WhatsApp Security Alert / WhatsApp ପ୍ରତି ସାଇବର୍ ଆକ୍ରମଣ ବିପଦ: ସତର୍କ କଲେ ସରକାର

Key Points
ସତର୍କ କଲେ କେନ୍ଦ୍ର ସରକାର
ସାଇବର ଅପରାଧୀମାନେ ‘ମାଲ୍ୱେର’ ଆକ୍ରମଣ କରିଛନ୍ତି
ସନ୍ଦେହଜନକ ଫାଇଲ୍ ନ ଖୋଲିବାକୁ ସରକାରଙ୍କ ପରାମର୍ଶ
ଭୁବନେଶ୍ୱର: ହ୍ବାଟ୍ସଆପ୍ ୱେବ୍ ଓ ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସତର୍କବାଣୀ ଜାରି କରିଛି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଅଧୀନରେ କାର୍ଯ୍ୟରତ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In)। ସଂସ୍ଥା କହିଛି, ବର୍ତ୍ତମାନ ବ୍ୟାପକ ଭାବେ ଏକ ମାଲୱେର ବଣ୍ଟନ ଅଭିଯାନ ଚାଲିଛି, ଯାହା ମାଧ୍ୟମରେ ସାଇବର ଅପରାଧୀମାନେ ହ୍ବାଟ୍ସଆପ୍ ଆପ୍ Web ଓ Desktop ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଛନ୍ତି।
CERT-In ପକ୍ଷରୁ ଜୁନ୍ ୨୫ରେ ଜାରି ପରାମର୍ଶ ଅନୁଯାୟୀ, ହ୍ୟାକରମାନେ ହ୍ବାଟ୍ସଆପ୍ ମାଧ୍ୟମରେ କ୍ଷତିକାରକ VBScript (Visual Basic Script) ଫାଇଲ୍ ଆଟାଚମେଣ୍ଟ ଭାବେ ପଠାଉଛନ୍ତି। ଏହି ଫାଇଲ୍ ଖୋଲିଲେ ଡିଭାଇସ୍ରେ ମାଲୱେର ସଂକ୍ରମଣ ହୋଇପାରେ ଏବଂ ସାଇବର ଅପରାଧୀଙ୍କୁ ଅନଧିକୃତ ପ୍ରବେଶ ମିଳିପାରେ।
ହ୍ୟାକରଙ୍କ ନୂଆ କୌଶଳ
CERT-In କହିଛି, ସାଇବର ଠକମାନେ ହ୍ୟାକ୍ ହୋଇଥିବା ହ୍ବାଟ୍ସଆପ୍ ଆକାଉଣ୍ଟ ବ୍ୟବହାର କରି ପରିଚିତ ବ୍ୟକ୍ତିଙ୍କ ନାମରେ କ୍ଷତିକାରକ ଆଟାଚମେଣ୍ଟ ପଠାଉଛନ୍ତି। ଏହା ଫଳରେ ମେସେଜ୍ଟି ବୈଧ ବୋଲି ଲାଗୁଥିବାରୁ ବ୍ୟବହାରକାରୀ ସହଜରେ ଫାଇଲ୍ ଖୋଲିଦେଉଛନ୍ତି।
କାସପରସ୍କି ଓ ସିକ୍ୟୁରଲିଷ୍ଟର ରିପୋର୍ଟ ଆଧାରରେ ଜାରି ଏହି ସତର୍କବାଣୀରେ କୁହାଯାଇଛି, ମାଲୱେର ଫାଇଲ୍ର ନାମ ଇଂରାଜୀ, ଫ୍ରେଞ୍ଚ, ଜର୍ମାନ, ପର୍ତ୍ତୁଗୀଜ୍ ଓ ମାଲେୟ ସମେତ ବିଭିନ୍ନ ଭାଷାରେ ରଖାଯାଉଛି, ଯାହା ବିଶ୍ୱସ୍ତରୀୟ ଟାର୍ଗେଟିଂର ସଙ୍କେତ ଦେଉଛି। ଏପରିକି ଫାଇଲ୍ଗୁଡ଼ିକୁ Microsoft Windows Update ଭଳି ଦେଖାଇବାକୁ ମଧ୍ୟ ଚେଷ୍ଟା କରାଯାଉଛି।
ପଢନ୍ତୁ ଏହି ଖବର: WhatsApp ୟୁଜରଙ୍କ ଲାଗି ବଡ଼ ଚେତାବନୀ; ଧ୍ୟାନ ଦିଅନ୍ତୁ, ନଚେତ ଫୋନ ସିଧା ହ୍ୟାକ୍
📱 Get Argus News App
✨ଜୁନ୍ ୧୦ରେ କଡ଼ା ହୋଇଥିଲା ସୁରକ୍ଷା ନିୟମ
AI-ଆଧାରିତ ସାଇବର ଆକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ, ଜୁନ୍ ୧୦ରେ CERT-In ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣ ନିର୍ମାତାଙ୍କ ପାଇଁ ସାଇବର ସୁରକ୍ଷା ଅନୁପାଳନ ନିୟମକୁ ଆହୁରି କଡ଼ା କରିଥିଲା।
ସନ୍ଦେହଜନକ ମେସେଜ୍ ଆସିଲେ କଣ କରିବେ?
