ଶେଷ ପର୍ଯ୍ୟାୟରେ ମିଶନ ଜୀବନ, ଖୁବଶୀଘ୍ର ସରିବ ଟନେଲ ଭିତରେ ଜୀବନ ସଂଗ୍ରାମ

ଅର୍ଗସ ବ୍ୟୁରୋ : ମୁକ୍ତି ଅପେକ୍ଷାରେ ୪୧ ଜୀବନ । ଉତ୍ତରକାଶୀର ସିଲ୍କିୟାରା ଟନେଲ୍ ଭିତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ମିଶନ ଜୀବନ । ୧୩ ଦିନ ହେବ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୯ ଏଜେନ୍ସି ଲାଗିପଡ଼ିଛନ୍ତି । ଗତ ରାତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆମେରିକାରୁ ଅସିଥିବା ଅଗର ଡ୍ରିଲିଂ ମେସିନ ଭାଙ୍ଗି ଯିବାରୁ ଡ୍ରିଲିଂ କିଛି ସମୟ ପାଇଁ ବନ୍ଦ ରହିଥିଲା । ଏପଟେ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଯାଇଛି ହୀରାକୁଦରୁ ସ୍ୱତନ୍ତ୍ର ଅଗର ମେସିନ । ଗ୍ରୀନ କରିଡରରେ ସମ୍ବଲପୁରରୁ ଅଗର ମେସିନ ପଠାଯାଇଛି । ଓଡ଼ିଶାରୁ ଯାଇଥିବା ଅଗର ମେସିନ ବ୍ୟବହାରକ୍ଷମ ହେବା ପରେ ପୁନଃ ଉଦ୍ଧାର କାର୍ଯ୍ୟ ଜୋରଦାର ହେବା ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ : ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ
ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଚାଲିଥିବା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ୫୭ ମିଟରରୁ ପାଖାପାଖି ୫୦ ମିଟର ପାଇପ୍ ଡ୍ରିଲିଂ କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ । ୪୧ ଶ୍ରମିକଙ୍କ ସହ କଥା ହୋଇ ଆଶ୍ୱାସନା ଦେଇଥିଲେ । ଆଜି ଶ୍ରମିକଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଛି । ଗୁରୁବାର ସକାଳ ସୁଦ୍ଧା ଶ୍ରମିକମାନେ ବାହାରକୁ ଆସିବେ ବୋଲି ପୂର୍ବରୁ କୁହାଯାଉଥିଲା । କିନ୍ତୁ ଡ୍ରିଲିଂରେ ସମସ୍ୟା ଓ ମେସିନ୍ ଖରାପ ହେବା ଯୋଗୁଁ ମିଶନ୍ ପ୍ରଭାବିତ ହୋଇଥିଲା ।
📱 Get Argus News App
✨ବର୍ତ୍ତମାନ ସୁଦ୍ଧା ମେସିନ ୩ ଥର ଭାଙ୍ଗିବା ଯୋଗୁ ଉଦ୍ଧାର ପ୍ରକ୍ରିୟା ବିଳମ୍ବ ହୋଇଛି । ଦୀର୍ଘ ୧୩ ଦିନ ଧରି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସଙ୍ଗୀନ ହେବା ଆଶଙ୍କା ରହିଥିବାରୁ ଉଦ୍ଧାରକାରୀ ଟିମ ଏଥିପ୍ରତି ସତର୍କ ହୋଇଛନ୍ତି । ଟନେଲ ଭିତରକୁ ଯେପରି କମ ଧୂଳି ଓ ଧୂଆଁ ଯିବ, ସେଥିପାଇଁ ସତର୍କତାର ସହ ଡ୍ରିଲିଂ କରାଯାଉଛି । ଟନେଲ ଭିତରକୁ ପଠାଯାଇଥିବା ୩୨ ଇଞ୍ଚର ପାଇପ୍ ଜରିଆରେ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ୪୦ରୁ ଅଧିକ ଆମ୍ବୁଲାନ୍ସ ସହ ପ୍ରସ୍ତୁତ ରହିଛି ହେଲିକପ୍ଟର । ନିକଟସ୍ଥ ମେକସିଫ୍ଟ ହସ୍ପିଟାଲ ସମେତ ଏମସ ଋଷିକେଶରେ ବି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସୁଡ଼ଙ୍ଗ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଅସୁସ୍ଥ ଥିବା ଶ୍ରମିକଙ୍କୁ ହସ୍ପିଟାଲରେ ଚିକିତ୍ସିତ କରାଯିବ । ସେଥିପାଇଁ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି । ସୁଡ଼ଙ୍ଗ ଭିତରେ ଡ୍ରୋନ୍ ସାହାଯ୍ୟରେ ଶ୍ରମିକଙ୍କ ଗତିବିଧି ନିରୀକ୍ଷଣ କରାଯାଉଛି । ୧୩ ଦିନ ହେଲା ୫ ଜଣ ଓଡ଼ିଆ ସମେତ ୪୧ ଶ୍ରମିକ ଟନେଲ୍ ଭିତରେ ଫସି ରହିଛନ୍ତି । ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଶ୍ରମିକ । ଆଜି ଶ୍ରମିକଙ୍କୁ ଉଦ୍ଧାର ସମ୍ଭାବନା ଥିବାରୁ ଟନେଲ ଉଦ୍ଧାର କାର୍ଯ୍ୟର ରିହର୍ସାଲ କରିବା ସହ ଡେମୋ ଦେଖାଇଛି ଏନଡିଆରଏଫ ।
ଯୋଜନା ଅନୁସାରେ ଏକ ୩ ଫୁଟ ପାଇପ୍ ଭିତର ଦେଇ ଜଣ ଜଣ କରି ଶ୍ରମିକଙ୍କୁ ବାହାର କରାଯିବ । ଚକ ଲାଗିଥିବା ଏକ ଷ୍ଟ୍ରେଚର ପ୍ରଥମେ ଭିତରକୁ ଯିବ । ବାହାର ପଟରୁ ଏକ ଶକ୍ତ ଦଉଡି ଏହି ଷ୍ଟ୍ରେଚରରେ ବନ୍ଧା ହୋଇ ରହିବ । ସେପାଖରୁ ଜଣେ ଶ୍ରମିକ ଷ୍ଟ୍ରେଚର ଉପରେ ଶୋଇ ରହିବେ ଓ ଏପଟେ ବାହାର ପାଖରୁ ଉଦ୍ଧାରକାରୀ ଟିମ୍ ଦଉଡି ମାଧ୍ୟମରେ ଷ୍ଟ୍ରେଚର ସହ ଶ୍ରମିକଙ୍କୁ ଟାଣି ବାହାରକୁ ଆଣିବେ । ଏହିପରି ଜଣଙ୍କ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରତିଥର ଷ୍ଟ୍ରେଚରକୁ ଭିତରକୁ ପଠାଯିବ । ଏନଡିଆରଏଫ ଟିମର ଏହି ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ଶୀଘ୍ର ଶେଷ ହେବା ଆଶା ବଢାଇଛି । ସମସ୍ତଙ୍କୁ ନିରାପଦରେ ଟନେଲ ଭିତରୁ ବାହାର କରିବା ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।