|
logo
Live
Argus News App
GET APP

Argus News - ବିଜେପିର 46 ତମ ପ୍ରତିଷ୍ଠା ଦିବସ,୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଦଳ

National

BJP Foundation Day / ବିଜେପିର 46 ତମ ପ୍ରତିଷ୍ଠା ଦିବସ,୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଦଳ

Bikash Mohanty
Browse all articles by Bikash Mohanty
·2 hours ago·5 min read
ବିଜେପିର 46 ତମ ପ୍ରତିଷ୍ଠା ଦିବସ,୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଦଳ
BJP

Key Points

ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ
ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପି
ଅଟଳ ବିହାରୀ ବାଜପେୟୀ ବନିଥିଲେ ପ୍ରତିଷ୍ଠାତା ସଭାପତି


ଭୁବନେଶ୍ବର,୦୬/୦୪: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି 46 ତମ ପ୍ରତିଷ୍ଠା ଦିବସ । 45 ବର୍ଷ ତଳେ ଆଜିର ଦିନରେ ଅର୍ଥାତ 6 ଏପ୍ରିଲ 1980ରେ ଆଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ସମେତ 11 ଜଣ ନେତା ମିଶି ମୁମ୍ବାଇର ସମୁଦ୍ର କୂଳରେ ଭାରତୀୟ ଜନତା ପାର୍ଟିର ସ୍ଥାପନା କରିଥିଲେ। ବାଜପେୟୀ ବନିଥିଲେ ପ୍ରତିଷ୍ଠାତା ସଭାପତି । ଦଳ ଗଠନ ପରେ 1984ରେ ବିଜେପି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନର ସାମ୍ନା କରିଥିଲା । ସାରା ଦେଶରେ 224 ଜଣ ପ୍ରାର୍ଥୀ ପଦ୍ମଫୁଲ ଚିହ୍ନରେ ନିର୍ବାଚନ ଲଢିଥିଲେ। କିନ୍ତୁ ମାତ୍ର 2 ଟି ଆସନରେ ହିଁ ଜିତି ପାରିଥିଲେ ଦଳର ପ୍ରାର୍ଥୀ । 108 ଟି ଆସନରେ ବିଜେପି ପ୍ରାର୍ଥୀ ଅମାନତ ହରାଇଥିଲେ। କିନ୍ତୁ ଦଳ ହାର ମାନିନଥିଲା । ଆହୁରି ମଜଭୁତିର ସହ 1989 ନିର୍ବାଚନର ସମ୍ନା କରିଥିଲା ଦଳ । ସେତେବେଳେ ଦଳର ସଭାପତି ମଙ୍ଗ ଧରିଥାନ୍ତି ଲାଲକୃଷ୍ଣ ଆଡଭାନୀ।

1989ରେ 225ଟି ଆସନରେ ପ୍ରାର୍ଥୀ ଦେଇଥିଲା ବିଜେପି। ସେଥିରୁ 86 ଆସନରେ ଦଳକୁ ମିଳିଥିଲା ବିଜୟ । ଏହି ବିଜୟ ସର୍ଭଭାରତୀୟ ସ୍ତରରେ ବିଜେପିର ସଂଗଠନ ବିସ୍ତାର କରିବାରେ ସାହାଯ୍ୟ କରିଥିଲା। 1989ରେ ବିଜେପିର ବାହ୍ୟ ସମର୍ଥନରେ କେନ୍ଦ୍ରରେ ଭିପି ସିଂହ ସରକାର ଗଠନ କଲେ । କିନ୍ତୁ ବିଜେପି ପରବର୍ତ୍ତି ନିର୍ବାଚନରେ ଏକ ବଡ଼ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲା । ରାମ ଜନ୍ମ ଭୂମି ପ୍ରସଙ୍ଗକୁ ଯୋରଦାର ଢଙ୍ଗରେ ଉଠାଇଥିଲା ବିଜେପି । ଏଥିସହ ଦେଶରେ ବିଜେପିର ଏକ ହିନ୍ଦୁ କଠୋରପନ୍ଥୀ ଦଳ ଭାବେ ଛବି ତିଆରି ହୋଇସାରିଥିଲା । ବିହାରରେ ଆଡଭାନୀଙ୍କ ରଥଯାତ୍ରାକୁ ଲାଲୁ ଯାଦବ ଅଟକାଇବା ଘଟଣା ବିଜେପିକୁ ଭିପି ସିଂହ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ବାଧ୍ୟ କରିଥିଲା । ଏହାପରେ କଂଗ୍ରେସ ସମର୍ଥନରେ ଗଠିତ ଚନ୍ଦ୍ରଶେଖରଙ୍କ ସରକାର ମାତ୍ର 4 ମାସ ହିଁ ତିଷ୍ଠିପାରିଲା ।

