Videos
|
National

Leaders Praise Dharmendra Pradhan / ଇସ୍ତଫା ପରେ ଧର୍ମେନ୍ଦ୍ରଙ୍କ ଉପରେ ପ୍ରଶଂସାର ବର୍ଷା, ନେତାମାନେ କହିଲେ ଏମିତି କଥା

Santosh Kumar Sahoo
Browse all articles by Santosh Kumar Sahoo
·1 month ago·5 min read
ଇସ୍ତଫା ପରେ ଧର୍ମେନ୍ଦ୍ରଙ୍କ ଉପରେ ପ୍ରଶଂସାର ବର୍ଷା, ନେତାମାନେ କହିଲେ ଏମିତି କଥା
Dharmendra Pradhan

Key Points

କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦ ଛାଡ଼ିଲେ ଧର୍ମେନ୍ଦ୍ର
ନେତାମାନେ କଲେ ଏମିତି ପ୍ରଶଂସା
‘ଇତିହାସ ମନେ ରଖିବ’ କହିଲେ ହିମନ୍ତ ଶର୍ମା
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଶ ଗଠନରେ ଅବଦାନକୁ ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଉଲ୍ଲେଖନୀୟ ବୋଲି କହିଛନ୍ତି । ତାଙ୍କ କାର୍ଯ୍ୟ ଶିକ୍ଷା କ୍ଷେତ୍ରରେ ବିକାଶ, ଭବିଷ୍ୟତମୁଖୀ ନୀତି ଏବଂ ନୂଆ ଭାରତର ଆକାଂକ୍ଷା ସହ ଜଡ଼ିତ ଥିଲା ବୋଲି କୁହାଯାଇଛି ।



ସେହିପରି ସେ ଆହୁରି କହିଛନ୍ତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଏହି ଇସ୍ତଫା ଏହି କଥାର ପ୍ରମାଣ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପାଇଁ ଛାତ୍ର ଓ ଯୁବପିଢ଼ିର ଭବିଷ୍ୟତ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା । NEET ପରୀକ୍ଷା, ପେପର ଲିକ୍ ଏବଂ ଶିକ୍ଷା ବ୍ୟବସ୍ଥାରେ ଆବଶ୍ୟକୀୟ ସଂସ୍କାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଯେକୌଣସି ଚିନ୍ତାକୁ ଆମ ସରକାର ଅତ୍ୟନ୍ତ ଗମ୍ଭୀରତା ଏବଂ ସମ୍ବେଦନଶୀଳତାର ସହିତ ସମାଧାନ କରୁଛନ୍ତି ।

ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେଶ ଗଠନରେ ଥିବା ଅବଦାନ ଏବଂ ଭାରତୀୟ ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ର ସଫଳ ରୂପାୟନକୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି । ଶୁଭେନ୍ଦୁ ଅଧିକାରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଯୋଗୁଁ ତାଙ୍କ "ହୃଦୟ ଗଭୀର ଭାବେ ଦୁଃଖିତ"।



ସେ କହିଛନ୍ତି ଯେ ସାର୍ବଜନୀନ ଜୀବନରେ ଅନେକ ସମୟରେ କଠିନ ନିଷ୍ପତ୍ତି ନେବାକୁ ପଡିଥାଏ, କିନ୍ତୁ ଦେଶ ଗଠନରେ ତାଙ୍କର ଅବଦାନ ଆଗାମୀ ପିଢ଼ି ପାଇଁ ଚିରସ୍ମରଣୀୟ ହୋଇ ରହିବ । ତାଙ୍କର କାର୍ଯ୍ୟକାଳ ଅନେକ ରୂପାନ୍ତରଣକାରୀ ସଂସ୍କାର ଦ୍ୱାରା ପରିଚିତ ଥିଲା, ଯାହା ଆଗାମୀ ବର୍ଷଗୁଡ଼ିକରେ ଭାରତର ଭବିଷ୍ୟତ ଗଢ଼ିବ । ତାଙ୍କର ଲକ୍ଷ୍ୟ କେବଳ ଶିକ୍ଷିତ କରିବା ନଥିଲା, ବରଂ ପ୍ରତ୍ୟେକ ଯୁବ ଭାରତୀୟଙ୍କୁ ଭାରତୀୟ ମୂଲ୍ୟବୋଧ ସହ ଜଡ଼ିତ କରି ଜଣେ ଜ୍ୱଳନ୍ତ ବିଶ୍ୱ ନାଗରିକ ଭାବେ ସଶକ୍ତ କରିବା ଥିଲା ।

ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ତାଙ୍କ ନିଜସ୍ୱ ନିଷ୍ପତ୍ତି, କିନ୍ତୁ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନକୁ ଇତିହାସ ସକାରାତ୍ମକ ଭାବେ ମୂଲ୍ୟାୟନ କରିବ ।
ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଆସାମ ପାଇଁ ଅନେକ ଯୋଗଦାନ ରହିଛି । ତାଙ୍କ ନେତୃତ୍ୱରେ ଆସାମରେ IIM ସ୍ଥାପନ ହୋଇଥିଲା ଏବଂ ରାଜ୍ୟର ଶିକ୍ଷା କ୍ଷେତ୍ରକୁ ଏହା ଏକ ବଡ଼ ଉପହାର ବୋଲି ସେ କହିଛନ୍ତି ।


ସେ ଆହୁରି କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଭାରତୀୟ ଶିକ୍ଷା ବ୍ୟବସ୍ଥାରୁ ଉପନିବେଶୀୟ ପ୍ରଭାବ ହଟାଇବା ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ କାମ କରିଥିଲେ ବୋଲି ହିମନ୍ତ ଶର୍ମା ମତ ପ୍ରକାଶ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୁଁ ବର୍ତ୍ତମାନର ଘଟଣାକ୍ରମକୁ ଖୁବ ନିକଟରୁ ଅନୁସରଣ କରିନାହିଁ, କିନ୍ତୁ ମୋର ବିଶ୍ୱାସ ଯେ ଇତିହାସ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାରତରେ ନୂଆ ଶିକ୍ଷା ନୀତି ଲାଗୁ କରିଥିବା ଏବଂ ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗ ଦେଇଥିବା ଜଣେ ନେତା ଭାବେ ମନେ ରଖିବ ।”

ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସାର୍ବଜନୀନ ଜୀବନର ପ୍ରତ୍ୟେକ ଦାୟିତ୍ୱକୁ ସମର୍ପିତ, ସଚ୍ଚୋଟ ଏବଂ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ, ସେ ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସେ ଶିକ୍ଷା ବ୍ୟବସ୍ଥାରେ ଅନେକ ଅର୍ଥପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ଭାରତୀୟ ଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ମିଳିଛି, ବୈଷୟିକ ଏବଂ ଉଚ୍ଚଶିକ୍ଷା ବିସ୍ତାରିତ ହୋଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସୁଯୋଗ ଉପଲବ୍ଧ ହୋଇଛି । ଦେଶ ସେବାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯାତ୍ରା ଆଗକୁ ମଧ୍ୟ ଜାରି ରହୁ ଏବଂ ସେ ନୂଆ ଉଚ୍ଚତା ହାସଲ କରନ୍ତୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Rekha Gupta (@gupta_rekha) July 25, 2026
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ତାଙ୍କ କାର୍ଯ୍ୟକାଳ ଓ ସାର୍ବଜନୀନ ଜୀବନର ଅବଦାନକୁ ନେଇ ପ୍ରଶଂସା କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ । ସେ କହିଛନ୍ତି ଯେ, ଛାତ୍ର ରାଜନୀତିରୁ ନିଜର ସାର୍ବଜନୀନ ଜୀବନ ଆରମ୍ଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଦାୟିତ୍ୱରେ ରହି ଦେଶ ସେବା କରିଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଦାୟିତ୍ୱ ନିର୍ବାହ ସମୟରେ ସେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ କୋଟି କୋଟି ପରିବାର ପାଖରେ ରନ୍ଧନ ଗ୍ୟାସ ସଂଯୋଗ ପହଞ୍ଚାଇବାରେ ଭୂମିକା ନେଇଥିବା ଉଲ୍ଲେଖ କରାଯାଇଛି ।



ପରବର୍ତ୍ତୀ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ସେ ଜାତୀୟ ଶିକ୍ଷା ନୀତି (NEP)ର କାର୍ଯ୍ୟକାରୀ ରୂପାୟନରେ ନେତୃତ୍ୱ ନେଇଥିଲେ । ଦେଶର ଶିକ୍ଷା ବ୍ୟବସ୍ଥାରେ ଏହି ନୀତି ଏକ ଦୀର୍ଘସ୍ଥାୟୀ ପ୍ରଭାବ ଛାଡ଼ିବ ବୋଲି ସେ କହିଛନ୍ତି ।

ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟ । ସେ ଦାବି କରିଛନ୍ତି ଯେ, ଛାତ୍ର ଆନ୍ଦୋଳନ ଆରମ୍ଭ ହେବାର ପ୍ରଥମ ଦିନରୁ ହିଁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିଲେ ।

ମଧ୍ୟପ୍ରଦେଶ ସରକାରରେ ମନ୍ତ୍ରୀ ଥିବା କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ସେ ଛାତ୍ର ରାଜନୀତି ସମୟରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାଣିଛନ୍ତି । ତାଙ୍କ ସତ୍ୟନିଷ୍ଠା ଓ ଦଳ ପ୍ରତି ସମର୍ପଣକୁ ପ୍ରଶଂସା କରିବା ଉଚିତ ବୋଲି ସେ କହିଛନ୍ତି ।

ବିଜୟବର୍ଗୀୟ କହିଛନ୍ତି, "ଆନ୍ଦୋଳନର ପ୍ରଥମ ଦିନରୁ ହିଁ ସେ ଦଳର ମୁଖ୍ୟଙ୍କୁ କହିଥିଲେ ଯେ, ଯଦି ଆପଣ ଭାବୁଛନ୍ତି ମୋତେ ଇସ୍ତଫା ଦେବା ଉଚିତ, ତେବେ ମୁଁ ପ୍ରସ୍ତୁତ ଅଛି ।" ତେବେ ସେତେବେଳେ ଦଳର ମୁଖ୍ୟ ଇସ୍ତଫା ଦେବାକୁ ମନା କରିଥିଲେ । କିନ୍ତୁ ପରିସ୍ଥିତି ଏପରି ହେଲା ଯେତେବେଳେ ଦଳ ଇସ୍ତଫା ନେବାକୁ ନିଷ୍ପତ୍ତି ନେଲା, ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ନିଜ ପଦ ଛାଡ଼ିଥିଲେ ବୋଲି ସେ କହିଛନ୍ତି ।

ବିଜୟବର୍ଗୀୟ ଆହୁରି କହିଛନ୍ତି ଯେ, ଏହା ଜଣେ ଭଲ ଦଳୀୟ କର୍ମୀଙ୍କ ପରିଚୟ । ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ସହ ବିଜୟବର୍ଗୀୟ ଦାବି କରିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଭାରତକୁ ଅସ୍ଥିର କରିବାକୁ ଚାହୁଁଥିବା "ବିଦେଶୀ ଶକ୍ତି"ଙ୍କ ଯୋଜନାକୁ ବିଫଳ କରିଛି । ବାଂଲାଦେଶ ଓ ଶ୍ରୀଲଙ୍କା ଭଳି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବାର ଚେଷ୍ଟା ହେଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।