Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିଭିଆଇପି ଉଡ଼ାଣକୁ ନେଇ ଜାରି ହେଲା ନୂତନ ନିର୍ଦ୍ଦେଶନାମା; ସୁରକ୍ଷା ସହ ହେବ ନାହିଁ କୌଣସି ବୁଝାମଣା

National

DGCA New Rules / ଭିଭିଆଇପି ଉଡ଼ାଣକୁ ନେଇ ଜାରି ହେଲା ନୂତନ ନିର୍ଦ୍ଦେଶନାମା; ସୁରକ୍ଷା ସହ ହେବ ନାହିଁ କୌଣସି ବୁଝାମଣା

Subhramjit Ray
Browse all articles by Subhramjit Ray
·1 month ago·3 min read
ଭିଭିଆଇପି ଉଡ଼ାଣକୁ ନେଇ ଜାରି ହେଲା ନୂତନ ନିର୍ଦ୍ଦେଶନାମା; ସୁରକ୍ଷା ସହ ହେବ ନାହିଁ କୌଣସି ବୁଝାମଣା
DGCA New Rules

Key Points

ଦେଶରେ ଭିଆଇପି/ଭିଭିଆଇପି ବିମାନ ଉଡ଼ାଣକୁ ନେଇ ନୂଆ ଗାଇଡଲାଇନ୍ସ ଜାରି କରିଛି ଡିଜିସିଏ।
DGCA Guidelines for VVIP Flights: ଭିଭିଆଇପି ବିମାନ ଉଡ଼ାଣକୁ ନେଇ ନୂଆ ଗାଇଡଲାଇନ୍ସ ଜାରି କରିଛି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)। ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ଅଧ୍ୟକ୍ଷ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ଡିଜିସିଏ ପକ୍ଷରୁ ନୂତନ ସୁରକ୍ଷା ସମ୍ପର୍କିତ ନିୟମ ଜାରି କରିଛି। ଯେଉଁଥିରେ କୁହାଯାଇଛି ଯେ ଉଡ଼ାଣ ସମ୍ପର୍କରେ ବିମାନ ଚାଳକଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଚୂଡ଼ାନ୍ତ ହେବ। ଆବଶ୍ୟକ ହେଲେ ଉଡ଼ାଣ ବାତିଲ କିମ୍ବା ବିଳମ୍ବ ଅଥବା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଏହା ବ୍ୟତୀତ ଯଦି କୌଣସି ବିମାନ କୌଣସି ପ୍ରକାରର ଯାନ୍ତ୍ରିକ ସମସ୍ୟାର ସାମ୍ନା କରେ ତାହେଲେ ଉଡ଼ାଣ ଭରିବାକୁ ଅନୁମତି ଦିଆଯିବ ନାହିଁ।

ଖରାପ ପାଗ ସମୟରେ ବିମାନ ଉଡ଼ାଣ ନିୟମକୁ ଆହୁରି କଠୋର କରିଛି ଡିଜିସିଏ। ଏଥିରେ କୌଣସି ଛାଡ଼ କରାଯାଇ ନାହିଁ। କେବଳ ଅଭିଜ୍ଞ ପାଇଲଟ ଯାହାର ପ୍ରାୟ ୨ ହଜାର ଘଣ୍ଟା ଉଡ଼ାଣ ଅଭିଜ୍ଞତା ରହିଛି ସେମାନେ କେବଳ ଭିଭିଆଇପି ବିମାନ ଉଡ଼ାଇ ପାରିବେ। ନିର୍ବାଚନ ସମୟରେ ଉଡ଼ାଣକୁ "ହାଇ ରିସ୍କ" (High Risk) ବୋଲି ବିବେଚନା କରାଯିବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଅତିରିକ୍ତ ସତର୍କତା ଅବଲମ୍ବନ କରାଯିବ।

ନୂଆ ସୁରକ୍ଷା ନିୟମାବଳୀ ଅନୁଯାୟୀ, ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ଏକ ବାଧ୍ୟତାମୂଳକ ସୁରକ୍ଷା ଜନିତ ବିପଦର ଆକଳନ କରାଯିବ। ଯଦି ଏହାର ଉଲ୍ଲଂଘନ ହୁଏ, ତାହାଲେ ବିମାନ ସେବା ପ୍ରଦାନ କରୁଥିବା କମ୍ପାନୀ ଏଥିପାଇଁ ଦାୟୀ ରହିବେ। ଦୂର ଦୂରାନ୍ତ ଅଞ୍ଚଳରେ ରହିଥିନବା ହେଲିପ୍ୟାଡ୍ ରେ ଉଡ଼ାଣ ପୂର୍ବରୁ ଏହାକୁ ତନ୍ନ ତନ୍ନ ଯାଞ୍ଚ କରାଯିବ। ଭିଭିଆଇପି ଯାତ୍ରୀଙ୍କୁ ଯେକୌଣସି ପ୍ରକାର ବିଳମ୍ବ କିମ୍ବା ମାର୍ଗ ପରିବର୍ତ୍ତନ କରାଯିବା ବିଷୟରେ ପୂର୍ବରୁ ସୂଚିତ କରାଯିବ। ଏହି ନିୟମ ଉଲ୍ଲଂଘନ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାହା ପାଇଁ ଲାଗୁ ହେବ ଏହି ନିୟମ?
ଏହି ନିୟମ ଲୋକସଭା ବାଚସ୍ପତି, ରାଜ୍ୟସଭା ଉପାଧ୍ୟକ୍ଷ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ଦେଶର ମୁଖ୍ୟ ବିଚାରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ କିମ୍ବା ଏସପିଜି ସୁରକ୍ଷାରେ ରହୁଥିବା ଜେଡ୍ ପ୍ଲସ୍ (SPG Z+ Security) ବର୍ଗର ବ୍ୟକ୍ତିବିଶେଷ ଯାତ୍ରା କରୁଥବା ବିମାନ ପାଇଁ ଏହି ନିୟମ ଲାଗୁ କରାଯିବ।

କାହିଁକି ଲାଗୁ ହେବାକୁ ଯାଉଛି ଏହି ନିୟମ?
ଅତୀତରେ ନିର୍ବାଚନ ଏବଂ ଭିଆଇପି ବିମାନ ଉଡ଼ାଣ ସମୟରେ ଅନେକ ଦୁର୍ଘଟଣା ଏବଂ ନିୟମ ଉଲ୍ଲଂଘନ କରିଥିବାର ରିପୋର୍ଟ ସାମ୍ନାକୁ ଆସିଛି। ବର୍ତ୍ତମାନ ସର୍ବୋଚ୍ଚ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପୁରୁଣା ୧୯୮୧ ଏବଂ ୨୦୧୪ ନିର୍ଦ୍ଦେଶାବଳୀକୁ ବାତିଲ କରି ନୂତନ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି।

ଉଡ଼ାଣ ପରିଚାଳନା ସହିତ ଜଡିତ ପ୍ରମୁଖ ନିୟମ
ଉଡ଼ାଣ ପାଇଁ ବିମାନର ପାଇଲଟ୍ (Pilot) ଏବଂ ଚାଳକ ଦଳ ସଦସ୍ୟଙ୍କ (Flight Crew) ଉପରେ କୌଣସି ଚାପ ପ୍ରୟୋଗ କରାଯିବ ନାହିଁ। ଭିଆଇପି କାରଣରୁ ଶେଷ ମୁହୂର୍ତ୍ତରେ ହେଉଥିବା ପରିବର୍ତ୍ତନ ଚାଳକ ଦଳ ସଦସ୍ୟ ନୁହେଁ କେବଳ କମ୍ପାନୀ ପରିଚାଳନା (Company Management) ମାଧ୍ୟମରେ କରାଯିବ। ଭିଆଇପି ଉଡ଼ାଣ ପାଇଁ କେବଳ ଟ୍ୱିନ୍ ଇଞ୍ଜିନ୍ ବିମାନ (Twin Engine Flight) ଏବଂ ସର୍ବନିମ୍ନ ଦୁଇ ଜଣ ଚାଳକ ଦଳ ସଦସ୍ୟ (Flight Attendant) ରହିବା ଆବଶ୍ୟକ। ଉଡ଼ାଣ ପୂର୍ବରୁ ଏକ ପାସେଞ୍ଜର ମାନିଫେଷ୍ଟ ଏବଂ ଲୋଡ୍ ଏବଂ ଟ୍ରିମ୍ ସିଟ୍ ବାଧ୍ୟତାମୂଳକ। ବିମାନ ନିର୍ଦ୍ଧାରିତ ଓଜନ ସୀମା ମଧ୍ୟରେ ରହିବା ଆବଶ୍ୟକ। ବିମାନରେ ଚଢ଼ିବା ପୂର୍ବରୁ ଲଗେଜ୍ ର ସୁରକ୍ଷା ଯାଞ୍ଚ ବାଧ୍ୟତାମୂଳକ ହେବ।