1991ରେ ଦେଶରେ ହେଲା ସାଧାରଣ ନିର୍ବାଚନ । ଏଥର 468 ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା ବିଜେପି । ଆଉ ସମସ୍ତଙ୍କୁ ଚମକାଇ 120 ଆସନ ହାସଲ କରିଥିଲା ବିଜେପି ଆଉ ବନିଥିଲା ଦେଶର ଦ୍ବିତୀୟ ବୃହତ୍ତମ ରାଜନୈତିକ ଦଳ । ସାରା ଦେଶରେ ବିଜେପି ପାଇଥିବା ଭୋଟହାର 20.11 ପ୍ରତିଶତରେ ପହଞ୍ଚିଯାଇଥିଲା। ସବୁଠୁ ବଡ଼ ଦଳ କଂଗ୍ରେସ ସରକାର ଗଠନ କଲା । ପ୍ରଧାନମନ୍ତ୍ରୀ ବନିଲେ ପିଭି ନରସିଂହ ରାଓ। ଆଉ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଲା ବିଜେପି । କଂଗ୍ରେସ ସରକାର 5 ବର୍ଷ ଚାଲିଲା କିନ୍ତୁ ପିଭି ନରସିଂହ ରାଓ ସରକାର ବିରୋଧରେ ପୁଳା ପୁଳା ଦୁର୍ନୀତି ଅଭିଯୋଗ ଆସିଲା। ବିଜେପି ଏହି ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି 1996 ଲୋକସଭା ନିର୍ବାଚନ ଲଢିଲା । ଆଉ କଂଗ୍ରେସକୁ ପଛକୁ ଠେଲି 161 ଆସନ ସହ ଲୋକସଭାରେ ବିଜେପି ବନିଥିଲା ନମ୍ବର ୱାନ ପାର୍ଟି । ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ କ୍ରମେ ଅଟଳବିହାରୀ ବାଜପେୟୀ ବିଜେପି ସରକାରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ । କିନ୍ତୁ ସଂଖ୍ୟା ଯୋଗାଡ଼ରେ ସମର୍ଥ ହୋଇପାରିଲାନି ଦଳ । ମାତ୍ର 13 ଦିନରେ ଭାଙ୍ଗିଯାଇଥିଲା ବାଜପେୟୀ ସରକାର । କିଛି ଛୋଟ ଦଳ କଂଗ୍ରେସ ସମର୍ଥନରେ ସରକାର ଗଢିଲେ। ଦେବଗୌଡ଼ା ଓ ଆଇ.କେ ଗୁଜରାଲ କ୍ରମାନ୍ବୟରେ ମେଣ୍ଟ ସରକାରର ପ୍ରଧାନମନ୍ତ୍ରୀ ବନିଲେ। କିନ୍ତୁ ମାତ୍ର 18 ମାସ ହିଁ ତିଷ୍ଠି ପାରିଥିଲା ଏହି ସରକାର । ଏଥି ମଧ୍ୟରେ ବିଜେପି ବୁଝିସାରିଥିଲା କେନ୍ଦ୍ରରେ ଶାସନ କରିବାକୁ ହେଲେ ମେଣ୍ଟ ରାଜନୀତିକୁ ଆପଣାଇବା ଛଡ଼ା ବାଟ ନାହିଁ । ତେଣୁ ବିଜେପି ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳଙ୍କ ସହ ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିଲା । ଆଉ ବିଜେପିର ଏହି ପରୀକ୍ଷା ସଫଳ ବି ହେଲା ।

