କଂଗ୍ରେସକୁ ବଡ଼ ଝଟକା : ପଦ୍ମ ଧରିଲେ ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ

ଅର୍ଗସ ବ୍ୟୁରୋ : କଂଗ୍ରେସକୁ ପୁଣି ବଡ଼ ଝଟକା । ହାତ ଛାଡ଼ି ପଦ୍ମ ଧରିଲେ ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ । ଦିଲ୍ଲୀସ୍ଥିତ ବିଜେପି ପାର୍ଟି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗ ଦେବା ପରେ ବିଜେନ୍ଦର କହିଛନ୍ତି, ମୋର ଘରବାହୁଡା ହୋଇଛି । ବିଜେପି ସରକାର ଯେବେଠାରୁ ଆସିଛି ଦେଶ ଓ ବିଦେଶରେ ଖେଳାଳୀଙ୍କର ମାନ ସମ୍ମାନ ବୃଦ୍ଧି ପାଇଛି । ମୁଁ ପୂର୍ବ ଭଳି ବିଜେନ୍ଦର ହିଁ ରହିବି । ଠିକ କଥାକୁ ଠିକ୍ କହିବି ଏବଂ ଭୁଲକୁ ଭୁଲ କହିବାରେ ଟିକିଏ ବି କୁଣ୍ଠାବୋଧ କରିବିନି ।
ଅଧିକ ପଢନ୍ତୁ ଭାରତ ଖବର
ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ କଂଗ୍ରେସ ଟିକେଟରେ ଦକ୍ଷିଣ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅବଶ୍ୟ, ସେ ବିଜେପିର ରମେଶ ବିଧୁଡିଙ୍କଠାରୁ ହାରି ଯାଇଥିଲେ । ଜାଟ୍ କମ୍ୟୁନିଟିରୁ ଆସିଥିବା ବିଜେନ୍ଦର ମୂଳତଃ ହରିୟାଣାର ଭିବାନୀ ନିବାସୀ । ସେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ବକ୍ସିଂରେ ବିଜେନ୍ଦରଙ୍କୁ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।