Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ

National

West Bengal BJP Govt / ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ

Subhramjit Ray
Browse all articles by Subhramjit Ray
·2 hours ago·5 min read
ସରକାର ଗଢିବ ବିଜେପି; ରାଜ୍ୟରେ ହେବ ଏହି ସବୁ ପରିବର୍ତ୍ତନ
West Bengal BJP Govt

Key Points

ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବିଭିନ୍ନ କାରଣ ପାଇଁ ଅଟକି ରହିଥିବା ପ୍ରକଳ୍ପ ପୁନର୍ବାର କାର୍ଯ୍ୟକ୍ଷମ ହେବାର ସୁଯୋଗ ସୃଷ୍ଟି ହୋଇଛି। ଏହା ଉଭୟ କେନ୍ଦ୍ର-ରାଜ୍ୟ ଗୋଟିଏ ଦଳ ଦ୍ୱାରା ଶାସିତ ହେଉଥିବାରୁ ସମନ୍ୱୟ ବୃଦ୍ଧି ହେବା ନେଇ ଆଶା କରାଯାଉଛି।
changes in west bengal after bjp form govt: ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରେ ଆଗାମୀ ଦିନରେ ଦେଖିବାକୁ ମିଳିପାରେ ବଡ଼ ଧରଣର ପରିବର୍ତ୍ତନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଦାୟୀ ରାଜ୍ୟ-କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବାା ଦୀର୍ଘ ଦିନର ବିବାଦର ଅନ୍ତ ଘଟିବ। ବିଗତ କିଛି ବର୍ଷ ଧରି ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ କେନ୍ଦ୍ର-ରାଜ୍ୟ। ଏପରିକି ଭୋଟ ବ୍ୟାଙ୍କ ପାଇଁ ଅନେକ ସମ୍ବେଦନଶୀଳ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗରେ ଟିଏମସି ସରକାର କେନ୍ଦ୍ର ସହ ମୁହାଁମୁହାଁ ହେବାକୁ ପଛାଇ ନଥିଲେ। ଏହି ବିବାଦ ସିଧାସଳଖ ରାଜ୍ୟର ସୀମା ସୁରକ୍ଷା ଏବଂ ଆଇନ ଶୃଙ୍ଖଳାକୁ ପ୍ରଭାବିତ କରିଥିଲା। ଏପରିକି ଏହା ଦେଶର ଆଭ୍ୟନ୍ତରୀଣ ସହ ବାହ୍ୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଥିଲା।

ଏହି ବିବାଦ ମଧ୍ୟରେ ରହିଥିବା ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ଲଗାଇବା ପାଇଁ ଭୂମି ଅଧିଗ୍ରହଣ। ପଶ୍ଚିମବଙ୍ଗରେ ୨୨୧୭ କିଲୋମିଟର ଲମ୍ବା ଆନ୍ତର୍ଜାତୀୟ ସୀମାର ଏକ ବଡ଼ ଅଂଶ ବାଡ଼ମୁକ୍ତ ରହିଛି। ବିଦାୟୀ ଟିଏମସି ସରକାର ସୀମାରେ ତାରବାଡ଼ ଲଗାଇବା ପାଇଁ ଭୂମି ଅଧିଗ୍ରହଣ ନ କରିବାରୁ ଏହି କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଥିଲା। ଯାହା ଦ୍ୱାରା ବାଂଲାଦେଶ ପଟୁ ବେଆଇନ ଅନୁପ୍ରବେଶ, ଗୋରୁ ଚୋରା ଚାଲାଣ ଏବଂ ଅବୈଧ ଜାଲ ନୋଟ୍ କାରବାର ଆଦି ଘଟଣା ବୃଦ୍ଧି ପାଇଥିଲା।

