କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ହୀରକ ଜୟନ୍ତୀ ଓ ପିଏମ ଜନମନର ମନ୍ଥନ ଶିବିରରେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବିଗତ ୬୦ ବର୍ଷ ଧରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସଫଳ ହୋଇଛି । ଶିକ୍ଷା କ୍ଷେତ୍ରରେ ଏହି ବଟ୍ଟବୃକ୍ଷ ଭାରତର ବିକାଶର ଏକ ବଡ ବାହକ ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେଭି ସଂଗଠନର ୬୦ ବର୍ଷ ପୂରଣ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଯେତେବେଳେ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଆମେ ଅଗ୍ରସର ହେଉଅଛେ, ଏହି ଲକ୍ଷ୍ୟକୁ ନେତୃତ୍ୱ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୂମିକା ଅଧିକ ମହତ୍ୱପୂର୍ଣ୍ଣ ହୋଇପଡିଛି । ଆଧୁନିକ, ବହୁମୁଖୀ ଏବଂ ଏକବିଂଶ ଶତାବ୍ଦୀର ଆବଶ୍ୟକତା ଅନୁସାରେ ଶିକ୍ଷା ଏବଂ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ମାଧ୍ୟମରେ କେନ୍ଦ୍ରୀୟ ସଂଗଠନର ପରିବାର ଭବିଷ୍ୟତ ଏବଂ ରାଷ୍ଟ୍ର ନିର୍ମାଣର ମାର୍ଗରେ ନିଜର କାର୍ଯ୍ୟ ଜାରୀ ରଖିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପିଏମ ଜନମନ ଉପରେ ଆୟୋଜିତ ମନ୍ଥନ ଶିବିରକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦି ସରକାର ଜନଜାତି ସମୁଦାୟ, ବଞ୍ଚିତ ବର୍ଗ ଏବଂ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଉଛନ୍ତି । ଆମର ଜନଜାତି ସମୁଦାୟ ସମୃଦ୍ଧ ଓ ବିକଶିତ ହେଲେ ଭାରତ ସମୃଦ୍ଧ ଏବଂ ବିକଶିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସା ଅଛି । ୨୬.୫୦ ଲକ୍ଷ ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଜିଟି) ଜନଜାତିଙ୍କ ସମୃଦ୍ଧି ଏବଂ ବିକାଶ ପାଇଁ ଆମକୁ ପାନୀୟ ଜଳ, ବିଜୁଳି, ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ ସ୍ଥାପନର ସାମଗ୍ରିକ ଢାଞ୍ଚାର ବିକାଶ ପାଇଁ ଆମକୁ ଅଧିକ ଚିନ୍ତା କରିବାକୁ ହେବ ।
ଅଧିକ ପଢନ୍ତୁ : ଶିକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିକା ଗୁରୁତ୍ଵପୂର୍ଣ୍ଣ
📱 Get Argus News App
✨ଜନଜାତୀୟ ସମୁଦାୟ ଆତ୍ମବିଶ୍ୱାସକୁ ଅଧିକ ଦୃଢୀଭୂତ କରିବା ପାଇଁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ଧନ୍ଦାମୂଳକ ପ୍ରଶିକ୍ଷଣ ଦେବା ପାଇଁ ଅନେକ ପଦକ୍ଷେପ ନେବା ସହ ସ୍କିଲ୍ ମ୍ୟାପିଂ ଏବଂ ଜନଜାତୀୟ ଭାଷାକୁ ପ୍ରାଥମିକତା ଦେବା ଦିଗରେ କାମ କରୁଛି । ଜନଜାତି, ପିଭିଜିଟି ସମୁଦାୟର ସଂସ୍କୃତି, ଐତିହ୍ୟ, କୌଶଳ ଏବଂ ଜୀବନ ପଦ୍ଧତିରେ ସମାନତା ଆଣିବା ସହ ସେମାନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଯୋଡିବା ପାଇଁ ମୋଦିଙ୍କ କଳ୍ପନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପିଏମ ଜନମନ ଉପରେ ଚିନ୍ତନ ଶିବିର ଆୟୋଜନ ଆୟୋଜନ ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ।