Videos
|
National

Bisleri Water Controversy / ବିସଲେରି ପାଣିକୁ ନେଇ ବଡ଼ ବିବାଦ: FSSAI ଆକ୍ସନ୍ ପରେ କମ୍ପାନୀ ରଖିଲା ଜବାବ

Subhramjit Ray
Browse all articles by Subhramjit Ray
·1 hour ago·3 min read
ବିସଲେରି ପାଣିକୁ ନେଇ ବଡ଼ ବିବାଦ: FSSAI ଆକ୍ସନ୍ ପରେ କମ୍ପାନୀ ରଖିଲା ଜବାବ
Photo Source: Social Media/AI

Key Points

ବିସଲେରି ପାଣି ନମୁନାକୁ ନେଇ FSSAI ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଗୋଆ ପ୍ଲାଣ୍ଟରେ ଉତ୍ପାଦିତ ଏକ ବ୍ୟାଚ୍‌ର ପାଣିରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବ୍ରୋମେଟ୍ ଓ PAHs ମିଳିଥିବା ଦାବି ହୋଇଛି। ଅନ୍ୟପଟେ, ବିସଲେରି ଏହି ଅଭିଯୋଗର ଜବାବ ଦେଇ ନିଜ ପାଣିକୁ ପାନୀୟ ଉପଯୋଗ ପାଇଁ ସୁରକ୍ଷିତ ବୋଲି କହିଛି।

ଲ୍ୟାବ ପରୀକ୍ଷାରେ ପାଣି ନମୁନା ଅସୁରକ୍ଷିତ ବୋଲି ଜାଣିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ (FSSAI) ଜଣାଶୁଣା ପାଣି ବୋତଲ କମ୍ପାନୀ ବିସଲେରି ଇଣ୍ଟରନ୍ୟାସନାଲ୍ (Bisleri International) ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏବେ କମ୍ପାନୀ FSSAI ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ଜବାବ ରଖିଛି। ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବିସଲେରି ବୋତଲ ପାଣି (Bisleri Bottle Water) ପିଇବା ପାଇଁ ନିରାପଦ। ଏହି ଘଟଣା ପ୍ରାୟ ୧୪ ମାସ ପୁରୁଣା। ଯାହା ଗତ ୨୦୨୫ ସେପ୍ଟେମ୍ବରରେ ଗୋଆ ସ୍ଥିତ ଉତ୍ପାଦନ ପ୍ଲାଣ୍ଟ (Bisleri Goa Manufacturing Plant) ଠାରେ ଉତ୍ପାଦିତ ହୋଇଥିବା ଏକ ବ୍ୟାଚ୍ ସହିତ ଜଡି଼ତ। କମ୍ପାନୀ କହିଛି ଯେ ଏହି ପ୍ଲାଣ୍ଟ ଏହାର ନେଟୱାର୍କ ଅଧିନରେ ରହିଥିବା ୧୪୩ ପ୍ଲାଣ୍ଟ ମଧ୍ୟରୁ ଅନ୍ୟତମ।

କମ୍ପାନୀ ବିରୋଧରେ କ'ଣ ଆସିଛି ଅଭିଯୋଗ?
ବିସଲେରି ଇଣ୍ଟରନ୍ୟାସନାଲ୍ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ରଖିଛି ଭାରତୀୟ ଖାଦ୍ୟ ସୁରକ୍ଷା ମାନକ ପ୍ରାଧିକରଣ। ଏନେଇ FSSAI ପକ୍ଷରୁ କୁହାଯାଇଛି ଯେ ପାଣି ନମୁନା ନିର୍ଦ୍ଧାରିତ ବ୍ରୋମେଟ୍ ସୀମା (Bromate Limit for Packaged Drinking Water) ପୂରଣ କରିନାହିଁ। ୨୦୦୬ ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ ଅନୁଯାୟୀ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଛି। କମ୍ପାନୀ ଦ୍ୱାରା ହୋଇଥିବା ଅନ୍ୟ ଏକ ଆବେଦନ ପରେ, ଏହାର ପାଣି ନମୁନାକୁ ପୁନର୍ବାର ପରୀକ୍ଷଣ କରିବା ପାଇଁ ଅନ୍ୟ ଏକ ଖାଦ୍ୟ ପରୀକ୍ଷାଗାରକୁ (Food Testing Lab) ପଠାଯାଇଥିଲା। ଏହି ଲାବରେ "ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ" (PAHs) ଉପସ୍ଥିତି ଯୋଗୁଁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। FSSAI କହିଛି ଯେ ପରୀକ୍ଷାଗାରରେ ହୋଇଥିବା ତଦନ୍ତରେ ଆଇନ ଅନୁଯାୟୀ ଅସୁରକ୍ଷିତ ଖାଦ୍ୟ ଉତ୍ପାଦ ସହିତ ଜଡି଼ତ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା ଜଣାପଡିଛି। ଏହି ଆଧାରରେ, ବିସଲେରି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜବାବ ରଖିଲା ବିସଲେରି ଇଣ୍ଟରନ୍ୟାସନାଲ୍
ଏହାର ବିବୃତ୍ତିରେ ବିସଲେରି ଇଣ୍ଟରନ୍ୟାସନାଲ୍ କହିଛି ଯେ ଏହି ମାମଲା ପ୍ରାୟ ୧୪ ମାସ ପୁରୁଣା। କମ୍ପାନୀ କହିବା ଅନୁସାରେ, "ଏହା ଗତ ୨୦୨୫ ସେପ୍ଟେମ୍ବରରେ ଗୋଆ ସ୍ଥିତ ଉତ୍ପାଦନ କେନ୍ଦ୍ରରେ ନିର୍ମିତ ହୋଇଥିବା ଏକ ବ୍ୟାଚ୍ ସହିତ ଜଡିତ। ଯାହା ଆମ ନେଟୱାର୍କ ଅଧିନସ୍ଥ ୧୪୩ ପ୍ଲାଣ୍ଟ ମଧ୍ୟରୁ ଅନ୍ୟତମଏ। ଗତ ୨୦୨୫ ସେପ୍ଟେମ୍ବର ୩୦ ତାରିଖରେ FSSAI ଗୋଆ ଉତ୍ପାଦନ କେନ୍ଦ୍ରରୁ ୬ ନମୁନା ସଂଗ୍ରହ କରିଥିଲା। ପ୍ରାରମ୍ଭିକ ପରୀକ୍ଷଣରେ ୫ ନମୁନା ସମସ୍ତ ମାନଦଣ୍ଡ ପୂରଣ କରିଥିଲା। ୬ ନମ୍ବର ନମୁନାରେ ପ୍ରତି ଲିଟର ପିଛ ୧୨ ମାଇକ୍ରୋଗ୍ରାମ ବ୍ରୋମେଟ୍ ରହିଥିବାର ଜଣାପଡ଼ିଥିଲା। ହେଲେ ଏହାର ନିର୍ଦ୍ଧାରିତ ସୀମା ୧୦ ମାଇକ୍ରୋଗ୍ରାମ ପ୍ରତି ଲିଟର ରହିଛି।



