କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ କଗନିଜାଣ୍ଟର ସିଇଓ ଏବଂ ନାସକମର ଚେୟାରମ୍ୟାନ୍

ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ନୂଆଦିଲ୍ଲୀ ଠାରେ ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ କମ୍ପାନୀ କଗନିଜାଣ୍ଟର ସିଇଓ ରବି କୁମାର ଏବଂ ନାସକମର ଚେୟାରମ୍ୟାନ ରାଜେଶ ନମ୍ବିଆର୍ ଭେଟି ଡିଜିଟାଲ ପରିସଂସ୍ଥାନରେ ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା ସହ ପରିବର୍ତ୍ତିତ ଦୁନିଆରେ ଟେକ୍ନୋଲୋଜିର ଉପଯୋଗ ଓ ପ୍ରୋତ୍ସାହନ ଉପରେ ଆଲୋଚନା କରିଛନ୍ତି ।
ଏହି ବୈଠକରେ ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ଯୁବଶକ୍ତିର ଦେଶ । ଯୁବଶକ୍ତି ଯେତେ ସଶକ୍ତ ହେବେ ସେତେ ଦେଶର ବିକାଶ ହେବ । ଏହି ମର୍ମରେ ଆଜି ଭାରତ ନିଜର ଯୁବଶକ୍ତିଙ୍କୁ ସଶକ୍ତ କରିବାକୁ ସଂକଳ୍ପ ନେଇଛି । ଭାରତର ପ୍ରତିଭାବାନ ଯୁବଶକ୍ତିଙ୍କ ସ୍କିଲ୍ ଆବଶ୍ୟକତାକୁ ପୂରଣ କରାଯାଉଛି । ସେମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ସବୁପ୍ରକାର ପଦକ୍ଷେପ ନିଆଯାଉଛି । ଯୁବଶକ୍ତିଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲ ମାଧ୍ୟମରେ ୨୦୪୭ ସୁଦ୍ଧା ବିକଶିତ ଭାରତର କଳ୍ପନାକୁ ସାକାର କରିବା ଦିଗରେ ଆମେ ପ୍ରଚେଷ୍ଟା କରିବା ଆବଶ୍ୟକ ।
ଶିଳ୍ପର ଆବଶ୍ୟକତା ଓ ଭବିଷ୍ୟତ ଭିତ୍ତିକ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଏନଏସଡିସି ସହ ସହଯୋଗୀ ହୋଇ ଏକ ଡିଜିଟାଲ ଆପ୍ରେଣ୍ଟିସ ରୂପରେଖ ପ୍ରସ୍ତୁତ କରିବା ପାଇଁ କଗନିଜାଣ୍ଟ ଓ ନାସକମକୁ ପ୍ରୋତ୍ସାହିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ନିକଟରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍)ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ ମଧ୍ୟ ହୋଇଛି । ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ନଗଦ ଅର୍ଥକୁ ଲାଭାର୍ଥୀଙ୍କ ସିଧାସଳଖ ବ୍ୟାଙ୍କ ଖାତାରେ ଦେବା ପାଇଁ ଯୋଜନା ହୋଇଛନ୍ତି । ଏହି ସଂସ୍କାର ଦ୍ୱାରା ମୁଦ୍ରା ଯୋଜନା, ପିଏମ କିଷାନ ସମ୍ମାନ ନିଧି ଭଳି ଅନେକ ଯୋଜନାରେ ଲାଭାର୍ଥୀମାନେ ସିଧାସଳଖ ଟଙ୍କା ପାଇ ବିଶେଷ ଲାଭବାନ ହୋଇଛନ୍ତି । ଏହି ଯୋଜନା ଆମର ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଷ୍ଟାଇପେଣ୍ଡ୍ ବିତରଣରେ ସ୍ୱଚ୍ଛତା ବା ପାରଦର୍ଶୀକୁ ସୁନିଶ୍ଚିତ କରିଛି ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର
ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଏହାର ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ଯୋଡିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଅନେକ ଶିଳ୍ପ ସଂସ୍ଥା ଯୋଡି ହୋଇଥିବା ବେଳେ ସେମାନେ ମଧ୍ୟ ପିଲାମାନଙ୍କ ମନୋବଳ ବଢାଇଛନ୍ତି । ଭାରତ ସରକାରଙ୍କ ଆପ୍ରଣ୍ଟିସସିପ ଆକ୍ଟକୁ ବଦଳାଇବା ଦ୍ୱାରା ଅନେକ କାର୍ଯ୍ୟ ସହଜ ହୋଇଛି ।
ଅପରପକ୍ଷରେ ଟେକ୍ନୋଲୋଜି ଓ ଡିଜିଟାଲକରଣ ଆମ ଦୈନନ୍ଦିନ ଜୀବନର ଗୋଟିଏ ମାଧ୍ୟମ ହୋଇଛି । ଡିଜିଟାଲ ସାକ୍ଷରତା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଆମର ଅର୍ଥନୀତି ବ୍ୟବସ୍ଥା ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ବିଶ୍ୱ ଯେତେବେଳେ ଜେନେରେଟିଭ୍ ଏଆଇ ମାଧ୍ୟମରେ ପରିବର୍ତ୍ତନର ନୂଆ ଧାରା ଆପଣାଉଛି ଏବଂ ଭବିଷ୍ୟତର କାର୍ଯ୍ୟଶୈଳୀ ବଦଳୁଛି, ଆମେ ମଧ୍ୟ ଦକ୍ଷତା ବିକାଶକୁ ଅଧିକ କାର୍ଯ୍ୟକ୍ଷମ କରାଇବାକୁ ଏଆଇକୁ ମାନବୀକରଣ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ରହିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।