1998ରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପି 182ଟି ଆସନରେ ବିଜୟ ହାସଲ କଲା । ସହଯୋଗୀ ଦଳଙ୍କୁ ନେଇ ଏନଡିଏ ସରକାରର ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟ ଥର ଶପଥ ନେଲେ ଆଟଳ ବିହାରୀ ବାଜପେୟୀ । କିନ୍ତୁ ଏଆଇଏଡିଏମକେର ସମର୍ଥନ ପ୍ରତ୍ୟାହାର ଯୋଗୁଁ ମାତ୍ର ଏଥର 13 ମାସ ହିଁ ଚାଲି ପରିଥିଲା ବାଜପେୟୀଙ୍କ ସରକାର । ଅନାସ୍ଥା ପ୍ରସ୍ତାବରେ ଗୋଟିଏ ଭୋଟରେ ହାରିବା ପରେ 1999ରେ ପୁଣି ଥରେ ହୋଇଥିଲା ଲୋକସଭା ନିର୍ବାଚନ । କିନ୍ତୁ ପୂର୍ବ ଅଭିଜ୍ଞତାରୁ ବିଜେପି ଶିଖି ସାରିଥିଲା ମେଣ୍ଟ ସରକାର ଚଳାଇବାର ସଫଳ ଫର୍ମୁଲା । 1999 ନିର୍ବାଚନରେ ବିଜେପିର ଆସନ ବଢିଲା ନାହିଁ ସତ କିନ୍ତୁ ଏନଡିଏର ଆସନ ସଂଖ୍ୟା ଆହୁରି ମଜଭୁତ ହୋଇଯାଇଥିଲା। ଯାହାର ଫଳ ସ୍ବରୂପ ଏଥର କେନ୍ଦ୍ରରେ ସଂପୂର୍ଣ୍ଣ 5 ବର୍ଷ ପୂରଣ କରିଥିଲା ବିଜେପି । ଏହି ସମୟ ଭିତରେ ବିଭିନ୍ନ ରାଜ୍ୟରେ ବିଜେପି ନିଜର ସରକାର ଗଠନ କରିବା ସହ ବହୁ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲା । 2003 ଶେଷ ବେଳକୁ ହୋଇଥିବା ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ସରକାର ଗଠନ କରିଥିଲା । ଏହା ବିଜେପିର ଉତ୍ସାହ ଏତେ ବଢାଇ ଦେଇଥିଲା ଯେ ଇଣ୍ଡିଆ ସାଇନିଂ ଓ ଫିଲ ଗୁଡ୍ ସ୍ଲୋଗାନ ସହ 2004ରେ ଲୋକସଭା ନିର୍ବାଚନ ଲଢିଥିଲା ବିଜେପି କିନ୍ତୁ ନିର୍ବାଚନ ପରିଣାମ ବିଜେପି ପାଇଁ ବି ଫିଲ ବ୍ୟାଡ ସାବ୍ୟସ୍ତ ହୋଇଥିଲା । ମାତ୍ର 138ଟି ଆସନରେ ଜିତି ପାରିଥିଲା ବିଜେପି । କେନ୍ଦ୍ରରେ ଗଠନ ହେଲା କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର । ମନମୋହନ ସିଂହ ହେଲେ ପ୍ରଧାନମନ୍ତ୍ରୀ ।
ପଢନ୍ତୁ ଏହି ଖବର:ପଞ୍ଜାବ BJP ମୁଖ୍ୟାଳୟରେ ବିସ୍ଫୋରଣ ପଛରେ ISI, ୫ ଜଣଙ୍କୁ ବାନ୍ଧିଲା ପୋଲିସ୍
2009 ନିର୍ବାଚନରେ ବାଜପେୟୀ ଅସୁସ୍ଥତା କାରଣରୁ ରାଜାନୀତିରୁ ନିଷ୍କ୍ରିୟ ହୋଇସାରିଥିଲେ । ଆଡଭାନୀଙ୍କ ନେତୃତ୍ବରେ ବିଜେପି ନିର୍ବାଚନ ଲଢିଲା । କିନ୍ତୁ 2004 ଠାରୁ ଆହୁରି ଖରାପ ପ୍ରଦର୍ଶନ କଲା ଦଳ । ଦଳ ମାତ୍ର 116ଟି ଆସନରେ ସୀମିତ ରହିଗଲା ବିଜେପିର ସଦସ୍ୟ ସଂଖ୍ୟା । ପୁଣି କେନ୍ଦ୍ରରେ ସରକାର ଗଢିଲା କଂଗ୍ରେସ। ଏହାପରେ ବିଜେପିରେ ମୋଦି ଯୁଗର ଆରମ୍ଭ ହେଲା ।

