ବ୍ରାଜିଲ ବିମାନ ଦୁର୍ଘଟଣା ; ଏମିତି ଥିଲା ମହିଳାଙ୍କ ଶେଷ ମେସେଜ..

ଅର୍ଗସ ବ୍ୟୁରୋ : ମୃତ୍ୟୁ...ଚିରନ୍ତନ ସତ୍ୟ । କେତେବେଳେ କାହାକୁ ଗ୍ରାସିବ ଯେ ସେ କଥା କିଏ କହିବ ? ଠିକ୍ ଏମିତି ଘଟଣା ବ୍ରାଜିଲରୁ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ସେଠାରେ ଘଟିଥିବା ବିମାନ ଦୁର୍ଘଟଣା ପୂର୍ବରୁ ଝିଅଟିଏ ମାଆଙ୍କୁ ଯେଉଁ ମେସେଜ କରିଛି ତାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଝିଅଟି ମାଆକୁ ମେସେଜ୍ରେ କହିଛି ।
"ମତେ ଖୁବ ଡର ଲାଗୁଛି ମାଆ , ଏ ବିମାନଟି ଖୁବ୍ ପୁରୁଣା । ବିମାନର ସିଟ ଗୁଡିକ ଖରାପ ହେଇଯାଇଛି । ବିମାନର କାର୍ଯ୍ୟ ବ୍ୟବସ୍ଥା ମଧ୍ୟ ଠିକ ନାହିଁ । ସେଥିପାଇଁ ମତେ କାହିଁକି କେଜାଣି ଭାରି ଭୟ ଲାଗୁଛି ।"
କିଛି ଏମିତି ଥିଲା ମୃତ୍ୟୁ ପୂର୍ବର ଶେଷ ମେସେଜ । ହୁଏତ ପୂର୍ବରୁ ହିଁ ତାଙ୍କୁ ମୃତ୍ୟୁ ହେବାର ଆଭାସ ମିଳୁଥିଲା । ସେଥିପାଇଁ ବିମାନରେ ବସିବା ପରେ ପରେ ହିଁ ମାଆଙ୍କୁ ଏମିତି ମେସେଜ କରିଥିଲେ ରୋସାନା ସେଣ୍ଟସ୍ ଜାଭିଅର । ବ୍ରାଜିଲର ସାଓ ପଉଲୋରେ ଘଟିଥିବା ବିମାନ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଯେଉଁ ଦୁର୍ଘଟଣାରେ ୬୨ ଜଣଙ୍କର ଜୀବନ ଚାଲି ଯାଇଥିଲା । ବ୍ରାଜିଲର କାସ୍କାବେଲରୁ ସାଓ ପାଉଲୋର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଯାଉଥିଲା ଏହି ବିମାନ । ହେଲେ ଭାରସାମ୍ୟ ହରାଇ ହଠାତ୍ ଆକାଶରୁ ତଳକୁ ଖସି ପଡିଲା । କିଛି ମୁହୁର୍ତ୍ତରେ ବିମାନଟି ଜଳି ପାଉଁଶ ହୋଇ ଯାଇଥିଲା ।
ହେଲେ ବିମାନରେ ଥିବାବେଳେ ଜଣେ ମହିଳାଙ୍କ ଶେଷ ମେସେଜ କିପରି ଥିଲା ତାକୁ ବର୍ଣ୍ଣନା କରିଛନ୍ତି, ସେହି ମହିଳାଙ୍କ ପରିବାର ଲୋକେ । ସେହି ବିମାନରେ ଥିଲେ ଜଣେ ୨୩ ବର୍ଷୀୟ ମହିଳା ରୋସାନା ସେଣ୍ଟସ୍ ଜାଭିଅର । ସେ ତାଙ୍କ ପରିବାରରେ ଏକା ରୋଜଗାର କରୁଥିବା ମହିଳା ଥିଲେ । କମ୍ପାନୀ କାମ ପାଇଁ ତାଙ୍କୁ ଟୋଲୋଡୋ ଯିବାକୁ ପଡୁଥିଲା । ସେଥିପାଇଁ ସେ ବିମାନ ଯାତ୍ରା କରୁଥିଲେ ।
📱 Get Argus News App
✨ବିମାନରେ ବସିବା ପରେ ତୁରନ୍ତ ସେ ନିଜ ଫ୍ୟାମିଲି ଗ୍ରୁପରେ ମେସେଜ କରିଥିଲେ । ସେ ଲେଖିଥିଲେ , ଖୁବ ଜୋରରେ ବର୍ଷା ହେଉଛି । ଆମେ ବୋଧେ ବର୍ଷାରେ ହିଁ ପହଞ୍ଚିବୁ । ଏହି ବିମାନରେ ମତେ ଖୁବ ଭୟ ଲାଗୁଛି । ମଁ ସତ କହୁଛି ଏହି ବିମାନଟି ଖୁବ ପୁରୁଣା । ଏହାର ସିଟ ଗୁଡିକ ଖୁବ ଖରାପ ଅଛି । ଏବଂ ଏହାର କାର୍ଯ୍ୟ ବ୍ୟବସ୍ଥା ମଧ୍ୟ ଠିକ ନାହିଁ ।
ଏହାପରେ ତାଙ୍କ ମାଆଙ୍କୁ ସେ ଏକ ସେଲଫି ଉଠାଇ ପଠାଇଥିଲେ । ଯେଉଁଥିରେ ସେ ଖୁବ ଡରିଯାଇଥିବା ଜଣା ପଡୁଥିଲେ । ଏହାପରେ ତାଙ୍କ ମାଆ ତାଙ୍କୁ ବାଇବେଲର ଏକ ଅଧ୍ୟାୟ ପଢିବାକୁ କହିଥିଲେ । ପରେ ପରେ ଖବରରେ ଜାଣିବାକୁ ପାଇଥିଲେ, ସେହି ବିମାନଟି ଜଳିଯାଇଛି । ଖବର ଶୁଣିବା ପରେ ସେ ଖୁବ କାନ୍ଦିଥିଲେ । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ରୋସାନାଙ୍କ ମାଆ । ତେବେ ଏହି ବିମାନ ଦୁର୍ଘଟଣାରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।