Videos
|
National

Cancer Drug Prices / ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦ ପ୍ରତିଶତ ଶସ୍ତା ହେବ କ୍ୟାନସର ଔଷଧ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ୭୦ ପ୍ରତିଶତ ଶସ୍ତା ହେବ କ୍ୟାନସର ଔଷଧ
Cancer Drug Prices

Key Points

କ୍ୟାନ୍ସର ଚିକିତ୍ସାରେ ବଡ଼ ଆଶ୍ୱସ୍ତି
ଔଷଧ ଦାମ କମାଇବେ ସରକାର
୭୦% ଯାଏଁ ଶସ୍ତା ହେବ କ୍ୟାନ୍ସର ଔଷଧ
କ୍ୟାନସର ଚିକିତ୍ସା ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର । ଏଣିକି କମିପାରେ ଜୀବନରକ୍ଷକ କ୍ୟାନସର ଔଷଧର ଦାମ । କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ପରେ କିଛି ଔଷଧର ମୂଲ୍ୟରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବାର ଆଶା ରହିଛି । କେନ୍ଦ୍ର ସରକାର ସମସ୍ତ ଅଣ-ତାଲିକାଭୁକ୍ତ କ୍ୟାନ୍ସର ଔଷଧର ଟ୍ରେଡ୍ ମାର୍ଜିନ୍ ଉପରେ ୩୦ ପ୍ରତିଶତର କ୍ୟାପ୍ ବା ସୀମା ଧାର୍ଯ୍ୟ କରିଛନ୍ତି । ଏହାର ସିଧାସଳଖ ଲାଭ ମିଳିବ କ୍ୟାନ୍ସର ରୋଗୀ ଓ ସେମାନଙ୍କ ପରିବାରକୁ ।

କ୍ୟାନସର ଚିକିତ୍ସାରେ ହେଉଥିବା ବିପୁଳ ଖର୍ଚ୍ଚରେ ଚିନ୍ତିତ ରୋଗୀ ଓ ସେମାନଙ୍କ ପରିବାର ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସମସ୍ତ ଅଣ-ତାଲିକାଭୁକ୍ତ କ୍ୟାନସର ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍‌କୁ ସର୍ବାଧିକ ୩୦ ପ୍ରତିଶତରେ ସୀମିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତିର ଲକ୍ଷ୍ୟ ହେଉଛି ଔଷଧ ଉପରେ ଅତ୍ୟଧିକ ଲାଭ ରୋକିବା ସହ ଜୀବନରକ୍ଷକ କ୍ୟାନ୍ସର ଔଷଧକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ସୁଲଭ କରିବା । ଟ୍ରେଡ୍ ମାର୍ଜିନ୍ ୩୦ ପ୍ରତିଶତରେ ସୀମିତ ହେବା ପରେ କିଛି ଔଷଧର ଖୁଚୁରା ମୂଲ୍ୟ ବା MRPରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଅଧିକାରିକ ସୂତ୍ରରୁ ଜଣାପଡ଼ିଛି ।

ଏହା ଫଳରେ କ୍ୟାନ୍ସର ଚିକିତ୍ସା ପାଇଁ ରୋଗୀଙ୍କ ପକେଟରୁ ହେଉଥିବା ଖର୍ଚ୍ଚରେ ବଡ଼ ହ୍ରାସ ଆସିବା ଆଶା କରାଯାଉଛି । ଆକଳନ ଅନୁସାରେ, ଏହି ପଦକ୍ଷେପ ଦ୍ୱାରା ରୋଗୀମାନେ ପ୍ରତିବର୍ଷ ପ୍ରାୟ ୨,୫୦୦ କୋଟି ଟଙ୍କା ସଞ୍ଚୟ କରିପାରନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରଙ୍କ ଏହି ନିଷ୍ପତ୍ତିରେ ବିଭିନ୍ନ ପ୍ରକାରର ଅଣ-ତାଲିକାଭୁକ୍ତ କ୍ୟାନ୍ସର ଔଷଧକୁ ସାମିଲ କରାଯାଇଛି । ବ୍ରାଣ୍ଡେଡ୍ କିମ୍ବା ଜେନେରିକ୍, ଦେଶରେ ଉତ୍ପାଦିତ କିମ୍ବା ଆମଦାନୀ ହେଉଥିବା, ପେଟେଣ୍ଟେଡ୍ କିମ୍ବା ନନ୍-ପେଟେଣ୍ଟେଡ୍—ସମସ୍ତ ଔଷଧ ଉପରେ ଏହି ନିୟମ ଲାଗୁ ହେବ । ଏହା ଦ୍ୱାରା ଔଷଧର ଦାମ୍‌ କମିବା ସହିତ ବଜାରରେ ଜୀବନରକ୍ଷକ ଔଷଧର ଯୋଗାଣ ମଧ୍ୟ ପ୍ରଭାବିତ ନହେବାକୁ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୧୯ର ପଦକ୍ଷେପକୁ ଆହୁରି ବ୍ୟାପକ କଲା ସରକାର

କ୍ୟାନ୍ସର ଔଷଧର ଦାମ ନିୟନ୍ତ୍ରଣ ଦିଗରେ ଏହା ୨୦୧୯ରେ ନିଆଯାଇଥିବା ପଦକ୍ଷେପକୁ ଆହୁରି ବ୍ୟାପକ କରିଛନ୍ତି କେନ୍ଦ୍ର ସରକାର । ସେତେବେଳେ ୫୨୬ଟି ବ୍ରାଣ୍ଡ୍‌ ଉପରେ ଏହିପରି ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏହା ଫଳରେ ରୋଗୀମାନେ ପ୍ରତିବର୍ଷ ପ୍ରାୟ ୯୮୪ କୋଟି ଟଙ୍କା ସଞ୍ଚୟ କରିଥିବା ଆକଳନ କରାଯାଇଥିଲା ।
ଏବେ ନୂଆ ନିଷ୍ପତ୍ତି ଦ୍ୱାରା ଅଧିକ ସଂଖ୍ୟକ ଅଣ-ତାଲିକାଭୁକ୍ତ କ୍ୟାନ୍ସର ଔଷଧର ମୂଲ୍ୟ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରାଯାଇଛି। ଏହା ଦ୍ୱାରା କ୍ୟାନ୍ସର ଚିକିତ୍ସାକୁ ଅଧିକ ସୁଲଭ ଓ ସାଧାରଣ ଲୋକଙ୍କ ପହଞ୍ଚ ମଧ୍ୟରେ ଆଣିବା ଦିଗରେ ସରକାରଙ୍କ ପଦକ୍ଷେପ ଆହୁରି ବ୍ୟାପକ ହୋଇଛି।