Videos
|
National

Dogs Can Detect Cancer / ମଣିଷର ନିଶ୍ଵାସରୁ କୁକୁର ଜାଣି ପାରୁଛି ହୋଇଛି କି କ୍ୟାନସର୍

Sushanta Sahoo
Browse all articles by Sushanta Sahoo
·2 months ago·3 min read
ମଣିଷର ନିଶ୍ଵାସରୁ କୁକୁର ଜାଣି ପାରୁଛି ହୋଇଛି କି କ୍ୟାନସର୍
AI and Trained Dogs May Detect Cancer

Key Points

ଜୀବଜନ୍ତୁଙ୍କ ମଧ୍ୟରେ ମଣିଷର ସବୁଠୁ ବିଶ୍ଵସ୍ତ ସାଥୀ ହେଉଛି କୁକୁର । ଏବେ ଏହି କୁକୁର ମଣିଷକୁ କ୍ୟାନସର୍ ହେଲେ ଜାଣିପାରୁଛି । ମଣିଷର ନିଶ୍ଵାସରୁ କୁକୁର ଚିହ୍ନଟ କରିପାରୁଛି କ୍ୟାନସର୍ ରୋଗ ।
ବେଙ୍ଗାଲୁରୁ: କ୍ୟାନସର୍ ବା କର୍କଟ, ଆଜିର ଦିନରେ ବିଶ୍ଵର ଅନ୍ୟ ମାରାତ୍ମକ ରୋଗ ଭିତରୁ ଅନ୍ୟତମ । ଭାରତରେ ମଧ୍ୟ ପ୍ରତି ୯ ଜଣରେ ଜଣଙ୍କ ଠାରେ କ୍ୟାନସର୍ ଚିହ୍ନଟ ହେଉଛି । ଏସିଆର ଦ୍ଵିତୀୟ ଓ ବିଶ୍ଵର ତୃତୀୟ ଦେଶ ଭାବେ ଭାରତରେ ଚିହ୍ନଟ ହେଉଛନ୍ତି ସର୍ବାଧିକ କର୍କଟ ଆକ୍ରାନ୍ତ ।

ତଥ୍ୟ କହୁଛି, ଆମ ଦେଶରେ ପ୍ରତିବର୍ଷ ୧୪ ଲକ୍ଷ କ୍ୟାନସର୍ ପୀଡ଼ିତ ଚିହ୍ନଟ ହେଉଛନ୍ତି । ଆଉ ଅଧିକାଂଶ ମାମଲା କ୍ୟାନସର୍‌ର ଶେଷ ବା ଚତୁର୍ଥ ପର୍ଯ୍ୟାୟରେ ଜଣାପଡ଼ୁଛି । ଏଥିସହ କ୍ୟାନସର୍ ଚିହ୍ନଟ ଲାଗି ଭାରତରେ ଏବେ ୧୫ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଯାହାକି ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ।

କ୍ୟାନସରର ଭୟାବହତା ଓ ଜଟିଳତା ଭିତରେ ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ ଡଗ୍ନୋସିସ୍ (Dognosis) ଆଣିଛି ଆଶ୍ଵସ୍ତି କଲା ଭଳି ଖବର । ଡଗ୍ନୋସିସ୍‌ର ଦାବି ହେଲା, କୁକୁର ଓ AI ମାଧ୍ୟମରେ ମଣିଷର ନିଶ୍ଵାସରୁ କ୍ୟାନସର୍ ଚିହ୍ନଟ କରାଯାଇପାରୁଛି । ଏପରିକି ଡାକ୍ତର ଯେତେବେଳେ ପ୍ରଥମ ପର୍ଯ୍ୟାୟରେ କ୍ୟାନସର୍ ଚିହ୍ନଟ କରିବାରେ ଅକ୍ଷମ, ସେତେବେଳେ କୁକୁର ଫାଷ୍ଟ ଷ୍ଟେଜ୍ କ୍ୟାନସର୍ ଚିହ୍ନଟ କରିପାରୁଛି ।

