Videos
|
National

Caste Sticker Ban / ଗାଡ଼ିରେ ଜାତି ଲେଖିଲେ ପଡ଼ିବ ମହଙ୍ଗା ! ଗୁଜରାଟରେ ଲାଗିଲା କଟକଣା, ଆକ୍ସନ୍ ନେବ RTO

Santosh Kumar Sahoo
Browse all articles by Santosh Kumar Sahoo
·19 mins ago·2 min read
ଗାଡ଼ିରେ ଜାତି ଲେଖିଲେ ପଡ଼ିବ ମହଙ୍ଗା ! ଗୁଜରାଟରେ ଲାଗିଲା କଟକଣା, ଆକ୍ସନ୍ ନେବ RTO
Caste Sticker Ban

Key Points

କାର୍‌ ଓ ବାଇକ୍‌ରେ ଜାତି ନାଁ ଲେଖିବା ମନା
ନୂଆ ନିୟମ ଆଣିଲେ ଗୁଜରାଟ ସରକାର
ସାବଧାନ! ଚାଲାଣ କାଟିପାରେ RTO
ଯଦି ଆପଣ ନିଜ କାର୍‌ କିମ୍ବା ବାଇକ୍‌ରେ ଜାତି ସହ ଜଡ଼ିତ କୌଣସି ଶବ୍ଦ, ନାଁ କିମ୍ବା ଚିହ୍ନ ଲଗାଇ ଗାଡ଼ି ଚଳାଉଛନ୍ତି, ତେବେ ଏଣିକି ଏହା ଆପଣଙ୍କ ପାଇଁ ମହଙ୍ଗା ପଡ଼ିପାରେ । ଘରୋଇ ଗାଡ଼ିରେ ଜାତିର ପରିଚୟ ଦେଉଥିବା ସାଇନ୍‌ବୋର୍ଡ, ଷ୍ଟିକର ଓ ଲେଖା ଉପରେ ରୋକ୍ ଲଗାଇଛନ୍ତି ଗୁଜରାଟ ସରକାର । ଏନେଇ ନଭେମ୍ବର ୧୭ ତାରିଖରେ ସରକାର ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି । ଆଗାମୀ ଦିନରେ ଏହି ନିୟମ ଲାଗୁ କରିବାକୁ ରାଜ୍ୟର ସମସ୍ତ RTO ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ ।

ମୋଟର ଭେହିକିଲ୍ ନିୟମରେ ସଂଶୋଧନ

ଗୁଜରାଟ ସରକାର ନଭେମ୍ବର ୧୭ରେ ନୋଟିଫିକେସନ୍ ଜାରି କରି ମୋଟର ଭେହିକିଲ୍ ରୁଲ୍ସରେ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଅନୁସାରେ, ଘରୋଇ ଗାଡ଼ିରେ ଜାତି ସହ ଜଡ଼ିତ କୌଣସି ଶବ୍ଦ, ସଙ୍କେତ, ପ୍ରତୀକ, ଚିତ୍ର କିମ୍ବା ଲେଖା ପ୍ରଦର୍ଶନ କରିବା ନିଷିଦ୍ଧ ହୋଇଛି । ଅର୍ଥାତ୍ ଏଣିକି କାର୍‌ କିମ୍ବା ବାଇକ୍‌ରେ ନିଜ ଜାତିର ପରିଚୟ ଦେଉଥିବା ଷ୍ଟିକର କିମ୍ବା ଅନ୍ୟ କୌଣସି ଚିହ୍ନ ଲଗାଇପାରିବେ ନାହିଁ । ତେବେ ରାଜ୍ୟ ସରକାର ସାଧାରଣ କିମ୍ବା ସ୍ୱତନ୍ତ୍ର ଆଦେଶ ଜରିଆରେ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏହି ନିୟମରୁ ଛାଡ଼ ପ୍ରଦାନ କରିପାରିବେ ।

ମୋଟର ଭେହିକିଲ୍ ରୁଲ୍ସର କେଉଁ ନିୟମରେ ହୋଇଛି ପରିବର୍ତ୍ତନ ?

ଗୁଜରାଟ ମୋଟର ଭେହିକିଲ୍ ରୁଲ୍ସର ନିୟମ ୧୨୫(୧)ରେ ସଂଶୋଧନ କରାଯାଇ 'କାଷ୍ଟ ସାଇନେଜ୍' ଅର୍ଥାତ୍ ଜାତି ସମ୍ପର୍କିତ ସଙ୍କେତକୁ ସାମିଲ କରାଯାଇଛି । ଏହା ସହିତ ନିୟମ ୧୩୮ରେ ନୂଆ ଉପନିୟମ (୩) ଯୋଡ଼ାଯାଇଛି ।