କମ୍ପାନୀ ଆହୁରି କହିଛି, ବିସଲେରି ପକ୍ଷରୁ ହୋଇଥିବା ଆବେଦନ ପରେ, ଗତ ୨୦୨୫ ନଭେମ୍ବର ୨୨ ତାରିଖରେ FSSAI ନମୁନାକୁ ପୁନର୍ବାର ପରୀକ୍ଷଣ କରିବା ପାଇଁ ଏକ "ରେଫରାଲ ଲ୍ୟାବ" (Referral Lab) ପଠାଇଥିଲା। ରେଫରାଲ ଲ୍ୟାବ୍ ନମୁନାରେ ଅନୁମତିପ୍ରାପ୍ତ ସୀମା ମଧ୍ୟରେ ବ୍ରୋମେଟ ମିଳିଥିଲା। ଅନ୍ୟ ଏକ ପୃଥକ ନମୁନାରେ ପଲିନ୍ୟୁକ୍ଲିୟର ଆରୋମାଟିକ୍ ହାଇଡ୍ରୋକାର୍ବନ (PAHs) ଉପସ୍ଥିତି ରିପୋର୍ଟ ହୋଇଥିଲା। ଦୁଇଟି ଫଳାଫଳ ମଧ୍ୟରେ ଆସିଥିବା ଏହି ପାର୍ଥକ୍ୟ ପ୍ରଶ୍ନ ଉଠାଇଥିଲା। ଯାହା ଉପରେ ବିସଲେରି ସ୍ପଷ୍ଟୀକରଣ ଦେବା ଆବଶ୍ୟକ ମନେ କରିଥିଲା। ବିସଲେରି ଏକ FSSAI-ଅନୁମୋଦିତ ଲ୍ୟାବ୍ ରେ ସମାନ ନମୁନା ପୃଥକ ଭାବରେ ପରୀକ୍ଷଣ କରିଥିଲା। ସେହି ପରୀକ୍ଷାରେ ମଧ୍ୟ ବ୍ରୋମେଟ ଅନୁମୋଦିତ ସୀମା ମଧ୍ୟରେ ମିଳିଥିଲା।"


କମ୍ପାନୀ ଅନୁଯାୟୀ, "ଏହା ପରେ, ଆମେ FSSAI ଠାରୁ ଆଉ କୌଣସି ସୂଚନା ପାଇଲୁ ନାହିଁ। ଆମେ ଧରିଲୁ ଯେ ଏହି ମାମଲା ବନ୍ଦ ହୋଇଯାଇଛି। ଆଜି ପର୍ଯ୍ୟନ୍ତ, ବିସଲେରି ଇମେଲ୍ କିମ୍ବା ହାର୍ଡ କପି ମାଧ୍ୟମରେ କୌଣସି ନୋଟିସ୍ ପାଇନାହିଁ କିମ୍ବା FSSAI ୱେବସାଇଟ୍ ରେ ଏହା ମିଳିନାହିଁ। ପାନୀୟ ଜଳର ସୁରକ୍ଷା ବିସଲେରି ଇଣ୍ଟରନେସନାଲ ପାଇଁ ଏକ ସର୍ବୋଚ୍ଚ ପ୍ରାଥମିକତା। ଆମେ ଆମର ୧୦-ପର୍ଯ୍ୟାୟ ଉତ୍ପାଦନ ପ୍ରକ୍ରିୟାରେ ୯୦ରୁ ଅଧିକ ପରୀକ୍ଷା ସହିତ କଠୋର ଗୁଣବତ୍ତା ନିୟନ୍ତ୍ରଣ ବଜାୟ ରଖୁଛୁ ଏବଂ ଉପଯୁକ୍ତ ନିୟାମକ ପ୍ରକ୍ରିୟା ମାଧ୍ୟମରେ ଏହି ମାମଲାକୁ ସମାଧାନ କରିବା ପାଇଁ FSSAI ସହିତ କାମ କରିବୁ।"
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: