Videos
|
National

Captain Smit Machhar / ୫ ମିନିଟ୍ ବିଳମ୍ବ ହୋଇଥିଲେ ବଞ୍ଚିନଥାନ୍ତେ ପାଇଲଟ୍, ୪୫ ମିନିଟ୍ ଧରି ଜୀବନ ପାଇଁ ଲଢ଼ିଲେ ଡାକ୍ତର

Rashmita Mishra
Browse all articles by Rashmita Mishra
·55 mins ago·3 min read
୫ ମିନିଟ୍ ବିଳମ୍ବ ହୋଇଥିଲେ ବଞ୍ଚିନଥାନ୍ତେ ପାଇଲଟ୍, ୪୫ ମିନିଟ୍ ଧରି ଜୀବନ ପାଇଁ ଲଢ଼ିଲେ ଡାକ୍ତର
Captain Smit Machhar

Key Points

ଆଉ ୫ ମିନିଟ୍ ବିଳମ୍ବ ହେଲେ…ବଞ୍ଚିନଥାନ୍ତେ କ୍ୟାପ୍ଟେନ୍ ।
୪୫ ମିନିଟ୍ ଧରି ମୃତ୍ୟୁ ସହ ଲଢ଼େଇ ଡାକ୍ତର ବଞ୍ଚାଇଲେ ଜୀବନ।
“ମୁଁ ବଞ୍ଚିବାକୁ ଚାହେଁ” କକପିଟ୍‌ରେ ଜୀବନ ପାଇଁ ଲଢ଼େଇ ।
ରକ୍ତସ୍ରାବରେ ଧୀର ହେଲା ନାଡ଼ି ୫ ମିନିଟ୍‌ରେ ବଦଳିଗଲା ଭାଗ୍ୟ ।

ମାତ୍ର ଆଉ ୫ ମିନିଟ୍ ବିଳମ୍ବ ହୋଇଥିଲେ ହୁଏତ ବଞ୍ଚି ପାରିନଥାନ୍ତେ ଫ୍ଲାଇଦୁବାଇର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର । ବିମାନରେ ଆକ୍ରମଣରେ ଗୁରୁତର ଆହତ ହୋଇଥିବା କ୍ୟାପ୍ଟେନଙ୍କୁ ପ୍ରାୟ ୪୫ ମିନିଟ୍ ଧରି ଜୀବନ୍ତ ରଖିବା ପାଇଁ ଅକ୍ଲାନ୍ତ ପ୍ରୟାସ କରିଥିଲେ ଜଣେ ଯାତ୍ରୀ ଡାକ୍ତର । ତାଙ୍କର ତୁରନ୍ତ ଚିକିତ୍ସା ଓ ସାହସ ଯୋଗୁଁ ତବୁକ୍ ବିମାନବନ୍ଦରରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପର୍ଯ୍ୟନ୍ତ କ୍ୟାପ୍ଟେନଙ୍କ ଜୀବନ ବଞ୍ଚି ରହିଥିଲା ।

୪୭ ବର୍ଷୀୟ ଇସ୍ରାଏଲୀ ଡେଣ୍ଟିଷ୍ଟ ଡା. ଶୋତା ମୁସାଏଭ ତାଙ୍କ ପତ୍ନୀଙ୍କ ସହ ଚୀନରୁ ଦୁବାଇ ଦେଇ ତେଲ ଅଭିଭ୍ ଯାତ୍ରା କରୁଥିଲେ । ହଠାତ୍ ବିମାନର କକପିଟ୍ ଭିତରୁ ଚିତ୍କାର ଓ ହୋହଲ୍ଲା ଶୁଣିବାକୁ ମିଳିଥିଲା । ଏହାପରେ ଜଣେ ଡାକ୍ତରଙ୍କୁ ଡାକିବାକୁ କୁହାଯାଇଥିଲା । ନିଜେ ଡାକ୍ତର ହୋଇଥିବାରୁ ମୁସାଏଭ ତୁରନ୍ତ କକପିଟ୍ ଆଡ଼କୁ ଦୌଡ଼ି ଯାଇଥିଲେ ।

ସେଠାରେ ସେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଗୁରୁତର ଆହତ ଅବସ୍ଥାରେ ଦେଖିଥିଲେ । ତାଙ୍କ ମୁଣ୍ଡ ଓ ବାମ ହାତରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ମୁସାଏଭ ତୁରନ୍ତ ନିଜ ଟି-ଶର୍ଟ ବ୍ୟବହାର କରି ଘା’ ଉପରେ ମାଡ଼ି ଧରିଥିଲେ । କିନ୍ତୁ ରକ୍ତସ୍ରାବ ବନ୍ଦ ହେଉନଥିଲା । ପରେ ସେ କ୍ୟାବିନ୍ କ୍ରୁଙ୍କଠାରୁ ବରଫ ଆଣି ଘା’ରେ ଲଗାଇଥିଲେ ଏବଂ ଜୋରେ ଚାପି ଧରି ରକ୍ତସ୍ରାବ କମାଇବାକୁ ଚେଷ୍ଟା କରିଥିଲେ ।

