Hotel Fire / କ୍ଷଣିକେ ଉଜୁଡ଼ିଗଲା ଖୁସିର ସଂସାର: ହସ୍ପିଟାଲ ଆସିଥିଲେ ପରିବାର ହୋଟେଲ ନିଆଁରେ ସବୁ ଶେଷ

Key Points
କ୍ଷଣିକେ ଉଜୁଡ଼ିଗଲା ସଂସାର ନିଆଁ ନେଇଗଲା ୮ ଜୀବନ ।
ହସ୍ପିଟାଲ ଆସିଥିଲେ ପରିବାର ହୋଟେଲ ନିଆଁରେ ସବୁ ଶେଷ ।
ନିଆଁ ଆଁରେ ପୁରା ପରିବାର ଛାରଖାର... କ୍ଷଣିକେ ଉଜୁଡ଼ିଗଲା ହସଖୁସିର ସଂସାର । ହସ୍ପିଟାଲରେ ଭର୍ତ୍ତି ବାପାଙ୍କୁ ଦେଖିବାକୁ ଆସି CA ବିବେକ ଅଗ୍ରୱାଲଙ୍କ ସମେତ ପରିବାରର ୮ ଜଣ ଜୀବନ୍ତ ଦଗ୍ଧ । ନିୟତି ଆଗରେ ହାର୍ ମାନିଛି ହସଖୁସିର ପରିବାର ।
ଦିଲ୍ଲୀର ମାଲଭୀୟ ନଗର ହୋଟେଲ ଅଗ୍ନିକାଣ୍ଡରେ ଛାରଖାର ହୋଇଯାଇଛି ଗୁରୁଗ୍ରାମର ସିଏ (CA) ବିବେକ ଅଗ୍ରୱାଲଙ୍କ ପୂରା ସଂସାର । ମ୍ୟାକ୍ସ ହସ୍ପିଟାଲର ଆଇସିୟୁ (ICU) ବେଡ୍ରେ ଜୀବନ ସହ ସଂଗ୍ରାମ କରୁଥିବା ବୃଦ୍ଧ ପିତା ରାଧେଶ୍ୟାମଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ଆରୋଗ୍ୟ କାମନା କରି ସାରା ପରିବାର ଦିଲ୍ଲୀ ଧାଇଁ ଆସିଥିଲେ । ବେଙ୍ଗାଲୁରୁରୁ ଫ୍ଲାଇଟ୍ରେ ଉଡ଼ି ଆସିଥିବା ବଡ଼ ଝିଅ, ପତ୍ନୀ, ମାଆ ଏବଂ ସମ୍ପର୍କ ହେଲେ ଏହି ଯାତ୍ରା ଯେ ଏମିତି ଶେଷ ହେବ, ତାହା କେହି କଳ୍ପନା ସୁଦ୍ଧା କରିନଥିଲେ ।
ବୁଧବାର ସକାଳେ ହୋଟେଲରେ ଜଳଖିଆ ଖାଉଥିବା ସମୟରେ ହଠାତ୍ ଲାଗିଥିବା ସେହି ଭୟାନକ ନିଆଁ । ବିବେକ, ତାଙ୍କ ପତ୍ନୀ ତର୍ଜନୀ, ଦୁଇ ଝିଅ ଏଞ୍ଜେଲ ଓ ପର୍ଲ, ଏବଂ ମାଆ ପ୍ରେମଲତାଙ୍କ ସମେତ ପରିବାର ଓ ସମ୍ପର୍କୀୟଙ୍କ ମୋଟ୍ ୮ ଜଣଙ୍କ ଜୀବନକୁ ଜଳାଇ ପାଉଁଶ କରିଦେଲା ।
ଏପଟେ ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ଲଢ଼ୁଥିବା ସେହି ଅଭାଗା ବାପା ଜାଣିନାହାନ୍ତି ଯେ, ତାଙ୍କୁ ଦେଖିବାକୁ ଆସିଥିବା ପୁଅ-ବୋହୂ ଓ ନାତୁଣୀମାନେ ଏ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇସାରିଛନ୍ତି । ଅଗ୍ନିର ସେହି ଦାଉ ସମଗ୍ର ଅଗ୍ରୱାଲ ପରିବାରକୁ ଉଜାଡ଼ି ଦେଇଥିବା ବେଳେ, ବୃଦ୍ଧ ପିତାଙ୍କୁ ଦେଖାଶୁଣା କରିବାକୁ ଆଜି ସଂସାରରେ କେହି ଜଣେ ହେଲେ ବି ରକ୍ତର ସମ୍ପର୍କ ବାକି ରହିଲା ନାହିଁ ।
ଏଥିସହ ପଢ଼ନ୍ତୁ: ଆଖି ପିଛୁଳାକେ ଜଳିଗଲା ରେଷ୍ଟୁରାଣ୍ଟ: ଚାଲିଗଲା ୨୦ରୁ ଅଧିକ ଜୀବନ
ଏହି ଭୟଙ୍କର ଦୁର୍ଘଟଣା ସମସ୍ତଙ୍କୁ ଥର ହର କରିଦେଇଛି । ସବୁଠି ଶୋକର ଛାୟା । ଯିଏ ଏହି ଘଟଣାର ଭିଡିଓ ଦେଖୁଛି ଆଉ ଜାଣୁଛି ଦୁଃଖରେ ଛାତି ଫାଟି ଉଠୁଛି । ମୃତ୍ୟୁ ସତରେ କଣ ଏମିତି ବି ଆସେ ଭାବିଲେ ବିଶ୍ୱାସ ବି ହେଉନି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି । ସେଠାରେ ଆହତମାନଙ୍କୁ ଭେଟିବା ସହ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ପୀଡ଼ିତ ପରିବାରକୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ହସ୍ପିଟାଲ ବେଡ୍ରେ ମୃତ୍ୟୁ ସହ ଲଢ଼ୁଥିବା ସେ ଅଭାଗା ପିତା ଏବେ ବି ଜାଣିନାହାନ୍ତି ଯେ ତାଙ୍କ ସଂସାର ଆଉ ନାହିଁ ।
📱 Get Argus News App
✨Related Topics
Explore more stories