2014 ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନାଁରେ ନିର୍ବାଚନ ଲଢିଲା ଦଳ । କଂଗ୍ରେସ ସରକାରର ଦୁର୍ନୀତିରେ ବ୍ୟତିବ୍ୟସ୍ତ ଭାରତରେ ମୋଦି ଲହର ଏଭଳି ବୋହିଲା ଯେ 2014 ନିର୍ବାଚନରେ ଇତିହାସ ରଚିଲା ବିଜେପି । ମୋଦିଙ୍କ ନେତୃତ୍ବରେ ନିଜ ଦମରେ ମ୍ୟାଜିକ ନମ୍ବର ଟପି 281 ସିଟରେ ବିଜୟ ହାସଲ କଲା ବିଜେପି । 1984 ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦେଶରେ କୌଣସି ଦଳକୁ ପୂର୍ଣ୍ଣ ବହୁମତ ମିଳିଥିଲା । ବିଜେପିର ଭୋଟ୍ ସେୟାର ମଧ୍ୟ ବଢି 31. 34 ପ୍ରତିଶତ ଯାଏ ପହଞ୍ଚି ଯାଇଥିଲା। ଏହି ନିର୍ବାଚନରେ ମୋଦି ଲହର ଏତେ ପ୍ରଚଣ୍ଡ ଥିଲା ଯେ ଦେଶର ସର୍ବପୁରାତନ ଦଳ କଂଗ୍ରେସ 50 ଆସନ ବି ଜିତି ପାରିଲା ନାହିଁ । ମୋଦି ଲହର ଦିନକୁ ଦିନ ଦେଶରେ ଆହୁରି ପ୍ରଖର ହୋଇ ଚାଲିଥିଲା । ବିଜେପି କେନ୍ଦ୍ରରେ କ୍ଷମତା ସହ ଅନେକ ରାଜ୍ୟରେ କ୍ଷମତାସୀନ ହୋଇଚାଲିଲା ।
2019 ନିର୍ବାଚନ ବେଳେକୁ ବିଜେପି ଏତେ ଶକ୍ତିଶାଳୀ ହୋଇସାରିଥିଲା ଯେ ପୂର୍ବ ରେକର୍ଡକୁ ଟପି ଏଥର 303 ଆସନରେ ବିଜୟ ହାସଲ କରିଥିଲା ବିଜେପି । ଆଉ ଭୋଟ ହାର 37.76 ପ୍ରତିଶତରେ ପହଞ୍ଚି ଯାଇଥିଲା । 2024 ନିର୍ବାଚନରେ ବିଜେପି 240 ଆସନରେ ଜିତିଥିଲା । ଭୋଟ ହାର 36.56 ପ୍ରତିଶତ ଥିଲା । ଏକଦା କେବଳ ଉତ୍ତର ଭାରତ ପାର୍ଟି ଭାବେ ପରିଚିତ ବିଜେପି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୂର୍ବ, ପଶ୍ଚିମ ଉତ୍ତର , ଦକ୍ଷିଣ ସବୁଠି ନିଜର ମଜଭୁତ ଉପସ୍ଥିତି ଜାହିର କରିବା ସହ ଅଧିକାଂଶ ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହୋଇଛି । ଆଉ ବିଜେପିର ଛବି କେବଳ ଏକ କଠୋର ହିନ୍ଦୁତ୍ବବାଦୀ ଦଳରେ ସୀମିତ ରହିନାହିଁ। ବିଜେପିର ପୂର୍ବ ସ୍ବରୂପ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଦୀନଦୟାଲ ଉପାଧ୍ୟାୟଙ୍କର ଯେଉଁ ମନ୍ତ୍ର ଥିଲା ଅନ୍ତୋଦୟ ସେହି ରାସ୍ତାରେ ଚାଲିଛନ୍ତି ମୋଦି ସରକାର ।

କେନ୍ଦ୍ର ସରକାରଙ୍କର ମୁଖ୍ୟ ସ୍ଲୋଗାନ ପାଲଟିଛି ସବକା ସାଥ୍, ସବକା ବିକାଶ ଓ ସବକା ବିଶ୍ବାସ । ଏହି ମନ୍ତ୍ର ସହ ନରେନ୍ଦ୍ର ମୋଦି ଙ୍କ ନେତ୍ବତ୍ବରେ ବିଜେପି ଅପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଶକ୍ତି ଭାବେ ନିଜର କଳେବର ଲଗାତାର ବଢାଇ ଚାଲିଛି । ଆମେ ମୋଦ ସରକାର ଭାରତକୁ ବିଶ୍ବଗୁରୁ ବନାଇବା ଲକ୍ଷ୍ୟ ନେଇ ଲଗାତାର ଉଦ୍ୟମ କରିଚାଲିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJP Foundation Day: ବିଜେପିର 46 ତମ ପ୍ରତିଷ୍ଠା ଦିବସ,୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଦଳ | Argus News