ରକ୍ତସ୍ରାବ ବନ୍ଦ କରିବା ଥିଲା ବଡ଼ ଚ୍ୟାଲେଞ୍ଜ

ମୁସାଏଭଙ୍କ କହିବା ଅନୁସାରେ, କ୍ୟାପ୍ଟେନଙ୍କ ରକ୍ତସ୍ରାବ ବନ୍ଦ କରିବା ଯେତିକି ଜରୁରୀ ଥିଲା, ତାଙ୍କୁ ଚେତନାରେ ରଖିବା ମଧ୍ୟ ସେତିକି ବଡ଼ ଚ୍ୟାଲେଞ୍ଜ ଥିଲା । ସେ କ୍ୟାପ୍ଟେନଙ୍କ ସହ ଲଗାତାର କଥା ହେଉଥିଲେ । ତାଙ୍କୁ ଶୋଇ ନପଡ଼ିବାକୁ କହିବା ସହ ପତ୍ନୀ ଓ ପିଲାମାନଙ୍କ ନାମ ପଚାରୁଥିଲେ । ତାଙ୍କ ମନୋବଳ ବଢ଼ାଇବା ପାଇଁ କହୁଥିଲେ ଯେ ସେ ନିଶ୍ଚିତ ଭାବେ ନିଜ ପରିବାର ପାଖକୁ ଫେରିବେ । ଗୁରୁତର ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ଜୀବନ ବଞ୍ଚାଇବା ପାଇଁ ଲଢ଼ୁଥିଲେ । ସେ ଡାକ୍ତରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିବା ସହ କହୁଥିଲେ, “ମୁଁ ବଞ୍ଚିବାକୁ ଚାହେଁ । ମୁଁ ଏଠାରେ ମରିବାକୁ ଚାହେଁନି ।”

ଏଥି ସହ ପଢନ୍ତୁ:  ଆତ୍ମଘାତୀ ଆକ୍ରମଣକାରୀ ଥିଲା ଓମାନି କୋ-ପାଇଲଟ୍; ନେବାକୁ ଚାହୁଁଥିଲା ଗାଜା 'ପ୍ରତିଶୋଧ'

ହଠାତ୍ ଧୀର ହୋଇଗଲା ନାଡ଼ି, ନୀଳ ପଡ଼ିଗଲା ଓଠ
ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା ଯେତେବେଳେ କ୍ୟାପ୍ଟେନଙ୍କ ନାଡ଼ି ହଠାତ୍ ଧୀର ହେବାକୁ ଲାଗିଥିଲା । ମୁସାଏଭ ତାଙ୍କ ଗୋଡ଼ ଉପରକୁ ଉଠାଇବା ପରେ ନାଡ଼ି କିଛି ସ୍ଥିର ହୋଇଥିଲା । କିନ୍ତୁ କିଛି ସମୟ ପରେ କ୍ୟାପ୍ଟେନଙ୍କ ଓଠ ନୀଳ ପଡ଼ିବାକୁ ଲାଗିଥିଲା । ସେତେବେଳେ ମୁସାଏଭ ବୁଝିଥିଲେ ଯେ ଆଉ ବେଶି ସମୟ ହାତରେ ନାହିଁ । ସେ କ୍ୟାବିନ୍ କ୍ରୁଙ୍କୁ ଶୀଘ୍ର ଲ୍ୟାଣ୍ଡିଂ କରିବାକୁ କହିଥିଲେ । ତାଙ୍କ କଥାରେ, ଯଦି ଅବତରଣ ଆଉ ପ୍ରାୟ ୫ ମିନିଟ୍ ବିଳମ୍ବ ହୋଇଥାନ୍ତା, ତେବେ ପ୍ରବଳ ରକ୍ତସ୍ରାବ ଯୋଗୁଁ କ୍ୟାପ୍ଟେନଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥାନ୍ତା ।

ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ଯନ୍ତ୍ରଣା କମାଇବାର ଔଷଧ ଦେବା ମଧ୍ୟ ସହଜ ନଥିଲା । ସେ ଶୋଇଥିବାରୁ ତାଙ୍କୁ ଅଧିକ ହଲାଇବା କିମ୍ବା ଔଷଧ ଦେବା ଦ୍ୱାରା ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ଥିଲା । ଶେଷରେ ତବୁକ୍ ବିମାନବନ୍ଦରରେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା । ଲ୍ୟାଣ୍ଡିଂ ପରେ ସବୁଠାରୁ ପ୍ରଥମେ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବିମାନରୁ ବାହାର କରାଯାଇ ମେଡିକାଲ୍ ଇମର୍ଜେନ୍ସି ଟିମ୍ ମାଧ୍ୟମରେ ହସ୍ପିଟାଲକୁ ନିଆଯାଇଥିଲା ।

କକପିଟ୍‌ରେ ଆକ୍ରମଣ, ପ୍ରବଳ ରକ୍ତସ୍ରାବ ଓ ମୃତ୍ୟୁ ସହ ଲଢ଼େଇ ଏହି ପୁରା ଘଟଣାରେ ଡା. ମୁସାଏଭଙ୍କ ତୁରନ୍ତ ପଦକ୍ଷେପ ଏବଂ ପ୍ରାୟ ୪୫ ମିନିଟ୍‌ର ଅବିରତ ପ୍ରୟାସ କ୍ୟାପ୍ଟେନଙ୍କ ଜୀବନ ବଞ୍ଚାଇବାରେ ବଡ଼ ସାହାର୍ଯ୍ୟ କରିଛି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: