Galgotias University / ଧରାପଡ଼ିଗଲା ଗଲଗୋଟିଆସ୍ ୟୁନିଭର୍ସିଟିର ଡାହାମିଛ

Key Points
ସୋସିଆଲ ମିଡିଆ ଟ୍ରୋଲ ପରେ ପ୍ରଫେସରଙ୍କ ଉପରେ ଲଦିଲା ଦୋଷ
ଚୀନ୍ ରୋବୋଟକୁ ନିଜର କହି ଅଡୁଆରେ ପ୍ରଫେସର
କ୍ୟାମେରା ଆଗକୁ ଆସିବା ଉତ୍ସାହରେ ମିଛ କହିଥିଲେ କି ଶିକ୍ଷୟିତ୍ରୀ?
ନୂଆ ଦିଲ୍ଲୀ | ଚାଇନା ରୋବଟକୁ ଦେଖାଇ ବିବାଦରେ ଫସିବା ପରେ ୟୁନିଭର୍ସିଟିର ୟୁ-ଟର୍ଣ୍ଣ । ରୋବଟକୁ ନିଜର ଦାବି କରୁଥିବା ଗଲଗୋଟିଆସ୍ ୟୁନିଭର୍ସିଟି ସଫେଇ ଦେଇଛି । ରୋବୋ ଡଗଟି ପିଲାଙ୍କୁ ପଢ଼ାଇବା ପାଇଁ କିଣାଯାଇଥିଲା ବୋଲି କହିଛନ୍ତି କର୍ତୃପକ୍ଷ । କିନ୍ତୁ ବଡ଼କଥା ହେଉଛି ପୁରା ବିବାଦ ପାଇଁ ପ୍ରଫେସର ନେହା ସିଂହଙ୍କୁ ଦୋଷୀ କରି, ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛି ୟୁନିଭର୍ସିଟି ।
କୁହାଯାଏ "ମିଛର ପାଦ ନଥାଏ" । ଆଉ ଏହା ପ୍ରମାଣିତ ହୋଇଛି ଦିଲ୍ଲୀରେ ଚାଲିଥିବା ଏଆଇ ସମିଟ୍ରେ । ଗଲଗୋଟିଆସ୍ ୟୁନିଭର୍ସିଟି ଯେଉଁ 'ଓରିଅନ୍' ରୋବୋଟିକ୍ କୁକୁରକୁ ନିଜର ଉଦ୍ଭାବନ ବୋଲି କହି ବାଃ ବାଃ ସାଉଣ୍ଟୁଥିଲା, ତାହା ଶେଷରେ ଏକ 'ମେଡ୍ ଇନ୍ ଚାଇନା' ଖେଳନା ବୋଲି ଧରାପଡ଼ିଛି । ବିବାଦ ବଢ଼ିବା ପରେ ଏବେ ସବୁ ଦୋଷ ପ୍ରଫେସରଙ୍କ ମୁଣ୍ଡରେ ଲଦି ଦେଇ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବିଶ୍ୱବିଦ୍ୟାଳୟ । କ୍ୟାମେରା ଆଗରେ ଷ୍ଟାର୍ ହେବାର ନିଶା ଏବେ ଶିକ୍ଷାନୁଷ୍ଠାନର ସମ୍ମାନକୁ ଧୂଳିସାତ୍ କରିଛି ।
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ରେ ଗଲଗୋଟିଆସ୍ ୟୁନିଭର୍ସିଟି ଏହି ରୋବୋଟିକ୍ କୁକୁରକୁ ପ୍ରଦର୍ଶିତ କରିଥିଲା । ପ୍ରଫେସର ନେହା ସିଂହ କ୍ୟାମେରା ଆଗରେ ବଡ଼ ବଡ଼ ଦାବି କରି କହିଥିଲେ ଯେ, ଏହାକୁ ସେମାନଙ୍କ ବିଶ୍ୱବିଦ୍ୟାଳୟ ନିଜେ ତିଆରି କରିଛି । କିନ୍ତୁ ଇଣ୍ଟରନେଟ୍ ଦୁନିଆରେ କିଛି ବି ଲୁଚେ ନାହିଁ । ନେଟିଜେନମାନେ ତୁରନ୍ତ ଖୋଜି ବାହାର କଲେ ଯେ, ଏହା ହେଉଛି ଚୀନ୍ କମ୍ପାନୀ ୟୁନିଟ୍ରୀର Go2 ମଡେଲ୍ ।
