Videos
|
National

Police Clash Outside Bar / ନିଶାରେ ବାରରେ ହଙ୍ଗାମା କଲେ ପୋଲିସ କର୍ମଚାରୀ, ବାହାରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା

Bikash Mohanty
Browse all articles by Bikash Mohanty
·2 weeks ago·2 min read
ନିଶାରେ ବାରରେ ହଙ୍ଗାମା କଲେ ପୋଲିସ କର୍ମଚାରୀ, ବାହାରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା
Bar

Key Points

ଖାକି ପୋଷାକରେ ଲାଗିଛି ଦାଗ
ନିଶାରେ ବାରରେ ହଙ୍ଗାମା କଲେ ପୋଲିସ କର୍ମଚାରୀ
ବାହାରେ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡ଼ା

ଓ୍ବାରଙ୍ଗଲ,୨୪/୦୮: ଖାକି ପୋଷାକରେ ଲାଗିଛି ଦାଗ। ନିଶାରେ ଚୁର୍‌ ହୋଇ ବାରରେ ହଙ୍ଗାମା କରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳଙ୍କୁ ଅନ୍ୟ ଜଣେ ସିଭିଲ୍‌ ପୋଲିସ କନଷ୍ଟେବଳଙ୍କ ସମେତ ୩ ଜଣ ମିଶି ମାଡ଼ ମାରିଥିବା ଘଟଣା ଚର୍ଚ୍ଚାକୁ ଆସିଛି। ଘଟଣାଟି ୱାରାଙ୍ଗଲ୍‌ର ମିଲ୍ସ କଲୋନି ଥାନା ଅଞ୍ଚଳରେ ଘଟିଥିବା ବେଳେ, ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୂଚନା ଅନୁସାରେ, ଅଗଷ୍ଟ ୧୯ ତାରିଖ ବିଳମ୍ବିତ ରାତିରେ ଉର୍ସ ଗୁଟ୍ଟାସ୍ଥିତ କଳିଙ୍ଗ ବାର୍‌ ଆଣ୍ଡ ରେଷ୍ଟୁରାଣ୍ଟରେ ଟିଏସ୍‌ଏସ୍‌ପି ଚତୁର୍ଥ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ମନୋଜ ମଦ୍ୟପାନ କରିଥିଲେ। ବିଲ୍‌ ପୈଠ କରିବା ସମୟରେ ସେ ହଙ୍ଗାମା କରୁଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ବାର୍‌ କର୍ମଚାରୀମାନେ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଡ୍ୟୁଟିରେ ଥିବା ବିଟ୍‌ କନଷ୍ଟେବଳ ସନ୍ତୋଷ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳେ ମନୋଜ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିବା ଅଭିଯୋଗ ହୋଇଛି। ସନ୍ତୋଷ ତାଙ୍କୁ ସାର୍ଟ ପିନ୍ଧିବାକୁ କହିଥିଲେ। ହେଲେ ବାରମ୍ବାର କହିବା ସତ୍ତ୍ୱେ ମନୋଜ କଥା ନ ଶୁଣିବାରୁ ଦୁଇ କନଷ୍ଟେବଳଙ୍କ ମଧ୍ୟରେ ବଚସା ହୋଇଥିଲା।

ପଢନ୍ତୁ ଏହି ଖବର: ହୋଟେଲ ମାଲିକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅର୍ଥ ଲାଳସା ଦେଖାଇ ନିର୍ଯାତନା ଦେଉଥିବା ଅଭିଯୋଗ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଭିଯୋଗ ଅନୁସାରେ, ସନ୍ତୋଷ ମନୋଜଙ୍କୁ ଚାପୁଡ଼ା ମାରିବା ପରେ ମନୋଜ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହାପରେ ପରିସ୍ଥିତି ହିଂସାତ୍ମକ ରୂପ ନେଇଥିଲା। ସନ୍ତୋଷ ତାଙ୍କ ଲାଠିରେ ମନୋଜଙ୍କୁ ପିଟିବା ଆରମ୍ଭ କରିଥିବା ବେଳେ ଆଉ ଦୁଇଜଣ ବ୍ୟକ୍ତି ମଧ୍ୟ ତାଙ୍କ ସହ ମିଶି ମନୋଜଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି।

ଜଣେ ବାଡ଼ିରେ ମନୋଜଙ୍କୁ ପିଟିଥିବା ବେଳେ ଅନ୍ୟ ଜଣେ ମୁଠା ମାରିଥିବା ଅଭିଯୋଗ ହୋଇଛି। କିଛି ମିନିଟ୍‌ ଧରି ଏହି ମାଡ଼ପିଟ ଚାଲିଥିଲା। ମନୋଜ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। ଏପରିକି ତାଙ୍କର ଜଣେ ସହକର୍ମୀ ମଧ୍ୟ ହସ୍ତକ୍ଷେପ କରି ତିନିଜଣଙ୍କୁ ମାଡ଼ ମାରିବାରୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଘଟଣାର ଭିଡିଓ ଶନିବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାଟି ଉଚ୍ଚ ଅଧିକାରୀଙ୍କ ନଜରକୁ ଆସିବା ପରେ ମିଲ୍ସ କଲୋନି ପୋଲିସ ମନୋଜଙ୍କ ବିରୋଧରେ ମାମଲା ରୁଜୁ କରିଛି। ଡ୍ୟୁଟିରେ ଥିବା କନଷ୍ଟେବଳଙ୍କୁ କର୍ତ୍ତବ୍ୟ ପାଳନରେ ବାଧା ଦେବା ଏବଂ ଅଶାନ୍ତି ସୃଷ୍ଟି କରିବା ଅଭିଯୋଗରେ ଏହି ମାମଲା ହୋଇଥିବା କୁହାଯାଇଛି।

ଏନେଇ ମନୋଜଙ୍କୁ ନୋଟିସ ଜାରି କରାଯାଇଥିବା ମଧ୍ୟ ସୂଚନା ମିଳିଛି। ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ କର୍ମଚାରୀଙ୍କ ଆଚରଣକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
Drunk Police Personnel Create Ruckus at Bar, Cops Clash Outside | Argus News