ଡଗ୍ନୋସିସ୍‌ର ଦାବି ହେଲା, ଏହି ନୂତନ ପ୍ରକ୍ରିୟାରେ କ୍ୟାନସର୍‌ର ଚିହ୍ନଟ ଶୀଘ୍ର ହେବା ସହ କମ୍ ଖର୍ଚ୍ଚ ହେବ ଏବଂ ଏହା ସମସ୍ତଙ୍କ ନିକଟରେ ପହଞ୍ଚା ଯାଇପାରିବ । ଏଥିପାଇଁ ଡଗ୍ନୋସିସ୍ ୨ଟି ପର୍ଯ୍ୟାୟ ପରୀକ୍ଷଣ ବି ସରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଷ୍ଟାର୍ଟଅପ୍ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ କର୍ଣ୍ଣାଟକରେ କରାଯାଇଛି । ଅଙ୍କୋଲୋଜିଷ୍ଟ ଡକ୍ଟର ବିଆର୍ ପାଟିଲ୍ କହିଛନ୍ତି, "୬ଟି ହସ୍ପିଟାଲ୍‌ର ୧୫୦୨ ଜଣ ପୀଡ଼ିତଙ୍କୁ ପରୀକ୍ଷଣରେ ସାମିଲ୍ କରାଯାଇଥିଲା । ଏହି ପରୀକ୍ଷଣରେ କୁକୁର ଓ AI ମାଧ୍ୟମରେ ଯାଞ୍ଚ କରାଯାଇଥିବା ନମୁନାରୁ ୯୦ ପ୍ରତିଶତରୁ ଅଧିକ ସଠିକତା ରହିଛି । ୭ ପ୍ରକାର କ୍ୟାନସରକୁ କୁକୁର ଚିହ୍ନଟ କରିପାରିଛି ।"

କୁକୁର କେମିତି ଚିହ୍ନୁଛି କ୍ୟାନସର୍ ?

ଡଗ୍ନୋସିସ୍‌ର CEO ଆକାଶ କୁଲଗଡ୍ କହିଛନ୍ତି, "ପ୍ରଥମେ କ୍ୟାନସର ସନ୍ଦିଗ୍ଧଙ୍କୁ ମୁହଁରେ ଏକ ସ୍ଵତନ୍ତ୍ର ମାସ୍କ ପିନ୍ଧା ଯାଇଥାଏ । ୧୦ ମିନିଟ୍ ମାସ୍କଟି ପିନ୍ଧିଲା ପରେ ତାହା ଭୋଲାଟାଇଲ୍ ଅର୍ଗାନିକ୍ କମ୍ପାଉଣ୍ଡସ୍ (VOCs)କୁ ମଣିଷ ନିଶ୍ଵାସରୁ ଗ୍ରହଣ କରିଥାଏ ।"

ଏହାପରେ ସେହି ମାସ୍କକୁ ଲାବୋରେଟୋରୀକୁ ନିଆଯାଇଥାଏ । ଯେଉଁଠି ନିୟନ୍ତ୍ରିତ ପରୀକ୍ଷାଗାରରେ ସ୍ଵତନ୍ତ୍ର ତାଲିମପ୍ରାପ୍ତ କୁକୁର ମାସ୍କକୁ ଶୁଂଘି ଥାଏ । କୁକୁରର ପ୍ରତିକ୍ରିୟାକୁ ସେନସର ସହାୟତାରେ ଗ୍ରହଣ କରାଯାଇ AI ସହାୟତାରେ ବିଶ୍ଲେଷଣ କରାଯାଇ କ୍ୟାନସର୍ ଚିହ୍ନଟ କରାଯାଉଥିବା କହିଛନ୍ତି ଆକାଶ କୁଲଗଡ୍ ।

ଏବେ ଡଗ୍ନୋସିସ୍ ମୁଖ୍ୟତଃ ବ୍ରେଷ୍ଟ କ୍ୟାନସର୍, ସର୍ଭାଇକାଲ୍ ଏବଂ ଓରାଲ୍ କ୍ୟାନସର୍ ଚିହ୍ନଟ ଉପରେ ଗୁରୁତ୍ଵ ଦେଉଛି । କମ୍ପାନୀ ପାଖରେ ଏବେ ୧୫ଟି ତାଲିମପ୍ରାପ୍ତ କୁକୁର ଅଛନ୍ତି । ଯେଉଁଥିରେ ବିଗଲେସ୍, ଲାବ୍ରାଡର, ଡଚ୍ ଶେଫ୍ରେଡ-ବେଜିଆନ୍ ଆଦି କୁକୁର ଅଛନ୍ତି ।

ଆଗକୁ ବଡ଼ ପରୀକ୍ଷଣ

ଡଗ୍ନୋସିସ୍‌ର ଯୋଜନା ଅନୁସାରେ, ଆଗାମୀ ୬ରୁ ୯ ମାସ ମଧ୍ୟରେ ୩୦ ହଜାରରୁ ଅଧିକ ଲୋକଙ୍କୁ ନେଇ ବଡ଼ ଧରଣର କ୍ୟାନସର୍ ସ୍କ୍ରିନିଂ କରାଯିବ । ଏଥିପାଇଁ କମ୍ପାନୀ ଅଙ୍କୋଲୋଜି (Oncology) ନେଟୱର୍କ କ୍ଲିୟରମେଡି ସହ ଯୋଡ଼ି ହୋଇଛି । କ୍ଲିୟରମେଡି ପାଖରେ ଦେଶରେ ୭ଟି କ୍ୟାନସର୍ ହସ୍ପିଟାଲ୍ ରହିଛି ।

ଏଥିସହ ଡଗ୍ନୋସିସ୍‌ ପକ୍ଷରୁ ଭାରତ ଓ ଆମେରିକା ସରକାରଙ୍କ ସହ ଆଲୋଚନା କରାଯାଉଛି । ଅନ୍ତର୍ଜାତୀୟ ଲାବୋରେଟୋରୀ ଗୁଣବତ୍ତା ସହ ଡଗ୍ନୋସିସ୍‌ ଏହି ସେବାର ବାଣିଜ୍ୟିକ ଆରମ୍ଭ ୨୦୨୭ରେ କରିବାକୁ ଲକ୍ଷ୍ୟ ରଖିଛି ।

ଡଗ୍ନୋସିସ୍‌ର କାର୍ଯ୍ୟକର୍ତ୍ତା ମନଲ ଶକୀଲ କହିଛନ୍ତି, "ଆଗକୁ ଆମେ ସରକାରଙ୍କ ସହଭାଗୀତା ଲକ୍ଷ୍ୟ ରଖିଛି । ଏଥିପାଇଁ ପଞ୍ଜାବ NHM, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା ଜାରି ରହିଛି ।"

ତେବେ ଡଗ୍ନୋସିସ୍‌ କ୍ୟାନସର୍ ସ୍କ୍ରିନିଂର ମୂଲ୍ୟ କେତେ ରହିବ ତାହା ଏବେ ସୁଦ୍ଧା ସ୍ଥିର ହୋଇନାହିଁ । ତଥାପି ବର୍ତ୍ତମାନର ବଜାର ମୂଲ୍ୟ ଠାରୁ କମ୍ ରହିବ ବୋଲି ଡଗ୍ନୋସିସ୍‌ ପକ୍ଷରୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ: ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଅତି ବିପଜ୍ଜନକ ୧୬ ମେଡିସିନ୍; ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର 
Dogs Can Detect Cancer From Human Breath, Bengaluru Startup Claims | Argus News | Argus News