BSF କ୍ଷେତ୍ରାଧିକାରକୁ ନେଇ ଦ୍ୱନ୍ଦ୍ୱ
ଗତ ୨୦୨୧ ରେ, କେନ୍ଦ୍ର ସରକାର ଆନ୍ତର୍ଜାତୀୟ ସୀମା (ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ଆସାମ) ରହିଥିବା ରାଜ୍ୟରେ ସୀମା ସୁରକ୍ଷା ବାହିନୀ (ବିଏସଏଫ) କ୍ଷେତ୍ରାଧିକାରକୁ ୧୫ ରୁ ୫୦ କିଲୋମିଟର ବଢାଇବା ନେଇ ଏକ ବିଜ୍ଞପ୍ତି ଜାରି କରିଥିଲେ। ହେଲେ ତୃଷ୍ଟିକରଣ ନୀତିରେ ଅନ୍ଧ ହୋଇ ପଡ଼ିଥିବା ଟିଏମସି ଏହାକୁ ରାଜ୍ୟ ପୋଲିସ ବାହିନୀର ଅଧିକାର ଏବଂ ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ ବୋଲି ଦର୍ଶାଇଥିଲେ। ରାଜ୍ୟ ବିଧାନସଭାରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ଗୃହିତ ହୋଇଥିଲା। କେନଦ୍ର ସରକାରଙ୍କ ଏହି ନିୟମକୁ ଗ୍ରହଣ କରିବାକୁ ସେତେବେଳର ଟିଏମସି ସରକାର ମନା କରିସ ଦେଇଥିଲା। ଏହା ଦ୍ୱାରା ସୀମା ସୁରକ୍ଷା ବାହିନୀ ଏବଂ ପଶ୍ଚିମବଙ୍ଗ ପୋଲିସ ମଧ୍ୟରେ ବିଭିନ୍ନ ଘଟଣାକୁ ସମନ୍ୱୟର ଅଭାବ ସୃଷ୍ଟି ହୋଇଥିଲା। ପ୍ରାୟତଃ ସନ୍ଧାନ ଏବଂ ଜବତ ଅଭିଯାନ ସମୟରେ ସ୍ଥାନୀୟ ପୋଲିସ ସହଯୋଗ କରୁନଥିବା ନେଇ ବାରମ୍ବାର ଅଭିଯୋଗ ଆଣୁଥିଲା ବିଏସଏଫ (BSF)।

କେନ୍ଦ୍ରୀୟ ଏଜେନ୍ସି ସହିତ ରାଜ୍ୟ ସରକାରଙ୍କ ଅସହଯୋଗ
CAA-NRC ପ୍ରସଙ୍ଗରେ କେନ୍ଦ୍ର ରାଜ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (CAA) ନିୟମକୁ ଅଧିସୂଚିତ କରିଥିଲେ। ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ହେଲେ ବିଦାୟୀ ଟିଏମସି ସରକାର ସାର୍ବଜନୀନ ଭାବରେ ଘୋଷଣା କରିଥିଲେ ଯେ ରାଜ୍ୟରେ CAA-NRC କାର୍ଯ୍ୟକାରୀ ହେବ ନାହିଁ। ସେତେବେଳେ ରାଜ୍ୟରେ ଏହାକୁ ଲାଗୁ କରିବାକୁ ନେଇ ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ପ୍ରଶାସନିକ ତଥ୍ୟ ପ୍ରଦାନ କରିବାରେ ଏବଂ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବା କ୍ଷେତ୍ରରେ ବିଳମ୍ବ କରିଥିଲେ। ଏହା ଫଳରେ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାରେ ସମସ୍ୟା ଉପୁଜିଥିଲା। ଏପରିକି ଏ ସମ୍ପର୍କିତ ଆଇନଗତ ପ୍ରକ୍ରିୟାରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯାହା ଫଳରେ ଅନ୍ତର୍ଜାତୀୟ ସୀମାର ସୁରକ୍ଷା ବିପଦରେ ରହିଥିଲା।

ରାଜ୍ୟ ସରକାର ମଧ୍ୟ NIA ଏବଂ କେନ୍ଦ୍ରୀୟ ଏଜେନ୍ସି ସହ ବିଭିନ୍ନ ମାମଲାରେ ଅସହଯୋଗ କରିଥିଲେ। କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ହେଉଥିବା ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପ (ଯେପରିକି ଖଗଡ଼ଗଡ଼ ବିସ୍ଫୋରଣ ଏବଂ ମୋଇନା ବୋମା ବିସ୍ଫୋରଣ) ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତ ସଂସ୍ଥା (NIA) କୁ ଦେଇଥିଲେ। ହେଲେ ଅନେକ ଥର ଏପରି ଘଟଣାରେ ତଦନ୍ତ କରିବା ସମୟରେ NIA ଦଳକୁ ରାଜ୍ୟ ସରକାର କୌଣସି ସମର୍ଥନ ଦେଇନଥିଲେ। ଏପରିକି ବିଭିନ୍ନ ମାମଲାରେ ତଦନ୍ତ କରିବା ପାଇଁ ପଶ୍ଚିମବଙ୍ଗ ଆସିଥିବା ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ସ୍ଥାନୀୟ ଭିଡ଼ ଦ୍ୱାରା ଆକ୍ରମଣ କରାଯାଇଥିଲା। ଯାହାର ଉଦାହରଣ ହେଉଛି ଭୂପତିନଗର ଘଟଣା। ଏହା ଦ୍ୱାରା ଟେରର ମଡ୍ୟୁଲ୍ ଏବଂ ସ୍ଲିପର୍ ସେଲ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବାଧା ସୃଷ୍ଟି କରିଥିଲା। ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ମଧ୍ୟ ବୃଦ୍ଧି କରିଥିଲା।