CERT-In ବ୍ୟବହାରକାରୀଙ୍କୁ କିଛି ଜରୁରୀ ପରାମର୍ଶ ଦେଇଛି—
- କୌଣସି ଅପ୍ରତ୍ୟାଶିତ ଆଟାଚମେଣ୍ଟ ଖୋଲନ୍ତୁ ନାହିଁ, ଯଦିଓ ତାହା ପରିଚିତ ବ୍ୟକ୍ତିଙ୍କଠାରୁ ଆସିଥାଏ।
- ଇନଭଏସ୍, ପେମେଣ୍ଟ ରସିଦ, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ଆର୍ଥିକ ଦସ୍ତାବେଜ ନାମରେ ଆସିଥିବା ଫାଇଲ୍ ଖୋଲିବା ପୂର୍ବରୁ ଯାଞ୍ଚ କରନ୍ତୁ।
- ପ୍ରେରକଙ୍କୁ ଫୋନ୍ କିମ୍ବା ଅଲଗା ମେସେଜ୍ କରି ନିଶ୍ଚିତ କରନ୍ତୁ ସେ ପ୍ରକୃତରେ ଫାଇଲ୍ ପଠାଇଛନ୍ତି କି ନାହିଁ।
- ଅଜଣା କିମ୍ବା ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ।
- ଛୋଟ କିମ୍ବା ଅପରିଚିତ URL ଖୋଲିବା ପୂର୍ବରୁ ସେଗୁଡ଼ିକୁ ଯାଞ୍ଚ କରନ୍ତୁ।
କଣ ହୋଇପାରେ କ୍ଷତି?
CERT-In ସତର୍କ କରିଛି ଯେ ଏହି ମାଲୱେର ସଫଳ ଭାବେ ଇନଷ୍ଟଲ୍ ହେଲେ ସାଇବର ଅପରାଧୀମାନେ ଦୂରରୁ ଡିଭାଇସ୍ର ନିୟନ୍ତ୍ରଣ ନେଇପାରିବେ। ସେମାନେ ବ୍ୟକ୍ତିଗତ ସୂଚନା ଓ ପାସୱାର୍ଡ ଚୋରି କରିବା, ଅନ୍ୟ ମାଲୱେର ଇନଷ୍ଟଲ୍ କରିବା, ନେଟୱାର୍କକୁ ସଂକ୍ରମିତ କରିବା, ବ୍ୟବସାୟିକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଆର୍ଥିକ କ୍ଷତି ଘଟାଇପାରନ୍ତି।
ହ୍ବାଟ୍ସଆପ୍ରେ ଆସୁଥିବା ପ୍ରତ୍ୟେକ ଆଟାଚମେଣ୍ଟକୁ ବିଶ୍ୱାସ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରନ୍ତୁ। ସାମାନ୍ୟ ଅସାବଧାନତା ଆପଣଙ୍କ ଡିଭାଇସ୍ ଓ ବ୍ୟକ୍ତିଗତ ତଥ୍ୟକୁ ବଡ଼ ବିପଦରେ ପକାଇପାରେ।
Related Topics
Explore more stories