ନିୟମ ଉଲ୍ଲଂଘନ କଲେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଯାନବାହନର ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍‌ରେ କୌଣସି ଷ୍ଟିକର ଲଗାଇବା କିମ୍ବା ଏଥିରେ ପରିବର୍ତ୍ତନ କରିବା ପୂର୍ବରୁ ହିଁ ନିଷିଦ୍ଧ ରହିଛି । ମୋଟର ଭେହିକିଲ୍ ଆକ୍ଟର ଧାରା ୩୯ ଅନୁସାରେ, ରେଜିଷ୍ଟ୍ରେସନ୍ ପ୍ଲେଟ୍‌ରେ ନିୟମ ବିରୋଧୀ ପରିବର୍ତ୍ତନ କିମ୍ବା ଏଥିରେ ହସ୍ତକ୍ଷେପ କରିବା ଅନୁମତି ନାହିଁ । ଏହାର ଉଲ୍ଲଂଘନ କଲେ ଧାରା ୧୯୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଗୁଜରାଟ ସରକାରଙ୍କ ନୂଆ ସଂଶୋଧନରେ ରେଜିଷ୍ଟ୍ରେସନ୍ ପ୍ଲେଟ୍ ବ୍ୟତୀତ ଘରୋଇ ଗାଡ଼ିର ଅନ୍ୟ ଅଂଶରେ ଜାତି ସୂଚକ ଚିହ୍ନ ପ୍ରଦର୍ଶନକୁ ମଧ୍ୟ ସ୍ପଷ୍ଟ ଭାବେ ନିଷିଦ୍ଧ କରାଯାଇଛି ।

କେନ୍ଦ୍ର ସରକାରଙ୍କ ପରାମର୍ଶ ପରେ ନିଷ୍ପତ୍ତି

ଗୁଜରାଟ ସରକାରଙ୍କ ସୂତ୍ର ଅନୁସାରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH) ଚଳିତ ବର୍ଷ ଘରୋଇ ଗାଡ଼ିରେ ଜାତି ସମ୍ପର୍କିତ ସଙ୍କେତ ପ୍ରଦର୍ଶନ ଉପରେ ଏକ ପରାମର୍ଶ ଜାରି କରିଥିଲା ।

ଏହା ପରେ ଗୁଜରାଟର ପୋର୍ଟସ୍ ଆଣ୍ଡ ଟ୍ରାନ୍ସପୋର୍ଟ ବିଭାଗ ଜୁନ୍ ୧୧ ତାରିଖରେ ଗେଜେଟ୍ ନୋଟିଫିକେସନ୍ ଜାରି କରି ନୂଆ ନିୟମ ଉପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପରାମର୍ଶ ମାଗିଥିଲା । ଏଥିପାଇଁ ୩୦ ଦିନ ସମୟ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭାଗକୁ କୌଣସି ଆପତ୍ତି କିମ୍ବା ପରାମର୍ଶ ମିଳିନଥିଲା। ଏହାପରେ ନଭେମ୍ବର ୧୭ରେ ସରକାର ଏହି ନିୟମକୁ ଆନୁଷ୍ଠାନିକ ଭାବେ ଲାଗୁ କରିଛନ୍ତି ।

ଗୁଜରାଟ ପୂର୍ବରୁ ଉତ୍ତରପ୍ରଦେଶରେ ମଧ୍ୟ ଲାଗୁ ହୋଇଛି ନିୟମ

ଗୁଜରାଟ ପୂର୍ବରୁ ଉତ୍ତରପ୍ରଦେଶ ସରକାର ମଧ୍ୟ ଘରୋଇ ଗାଡ଼ିରେ ଜାତି ସମ୍ପର୍କିତ ସଙ୍କେତ ପ୍ରଦର୍ଶନ ବିରୋଧରେ ସମାନ ପଦକ୍ଷେପ ନେଇଥିଲେ । ଆହ୍ଲାବାଦ ହାଇକୋର୍ଟ ୧୬ ସେପ୍ଟେମ୍ବର ୨୦୨୫ରେ ଗାଡ଼ିରେ ଜାତିର ପରିଚୟ ଦେଉଥିବା ସଙ୍କେତ ବିରୋଧରେ ରାୟ ଦେଇଥିଲେ । ଏହା ପରେ ଉତ୍ତରପ୍ରଦେଶ ସରକାର ନିଜ ମୋଟର ଭେହିକିଲ୍ ରୁଲ୍ସରେ ସଂଶୋଧନ କରିଥିଲେ ।

ଏବେ ଗୁଜରାଟ ମଧ୍ୟ ଏହି ଦିଗରେ ପଦକ୍ଷେପ ନେଇଛି। ଫଳରେ ଘରୋଇ ଗାଡ଼ିରେ ଜାତିର ପରିଚୟ ପ୍ରଦର୍ଶନ ଉପରେ ରୋକ୍ ଲଗାଇବା ଦିଗରେ ଗୁଜରାଟ ଆଉ ଏକ ରାଜ୍ୟ ଭାବେ ସାମିଲ ହୋଇଛି ।