ପଢ଼ନ୍ତୁ ଏହି ଖବର: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: କିଛି ଲୋକ AIକୁ ଡରୁଥିବା ବେଳେ ଭାରତ ଏଥିରେ ଭବିଷ୍ୟତ ଦେଖୁଛି
ଚାରିଆଡୁ ସମାଲୋଚନା ପରେ ଏବେ ୟୁନିଭର୍ସିଟି ଏକ ବିବୃତ୍ତି ଜାରି କରି କହିଛି ଯେ, "କ୍ୟାମେରା ଆଗକୁ ଆସିବା ଏବଂ ଲାଇମ୍-ଲାଇଟ୍ ପାଇବା ଉତ୍ସାହରେ ପ୍ରଫେସର ଜଣକ ହୁଏତ ଭୁଲ୍ ତଥ୍ୟ ଦେଇଛନ୍ତି ।" ବିଶ୍ୱବିଦ୍ୟାଳୟ ସ୍ପଷ୍ଟ କରିଛି ଯେ, ସେମାନେ ଏହି ରୋବୋଟକୁ ତିଆରି କରିନାହାଁନ୍ତି, ବରଂ ଏହାକୁ ପିଲାମାନଙ୍କୁ ପଢ଼ାଇବା ପାଇଁ କିଣାଯାଇଥିଲା । ଏବେ ପ୍ରଶ୍ନ ଉଠୁଛି-
ୟୁନିଭର୍ସିଟିର ସଫେଇ ପରେ ବଡ଼ ପ୍ରଶ୍ନ
ଯଦି ଏହା କିଣାଯାଇଥିଲା, ତେବେ 'ଓରିଅନ୍' ବୋଲି ନୂଆ ନାମ କାହିଁକି ଦିଆଗଲା ?
ୟୁନିଭର୍ସିଟିର ବ୍ୟାନରରେ ଏହାକୁ ନିଜର 'ପ୍ରଡକ୍ଟ' ବୋଲି କାହିଁକି ଦର୍ଶାଗଲା ?
ବିବାଦ ନହେବା ଯାଏଁ କର୍ତ୍ତୃପକ୍ଷ ଚୁପ୍ କାହିଁକି ଥିଲେ ଓ ଏବେ ପ୍ରଫେସର କେମିତି ଦୋଷୀ ହେଲେ?
ସଵୁଠାରୁ ବଡ଼କଥା ହେଉଛି ଏଭଳି ବିବାଦ ପରେ ଗଲଗୋଟିଆସ୍ ୟୁନିଭର୍ସିଟିକୁ 'ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍' ଗ୍ୟାଲେରୀ ଖାଲି କରିବାକୁ କୁହାଯାଇଥିଲା । ଆଜିକାଲିର ସୋସିଆଲ ମିଡିଆ ଯୁଗରେ ମିଛ ପ୍ରଶଂସା ବେଶୀ ସମୟ ତିଷ୍ଠି ପାରେନାହିଁ । ଗଲଗୋଟିଆସ୍ ୟୁନିଭର୍ସିଟି ଏବେ ପ୍ରଫେସରଙ୍କ ଉପରେ ଦୋଷ ଲଦି ନିଜକୁ ମୁକ୍ତ କରିବାକୁ ଚାହୁଁଥିଲେ ମଧ୍ୟ, ଜଣେ ଶିକ୍ଷାବିତ୍ ଭାବେ ଏଭଳି ମିଛ ଦାବି କରିବା ସମଗ୍ର ଶିକ୍ଷା ଜଗତ ପାଇଁ ଲଜ୍ଜାଜନକ ଘଟଣା ।
📱 Get Argus News App
✨Related Topics
Explore more stories