Indian Railways / ଉତ୍ତର ଭାରତରେ ବୁଲେଟ୍ ଟ୍ରେନ୍ କରିଡର୍କୁ ମଞ୍ଜୁରି, ଦିଲ୍ଲୀରୁ ଆଗ୍ରା ମାତ୍ର ୫୯ ମିନିଟ୍ରେ

Key Points
ଅନୁମୋଦନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏହି ଟ୍ରେନ ଚାଲିଲେ ଦିଲ୍ଲୀରୁ ଆଗ୍ରା ମାତ୍ର ୫୯ ମିନିଟରେ ପହଞ୍ଚି ହେବ
ଦେଶର ରେଳ ଯୋଗାଯୋଗ ଓ ଭିତ୍ତିଭୂମି କ୍ଷେତ୍ରରେ ଆସିବ ଏକ ବଡ଼ ପରିବର୍ତ୍ତନ । ଉତ୍ତର ଭାରତରେ ହାଇସ୍ପିଡ୍ ବୁଲେଟ୍ ଟ୍ରେନ୍ କରିଡର୍ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରି ପ୍ରଦାନ କରିଥିବା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉତ୍ତର ଭାରତର ଅନେକ ପ୍ରମୁଖ ସହର ମଧ୍ୟରେ ଯାତ୍ରା ସମୟ ଯଥେଷ୍ଟ କମିଯିବ ।
ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ କରିଡର୍ ଅନୁଯାୟୀ, ଦିଲ୍ଲୀରୁ ଆଗ୍ରା ମାତ୍ର ୫୯ ମିନିଟ୍ରେ ପହଞ୍ଚି ହେବ । ସେହିପରି ଦିଲ୍ଲୀରୁ କାନପୁର ପାଇଁ ୧ ଘଣ୍ଟା ୪୫ ମିନିଟ୍, ଦିଲ୍ଲୀରୁ ଲକ୍ଷ୍ନୌ ପାଇଁ ୨ ଘଣ୍ଟା ୧୨ ମିନିଟ୍ ସମୟ ଲାଗିବ । ଲକ୍ଷ୍ନୌରୁ ବାରାଣସୀ ୧ ଘଣ୍ଟା ୨୧ ମିନିଟ୍, ବାରାଣସୀରୁ ପାଟନା ମାତ୍ର ୧ ଘଣ୍ଟା ଏବଂ ବାରାଣସୀରୁ ପ୍ରୟାଗରାଜ ମାତ୍ର ୩୩ ମିନିଟ୍ରେ ଯାତ୍ରା ସମ୍ଭବ ହେବ । ଏହାବ୍ୟତୀତ ବାରାଣସୀରୁ ଦିଲ୍ଲୀ ଯିବାକୁ ପ୍ରାୟ ୩ ଘଣ୍ଟା ୩୩ ମିନିଟ୍ ଲାଗିବ ବୋଲି ଆକଳନ କରାଯାଇଛି ।
ଏହି କରିଡର୍ ଦିଲ୍ଲୀରୁ ଆରମ୍ଭ ହୋଇ ଆଗ୍ରା, କାନପୁର, ଲକ୍ଷ୍ନୌ , ଅଯୋଧ୍ୟା, ବାରାଣସୀ, ପ୍ରୟାଗରାଜ, ପାଟନା ଓ ଶିଲିଗୁଡ଼ି ଦେଇ ଆସାମର ଗୁଆହାଟୀ ପର୍ଯ୍ୟନ୍ତ ପ୍ରସାରିତ ହେବାର ଯୋଜନା ରହିଛି । ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ପିଲାର୍ଠାରୁ ଆରମ୍ଭ କରି ଗାର୍ଡର୍ ପର୍ଯ୍ୟନ୍ତ ଭାରତୀୟ ଜ୍ଞାନକୌଶଳ ଓ ଦେଶୀୟ ଇଞ୍ଜିନିୟରଙ୍କ ଦକ୍ଷତାକୁ ବ୍ୟବହାର କରାଯିବ ।
ଏହି ପ୍ରକଳ୍ପ ସଫଳ ହେଲେ ଯାତାୟାତ ସୁବିଧା ବୃଦ୍ଧି ସହିତ ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ଓ ଆଞ୍ଚଳିକ ଅର୍ଥନୀତିକୁ ନୂଆ ଗତି ମିଳିବାର ଆଶା ରହିଛି । ତେବେ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକ୍ଷମ ହେବାର ସମୟସୀମା ସମ୍ପର୍କିତ ବିସ୍ତୃତ ତଥ୍ୟ ଆସିବାକୁ ବାକି ରହିଛି ।
ଏଥି ସହ ପଢନ୍ତୁ: ନଭେମ୍ବର ୧ରୁ ମୋବାଇଲ୍ ୟୁଜର୍ସଙ୍କ ପାଇଁ ନୂଆ ନିୟମ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାମ
📱 Get Argus News App
✨