୍ରଚୁର ପରିମାଣରେ ପାଣି ବହିଯାଇଥିଲା। ଯାହା ଫଳରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ବିଶୃଙ୍ଖଳା ଏବଂ ଆତଙ୍କ ସୃଷ୍ଟି ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣାକୁ ନେଇ କ'ଣ କହିଲେ ପ୍ରତ୍ୟେକ୍ଷ ଦର୍ଶୀ
ଆହତ ପିଲାଙ୍କ ପରିବାର ସଦସ୍ୟ ଏବଂ ପ୍ରତ୍ୟକ୍ଷଦର୍ଶୀ ସଲିମ ଖାନ କହିଛନ୍ତି ଯେ ସେ ତାଙ୍କ ପରିବାର ସହିତ ଉର୍ସ ମେଳାକୁ ଆସିଥିଲେ। ସେମାନେ ଜଳପରୀ ପ୍ରଦର୍ଶନୀ ଦେଖିବାକୁ ୫୦ ଟଙ୍କାର ଟିକେଟ୍ କିଣିଥିଲେ। ତାଙ୍କ କହିବା ଅନୁଯାୟୀ ହଠାତ୍ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ଟାଙ୍କିର କାଚ ଭାଙ୍ଗି ଯାଇଥିଲା। କାଚ ଖଣ୍ଡ ଏବଂ ପାଣି ବାହାରକୁ ବାହାରି ଯାଇଥିଲା। ଯାହା ଫଳରେ ଲୋକ ସ୍ତବ୍ଧ ହୋଇଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି ଯେ ଦୁର୍ଘଟଣା ପରେ ଜଳପରୀ ପ୍ରଦର୍ଶନୀ ଦାୟିତ୍ୱରେ ରହିଥିବା ଆୟୋଜକ ଏବଂ ଅନ୍ୟ ଲୋକ ଘଟଣାସ୍ଥଳରୁ ତୁରନ୍ତ ପଳାଇ ଯାଇଥିଲେ।

ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଦୁର୍ଘଟଣା ମେଳାର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ପର୍ଯ୍ୟାପ୍ତ ସୁରକ୍ଷା ଏବଂ ବୈଷୟିକ ଯାଞ୍ଚ ବିନା ଏପରି ବିପଦପୂର୍ଣ୍ଣ ପ୍ରଦର୍ଶନୀ କରାଯାଉଛି। ସେମାନେ କହିଛନ୍ତି ଯେ ଯଦି ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଥାନ୍ତା, ତାହେଲେ ଏପରି ଦୁର୍ଘଟଣାକୁ ଏଡା ଦିଆଯାଇ ପାରିଥାନ୍ତା।

ଆୟୋଜକଙ୍କ ବିରୋଧରେ ଏଫଆଇଆର ରୁଜୁ
ଅତିରିକ୍ତ ପୋଲିସ ଅଧିକ୍ଷକ ଆୟୁଷ ବିକ୍ରମ ସିଂହ କହିଛନ୍ତି ଯେ ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣା ପରେ ଆୟୋଜକ ଏବଂ କେୟାରଟେକର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଆୟୋଜକଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି। ସେମାନଙ୍କୁ ଖୋଜାଖୋଜି କରିବା ଆରମ୍ଭ ହୋଇଛି।