କେନ୍ଦ୍ରୀୟ ବାହିନୀ ମୁତୟନକୁ ନେଇ କେନ୍ଦ୍ର ସହ ପଙ୍ଗା ନେବାକୁ ପଛାଇ ନଥିଲା ଟିଏମସି ସରକାର
ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ନିୟୋଜନକୁ ନେଇ କେନ୍ଦ୍ର ସହ ପଙ୍ଗା ନେବାକୁ ପଛାଇ ନଥିଲା ଟିଏମସି ସରକାର। ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନକୁ ସୁନିଶ୍ଚିତ କରିବା ପାଇଁ ଗତ ୨୦୨୧ ବିଧାନସଭା ନିର୍ବାଚନ, ୨୦୨୩ ପଞ୍ଚାୟତ ନିର୍ବାଚନ, ୨୦୨୪ ଲୋକସଭା ନିର୍ବାଚନ ସମୟରେ ଗୃହ ମନ୍ତ୍ରଣାଳୟ ରାଜ୍ୟର ସମ୍ବେଦନଶୀଳ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ହେଲେ କେନ୍ଦ୍ରୀୟ ବାହିନୀ ମୁତୟନକୁ ବିରୋଧ କରି ବାରମ୍ବାର ଟିଏମସି ସରକାର ଅଦାଲତର ଦ୍ୱାରସ୍ଥ ହେବା ସହ ଯୁକ୍ତି ଦର୍ଶାଇଥିଲେ ଯେ ରାଜ୍ୟ ପୋଲିସ ବାହିନୀ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ସକ୍ଷମ। କେନ୍ଦ୍ରୀୟ ବାହିନୀ ସହ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ସଦ୍ୟ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ସନ୍ଦେଶଖାଲି ଏବଂ ଫାଲଟା ଆସନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।

ମୁକାବିଲାର ପରିଣାମ ବିଷୟରେ ବାରମ୍ବାର ରାଜ୍ୟକୁ ଚେତାବନୀ ଦେଉଥିଲା କେନ୍ଦ୍ର
ବିଭିନ୍ନ ପ୍ରସଙ୍ଗରେ ଚାଲିଥିବା ମୁକାବିଲାର ପରିଣାମ ବିଷୟରେ ବାରମ୍ବାର ରାଜ୍ୟକୁ ଚେତାବନୀ ଦେଇ ଆସୁଥିଲା କେନ୍ଦ୍ର। ଏହି ମୁକାବିଲାର ସୁଦୂରପ୍ରସାରୀ ପରିଣାମ ବିଷୟରେ ବାରମ୍ବାର ଚେତାବନୀ ଜାରି କରାଯାଇଥିଲା। ଆଭ୍ୟନ୍ତରୀଣ ସୁରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଅନୁପ୍ରବେଶକାରୀ ଏବଂ ଚୋରା ଚାଲାଣକାରୀ ସୀମାନ୍ତବର୍ତ୍ତୀ ଅଞ୍ଚଳରେ BSF ଏବଂ ରାଜ୍ୟ ପୋଲିସ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସୁଯୋଗ ଉଠାଉଥିଲେ। ଯେତେବେଳେ ରାଜ୍ୟ ଗୁଇନ୍ଦା ବିଭାଗ ଏବଂ କେନ୍ଦ୍ରୀୟ ଏଜେନ୍ସି (IB & NIA) ପରସ୍ପର ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ କରନ୍ତି ନାହିଁ, ସେତେବେଳେ ସୀମାପାର ଆତଙ୍କବାଦୀ ନେଟୱାର୍କ ବୃଦ୍ଧି ପାଏ। କେନ୍ଦ୍ରୀୟ ନିର୍ଦ୍ଦେଶାବଳୀକୁ ରାଜ୍ୟ ବାରମ୍ବାର ଅଣଦେଖା କରିବା ଦ୍ୱାରା ସୁରକ୍ଷା ବାହିନୀର ମନୋବଳ ପ୍ରଭାବିତ ହୋଇଥାଏ। ଯାହା ଅପରାଧିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥାଏ। ଯାହାର ଉଦାହରଣ ହେଉଛି ସନ୍ଦେଶଖାଲି ଘଟଣା। ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ଛକାପଞ୍ଝା ପାଇଁ ଏକୀକୃତ ଜାତୀୟ ସୁରକ୍ଷା ରଣନୀତି ଦୁର୍ବଳ ହୋଇଥାଏ।

ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବା ପରେ ବଦଳିପାରେ ସ୍ଥିତି
ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବା ପାଇଁ ପଥ ପରିଷ୍କାର ହୋଇଯିବା ପରେ ରାଜ୍ୟରେ ଅଟକି ଯାଇଥିବା ବିଭିନ୍ନ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି। କାରଣ ଉଭୟ କେନ୍ଦ୍ର-ରାଜ୍ୟ ଗୋଟିଏ ଦଳର ସରକାର ଦ୍ୱାରା ଶାସିତ ହେବା ପରେ ଉଭୟଙ୍କ ମଧ୍ୟରେ ସମନ୍ୱୟ ବଢିବ। ସୀମାରେ ତାରବାଡ଼ ଲଗାଇବା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ପ୍ରାଥମିକତା ଦିଆଯିବ। ଯାହା ଦ୍ୱାରା ଏହି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ହେବ। ବିଜେପି ଏହାର ନିର୍ବାଚନ ଇସ୍ତାହାରରେ କହିଥିଲା ଯେ ଦଳ ସରକାର ଗଠନ କରିବାର ୪୫ ଦିନ ମଧ୍ୟରେ ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ଲଗାଇବା ପାଇଁ ଜମି ଆବଣ୍ଟିତ କରାଯିବ।

ଏବେ ବିଜେପି ସରକାରଙ୍କ ପ୍ରାଥମିକ ଏଜେଣ୍ଡା ହେଉଛି ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକୁ ଦୂର କରିବା। ରାଜ୍ୟ ସରକାରଙ୍କ ପୂର୍ଣ୍ଣ ସମର୍ଥନ ସହିତ ସୀମାନ୍ତ ଜିଲ୍ଲାରେ ଜନସଂଖ୍ୟାଗତ ପରିବର୍ତ୍ତନକୁ ରୋକିବା ପାଇଁ ବିଏସଏଫ ଏବଂ ରାଜ୍ୟ ପୋଲିସ ମିଳିତ ଅପରେସନ୍ କରିବ। ଏଥିପାଇଁ ଦଳ "ଡିଟେକ୍ଟ, ଡିଲିଟ ଏବଂ ଡିପୋର୍ଟ" (Detect, Delete, Deport) ନୀତି କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଛି।

ପଶ୍ଚିମବଙ୍ଗରେ ବିଜେପି ସରକାର ଗଠିତ ହେବା ପରେ ଏବେ କେନ୍ଦ୍ରୀୟ ବିଭାଗକୁ ଏବେ ପୂର୍ଣ୍ଣ ସ୍ୱାଧିନତା ମିଳିଯିବ। ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ ​​କରିବା, ଆତଙ୍କବାଦୀ ନେଟୱାର୍କ ଧ୍ୱସ୍ତ କରିବା ଏବଂ ସ୍ଲିପର ସେଲ୍ ଭାଙ୍ଗିବା ପାଇଁ ଏନଆଇଏ (NIA) ଏବଂ ଅନ୍ୟାନ୍ୟ ଏଜେନ୍ସି ଆବଶ୍ୟକୀୟ ପ୍ରଶାସନିକ ଏବଂ ସୁରକ୍ଷା ସହାୟତା ପାଇବ। ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ରାଜ୍ୟରେ ସୁରକ୍ଷା ଏବଂ ପ୍ରଶାସନିକ ସଂସ୍କାର ସମ୍ପର୍କରେ ସ୍ପଷ୍ଟ ପ୍ରତିଶୃତି ଦେଇଥିଲା। ଯାହା ମଧ୍ୟରେ CAA ଲାଗୁ କରିବା ଅନ୍ତର୍ଭୂକ୍ତ ରହିଛି। ବିଜେପି ପ୍ରତିଶୃତି ଦେଇସାରିଛି ଯେ ସରକାର ଗଠନ କରିବା ମାତ୍ରେ, ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ନାଗରିକତା ସଂଶୋଧନ ଆଇନ (CAA) ବିନା କୌଣସି ବାଧାରେ କାର୍ଯ୍ୟକାରୀ କରାଯିବ। ଏହା ସହିତ ରାଜ୍ୟରୁ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିତାଡ଼ିତ କରିବା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Infiltration, Fencing & CAA: What Changes in Bengal Under BJP Government? | Argus News