Videos
|
National

Corona Returns / ପୁଣି ଫେରିଲା କରୋନା, ଆନ୍ଧ୍ରାରେ ୨ ମୃତ ୪ ଆକ୍ରାନ୍ତ, ଓଡ଼ିଶାକୁ ଚିନ୍ତା

Bikash Mohanty
Browse all articles by Bikash Mohanty
·2 weeks ago·2 min read
ପୁଣି ଫେରିଲା କରୋନା, ଆନ୍ଧ୍ରାରେ ୨ ମୃତ ୪ ଆକ୍ରାନ୍ତ, ଓଡ଼ିଶାକୁ ଚିନ୍ତା
Corona

Key Points

୪ ବର୍ଷ ପରେ ପୁଣି ଫେରିଲା କରୋନା
ଆନ୍ଧ୍ରାରେ ୨ ମୃତ ୪ ଆକ୍ରାନ୍ତ
ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ଆତଙ୍କର ବାତାବରଣ

ଭୁବନେଶ୍ବର, ୧୧/୦୭: ପୁଣି ଫେରିଲା କରୋନା। 
ଦୀର୍ଘ ୪ ବର୍ଷର ନୀରବତା ପରେ ଦେଶରେ ପୁଣି ଥରେ ଫେରିଛି କରୋନା ମହାମାରୀର ଆତଙ୍କ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ଆଉ ଚାରି ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ ସମଗ୍ର ଅଞ୍ଚଳରେ କାନ୍ଦ ବୋବାଳି ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଆନ୍ଧ୍ରରେ କରୋନା ଜୀବନ ନେବା ପରେ ଏହାର ସିଧାସଳଖ ପ୍ରଭାବ ପଡ଼ୋଶୀ ଓଡ଼ିଶା ଉପରେ ପଡ଼ିଛି। ବିଶେଷ କରି ଓଡ଼ିଶାର ସୀମାନ୍ତ ଜିଲ୍ଲା ଗଞ୍ଜାମରେ ଏବେ ତୀବ୍ର ଆତଙ୍କ ଖେଳିଯାଇଛି। ଆନ୍ଧ୍ରରୁ ଓଡ଼ିଶାକୁ ସଂକ୍ରମଣ ବ୍ୟାପିବା ନେଇ ବଡ଼ ଆଶଙ୍କା ସୃଷ୍ଟି ହୋଇଛି।

ଆନ୍ଧ୍ରପ୍ରଦେଶର କଡ଼ପା ଜିଲ୍ଲାରେ ଏହି କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି କେବଳ ଗଞ୍ଜାମ ନୁହେଁ, ବରଂ ଓଡ଼ିଶାର ଅନ୍ୟ ୪ଟି ସୀମାନ୍ତ ଜିଲ୍ଲା ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ପାଇଁ ଏକ ପ୍ରକାର ହାଇ-ଆଲର୍ଟ ଜାରି କରାଯାଇଛି। ସୀମାନ୍ତ ଦେଇ ଯାତାୟାତ କରୁଥିବା ଲୋକଙ୍କ ଉପରେ ନଜର ରଖିବା ସହ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ତତ୍ପର ହୋଇପଡ଼ିଛି।

ଭେଲୋରରେ ୨ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଗତ ଜୁନ୍‌ ୨୮ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପ୍ରଥମେ ତାଙ୍କୁ ତିରୁପତିସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତାମିଲନାଡୁର ଖ୍ରୀଷ୍ଟିଆନ୍‌ ମେଡିକାଲ୍‌ କଲେଜ୍‌ (ସିଏମ୍‌ସି), ଭେଲୋରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ସଂକ୍ରମିତ ବ୍ୟକ୍ତି ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଭେଲୋର ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ପ୍ରାଣହାନି ଘଟିଛି।
ପଢନ୍ତଚ ଏହି ଖବର: ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁସି ଖବର,ଏଣିକି ସପ୍ତାହକୁ ଥରେ ମାତ୍ର ନେବେ ଇନସୁଲିନ୍

ଚିହ୍ନଟ ହେଲେ ୪ ନୂଆ ପଜିଟିଭ୍‌

ଓମିକ୍ରନ୍‌ ସବ୍‌ଭାରିଆଣ୍ଟ୍‌ ସନ୍ଦେହ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଡ଼ପା ଜିଲ୍ଲାରେ କରାଯାଇଥିବା ଆର୍‌ଟି-ପିସିଆର୍‌ (RT-PCR) ଟେଷ୍ଟ୍‌ରୁ ଆଉ ୪ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ବର୍ତ୍ତମାନର କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁସାରେ ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ୩ ଜଣ ନିଜ ଘରେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ବେଳେ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ର କୋଭିଡ୍‌ ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଛି।

ଏନ୍‌ଆଇଭି ପୁନେକୁ ଗଲା ନମୁନା

ଏହି ସମସ୍ତ ପଜିଟିଭ୍‌ ଏବଂ ମୃତକଙ୍କ କ୍ଷେତ୍ରରେ କୋଭିଡ୍‌ର କ୍ଷତିକାରକ 'ଓମିକ୍ରନ୍‌ ସବ୍‌ଭାରିଆଣ୍ଟ୍‌' (Omicron Sub-variant) ରହିଥିବା ନେଇ ସନ୍ଦେହ କରାଯାଉଛି। ଭୂତାଣୁର ପ୍ରକୃତ ରୂପ ଓ ପ୍ରଭେଦ ଚିହ୍ନଟ କରିବା ପାଇଁ ସଂକ୍ରମିତଙ୍କ ନମୁନାକୁ ମହାରାଷ୍ଟ୍ରର ପୁନେସ୍ଥିତ ନ୍ୟାସନାଲ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (NIV)କୁ ଜିନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। ଆନ୍ଧ୍ରପ୍ରଦେଶରେ କୋଭିଡ୍‌ର ଏହି ପୁନଃପ୍ରବେଶ ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସତର୍କତାମୂଳକ ପଦକ୍ଷେପ ଏବଂ ସ୍କ୍ରିନିଂ ପ୍ରକ୍ରିୟାକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Corona Returns: 2 Dead, 4 COVID Cases in Andhra Pradesh, Odisha on Alert | Argus News