ପୂର୍ବରୁ ଭିଆଇପି ପାଇବେ ସୂଚନା
ଭିଆଇପିଙ୍କୁ ସେମାନେ ଯାତ୍ରା କରୁଥିବା ବିମାନର କ୍ଷମତା ଏବଂ ସୀମା ବିଷୟରେ ଅବଗତ କରାଯିବ। ବିମାନ ଉଡ଼ାଣ ଯୋଜନା ଏବଂ ପରିଚାଳନା ବିଷୟରେ ପାଇଲଟ୍ ଏବଂ ଇଞ୍ଜିନିୟରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଚୂଡାନ୍ତ ହେବ। ଏହି ପ୍ରକ୍ରିୟାରେ କୌଣସି ବାହ୍ୟ ପ୍ରଭାବ ଅଥବା ହସ୍ତକ୍ଷେପକୁ ଅନୁମତି ଦିଆଯିବ ନାହିଁ।

ହେଲିପ୍ୟାଡ୍ ଏବଂ ଅବତରଣ ସହିତ ଜଡ଼ିତ ନିୟମ
ଉଡ଼ାଣର ଅତି କମରେ ୨୪ ଘଣ୍ଟା ପୂର୍ବରୁ ହେଲିପ୍ୟାଡ୍/ ଏୟାର ଷ୍ଟ୍ରିପ୍ ର ଲିଖିତ ନିଶ୍ଚିତକରଣ ଆବଶ୍ୟକ ହେବ।
ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ (DM/SDM/SSP/SP/SHO)ଙ୍କ ଠାରୁ ଅବତରଣ ଅନୁମତି (No Objection Certicate) ବାଧ୍ୟତାମୂଳକ ହେବ।
ଦୂର ଦୂରାନ୍ତ କିମ୍ବା ଅନିୟନ୍ତ୍ରିତ ହେଲିପ୍ୟାଡ୍ ରେ ଉଡ଼ାଣ ପୂର୍ବରୁ ସ୍ୱତନ୍ତ୍ର ଅନୁମତି ଆବଶ୍ୟକ।
ସୁରକ୍ଷା, ଅଗ୍ନି ନିର୍ବାପନ ଏବଂ ଉଦ୍ଧାର ବ୍ୟବସ୍ଥା ହୋଇ ସାରିବା ପରେ ଯାଇ ଉଡ଼ାଣ ପାଇଁ ଅନୁମତି ପ୍ରଦାନ କରାଯିବ।

ପ୍ରଶାସନର ଦାୟିତ୍ୱ
ହେଲିପ୍ୟାଡ୍ ର ଅବସ୍ଥିତି, ସୁରକ୍ଷା ଏବଂ ଉଦ୍ଧାର ବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା/ରାଜ୍ୟ ପ୍ରଶାସନକୁ ତୁରନ୍ତ ଜଣାଇବାକୁ ହେବ। ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ପରେ ଯାଇ ଭିଭିଆଇପି/ଭିଆଇପି ବିମାନକୁ ଅବତରଣ କରିବାର ଅନୁମତି ପ୍ରଦାନ କରାଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
DGCA New Rules for VVIP Flights: Fresh Guidelines Issued in India | Argus News