ଲଞ୍ଚ ହେବ ଚନ୍ଦ୍ରଯାନ-୪ , ସୂଚନା ଦେଲା ଇସ୍ରୋ

Key Points
- ଲଞ୍ଚ ହେବ ଚନ୍ଦ୍ରଯାନ-୪
- ଗୋଟିଏ ମିଶନ, ୨ ଥରକରେ ହେବ ଲଞ୍ଚ
- ଚନ୍ଦ୍ରମାରୁ ନମୂନା ଆଣିବ ଚନ୍ଦ୍ରଯାନ-୪
ଅର୍ଗସ ବ୍ୟୁରୋ : ଚନ୍ଦ୍ରଯାନ ୧,୨,୩ ଠାରୁ ସମ୍ପୁର୍ଣ୍ଣ ଅଲଗା ହେବ ଚନ୍ଦ୍ରଯାନ ୪ । ଏହା ଥରେ ନୁହେଁ ଦୁଇଥର ଲଞ୍ଚ କରାଯିବ । ଏପରି ସୂଚନା ଦେଇଛନ୍ତି ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥନ । ଚନ୍ଦ୍ରଯାନ ୩ ସଫଳ ଭାବେ 23 ଅଗଷ୍ଟ ୨୦୨୩ରେ ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ଡ କରିଥିଲା । ଯାହା ଭାରତ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ଥିଲା । ଏହାପରେ ଚନ୍ଦ୍ରଯାନ ୪ ଲଞ୍ଚ କରିବାକୁ ସ୍ଥିର କରିଛି ଇସ୍ରୋ । ଏହା ଗୋଟିଏ ମିଶନ, କିନ୍ତୁ ୨ ଥର ଲଞ୍ଚ କରାଯିବ । ୨ ପର୍ଯ୍ୟାୟରେ ବ୍ୟବହୃତ ହେବ ୨ଟି ଭିନ୍ନ ଭିନ୍ନ ରକେଟ । ପୂର୍ବରୁ ସରିଥିବା ୩ଟି ଚନ୍ଦ୍ରଯାନ ମିଶନରେ ଗୋଟିଏ ରକେଟ୍ ବ୍ୟବହାର ହୋଇଥିଲା । ତେବେ ଚତୁର୍ଥ ମିଶନ ପାଇଁ ପ୍ରଥମ ଥର ଏଭଳି ଜଟିଳ ପ୍ରକ୍ରିୟା ଆପଣାଇ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ।
ଏହି ରକେଟ ଏତେ ଭାରୀ ରହିବ ଯେ , ଏହା ଏକା ଥରକରେ ଏତେ ତେଲ ଗ୍ରହଣ କରି ଯାଇପାରିବନି । ସେଥିପାଇଁ ପ୍ରଥମେ ଚନ୍ଦ୍ରଯାନ ପାର୍ଟ-୧ ଲଞ୍ଚ କରାଯିବ , ପରେ ପାର୍ଟ ୨ ଲଞ୍ଚ କରାଯିବ । ଏହାପରେ ଅନ୍ତରୀକ୍ଷରେ ଉଭୟ ମିଶିଯିବେ । ପରେ ଏହା ଚନ୍ଦ୍ରକୁ ଯାଇ ଏହାର ନମୂନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଆଣିବ ।
ଏଥିପାଇଁ ସେଥିରେ ୫ଟି ମୁଖ୍ୟ ଅଂଶ ବା ମଡ୍ୟୁଲ ରହିବ । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲ୍ସନ ମଡ୍ୟୁଲ ଥିଲା । ତେବେ ଚନ୍ଦ୍ରଯାନ-୪ରେ ରହିବ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ, ଆସେଣ୍ଡର୍ ମଡ୍ୟୁଲ, ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ। ପ୍ରଥମ ପର୍ଯ୍ୟାୟରେ ଭାରତର ସବୁଠୁ ଶକ୍ତିଶାଳୀ ରକେଟ୍ LVM-3 ସାହାଯ୍ୟରେ ପ୍ରପଲ୍ସନ ମଡ୍ୟୁଲ, ଡିସେଣ୍ଡର୍ ମଡ୍ୟୁଲ ଓ ଆସେଣ୍ଡର୍ ମଡ୍ୟୁଲ ପଠାଯିବ। ଏହାର କିଛି ଦିନ ପରେ ଦ୍ବିତୀୟ ପର୍ଯ୍ୟାୟରେ PSLV ରକେଟରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରିଂ ମଡ୍ୟୁଲ ପଠାଇବ ଇସ୍ରୋ। ଏହା ସଫଳ ହେଲେ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବାରେ ଭାରତ ଚତୁର୍ଥ ଦେଶର ମାନ୍ୟତା ହାସଲ କରିବ। ୨୦୨୮ ପୂର୍ବରୁ ଏହା ଲଞ୍ଚ କରିବା ପାଇଁ ସ୍ଥିର କରିଛି ଇସ୍ରୋ ।
📱 Get Argus News App
✨