ସାମୁଦ୍ରିକ ପଥରେ ହୋଇପାରେ ଅନୁପ୍ରବେଶ

Key Points
- ବାଂଲାଦେଶରେ ଅସ୍ଥିରତା ପରେ ଓଡିଶା ସୀମାରେ ଅନୁପ୍ରବେଶ ଚିନ୍ତା
- ସାମୁଦ୍ରିକ ପଥରେ ହୋଇପାରେ ଅନୁପ୍ରବେଶ
- ଓଡ଼ିଶା ଉପକୂଳ ଦେଇ ବାଂଲାଦେଶୀ ଅନୁପ୍ରବେଶ କରିବା ନେଇ ଆଶଙ୍କା
ଅର୍ଗସ ବ୍ୟୁରୋ: ବାଂଲାଦେଶରେ ଲାଗିରହିଥିବା ଅସ୍ଥିରତା କାରଣରୁ ଭାରତ ପାଇଁ ବିଶେଷ କରି ଓଡିଶା ପାଇଁ ଚିନ୍ତା ବଢିଛି । ଓଡିଶା ଉପକୂଳ ଦେଇ ବାଂଲାଦେଶୀ ଅନୁପ୍ରବେଶ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜଳ ପଥ କିମ୍ବା ସ୍ଥଳ ପଥରେ ଆସିପାରନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଜଳ ପଥରେ ବାଲେଶ୍ବର, ଭଦ୍ରକ, ଜଗତସିହଂପୁର, ପୁରୀ, କେନ୍ଦ୍ରାପଡା ଦେଇ ଆସିପାରନ୍ତି ଅନୁପ୍ରବେଶକାରୀ । ଇଏ ହେଉଛି ଜଳ ପଥରେ ସେହି ରୁଟ ଚାର୍ଟ । ବାଲେଶ୍ବର ଜିଲ୍ଲାରେ 84 କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ସମୁଦ୍ର । ଓଡିଶାକୁ ଆସିବା ପାଇଁ ଏହା ସହଜ ରାସ୍ତା । ବାଲେଶ୍ବର ଜିଲ୍ଲାର ତାଳସାରୀ, କସାଫଳ, ଉଦୟଗିରି ଏବଂ ବଳରାମଗଡି ପଏଣ୍ଟରେ ହୋଇପାରେ ଅନୁପ୍ରବେଶ ।
ଓଡିଶା ସୀମାରେ ବାଂଲାଦେଶୀ ଅନୁପ୍ରବେଶକୁ ରୋକିବା ପାଇଁ ହେଲେ ରାଜ୍ୟରେ ଉପକୂଳ ସୁରକ୍ଷା ସୁନିଶ୍ଚିତ କରିବାକୁ ପଡିବ । ସାମୁଦ୍ରିକ ଥାନାଗୁଡ଼ିକୁ ମଜବୁତ କରାନଗଲେ ଅନୁପ୍ରବେଶ ରୋକି ହେବ ନାହିଁ ।
ତଟବର୍ତ୍ତୀ ଇଲାକାର ସୁରକ୍ଷା ଓ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତିଆରି ହୋଇଥିଲା ସାମୁଦ୍ରିକ ଥାନା। ମାତ୍ର ନିର୍ମାଣର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ପରିଚାଳନାରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହୋଇଛି ।
ବିଭିନ୍ନ ସମୟରେ ବାଲେଶ୍ବରଠାରୁ କେନ୍ଦ୍ରାପଡ଼ା ମଧ୍ୟରେ ଅତି କମରେ ୫୦ ହଜାର ବାଂଲାଦେଶୀ ପଶିଛନ୍ତି। ଏବେ ତଟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଭଦ୍ରକ ଜିଲାର ରହିଛି 3ଟି ସାମୁଦ୍ରିକ ଥାନା । ପ୍ରଥମେ ଧାମରା ପରେ ଚୁଡାମଣି ଓ କସିଆ ସାମୁଦ୍ରିକ ଥାନା । ଲକ୍ଷ ରହିଥିଲା ଜଳପଥରେ ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ଓ ରୋକିବା । ହେଲେ ସେହି ସାମୁଦ୍ରିକ ଥାନା ଗୁଡିକ ଏବେ ଦୟନୀୟ ଅବସ୍ଥାରେ ରହିଛି । ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ନା ତାଙ୍କ ପାଖରେ ବନ୍ଧୁକ ଅଛି ନା ରହିଛି ବୋଟ । କେବଳ ଗାଡି ଓ ବାଡ଼ିରେ ଚାଲିଛି ସାମୁଦ୍ରିକ ଥାନା । ବୋଟ ନଥିବାରୁ ସମୁଦ୍ରରେ ପେଟ୍ରୋଲିଂ କରିପାରୁ ନାହାନ୍ତି ପୋଲିସ କର୍ମଚାରୀ ।
କେନ୍ଦ୍ରାପଡ଼ା ଜିଲ୍ଲାର ତନ୍ତିଆ ପାଳ ସାମୁଦ୍ରିକ ଥାନା ଓ ଜମ୍ବୂ ସାମୁଦ୍ରିକ ଥାନା ବଙ୍ଗୋପସାଗରର ମୁହାଣ ନିକଟରେ । ଏହି ମୁହାଣ ନିକଟରୁ ଜଳପଥରେ ବୋଟ ଯୋଗେ ମାତ୍ର ୧୦ ରୁ ୧୨ ଘଣ୍ଟା ଲାଗିବ । ମାତ୍ର ସୁରକ୍ଷା ପାଇଁ କୋଣସି ବ୍ୟବସ୍ଥା ନାହିଁ ।
📱 Get Argus News App
✨ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ବାଲେଶ୍ବର ଜିଲ୍ଲାରେ ସମସ୍ତ ସାମୁଦ୍ରିକ ଥାନାରେ ୧୬ ଜଣ ଅବସରପ୍ରାପ୍ତ ନୌସେନା ଯବାନ ନିଯୁକ୍ତି ପାଇଥିଲେ। ୨୦୧୪ରେ ତାଳସାରୀ ସାମୁଦ୍ରିକ ଥାନା ପ୍ରତିଷ୍ଠା କରାଗଲା। ବଳରାମଗଡ଼ି ଭଳି କଷାଫଳରେ ମଧ୍ୟ ସମାନସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି ପାଇଲେ। କିଛି ମାସ ଠିକ୍ଠାକ୍ ଚାଲିବା ପରେ ଥାନାରେ ପାଟ୍ରୋଲିଂ ପାଇଁ ନା ଅଛି ଗାଡ଼ି, ନା ଅଛି ସ୍ପିଡ୍ ବୋଟ୍। ହାତରେ ସେମିତି ଅସ୍ତ୍ରଶସ୍ତ୍ର ବି ନାହିଁ।
ବିଜେଡି ଶାସନର 24 ବର୍ଷ ଭିତରେ ସାମୁଦ୍ରିକ ଥାନାକୁ ଗୁରୁତ୍ବ ଦିଆଯାଇନାହିଁ । ଏବେ ମୋହନ ସରକାର ଏଥିପ୍ରତି ଗୁରୁତ୍ବ ନ ଦେଲେ ରାଜ୍ୟରେ ଅନୁପ୍ରବେଶ ବଢ଼ିପାରେ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଯେତେ ପ୍ରବେଶ ପଥ ଅଛି, ଯେଉଁଠି କେହି ଅନୁପ୍ରବେଶ କରିବା ସମ୍ଭାବନା ଅଛି ସେ ସବୁ ପଥରେ ତୀକ୍ଷିଣ ଦୃଷ୍ଟି ରହିଛି ।
ଗୋଟିଏ ପଟେ ବାଂଲାଦେଶୀ ଅନୁପ୍ରବେଶକାରୀ ଓ ଅନ୍ୟପଟେ ମେଲାମୁକୁଳା ତଟକୂଳ। ଦୁର୍ବଳ ସାମୁଦ୍ରିକ ଥାନା । ଯାହା ଉପକୂଳ ଅଞ୍ଚଳର ଧନଜୀବନ ସୁରକ୍ଷା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ।
ଆହୁରି ପଢନ୍ତୁ ଓଡିଶା ଖବର...