ଆଉ ଚଳିଲାନି ଇଡି ସହ ଲୁଚକାଳି, ଶେଷରେ ସାମ୍ନାକୁ ଆସିଲେ ସୋରେନ୍

ଅର୍ଗସ ବ୍ୟୁରୋ : ଆଉ ଚଳିବନି ଇଡି ସହ ଲୁଚକାଳି । ଶେଷରେ ସାମ୍ନାକୁ ଆସିଲେ ସୋରେନ୍ । ଖଣି ଟଙ୍କା ଡିଲ୍ ଦୁର୍ନୀତି ଘୋଟାଲାରେ ହୋଇପାରେ ହେମନ୍ତଙ୍କ ଗିରଫଦାରୀ । ସାତ ସାତ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସକୁ ବିଭିନ୍ନ ଆଳ ଦେଖାଇ ଟାଳିବା ପରେ ବୁଧବାର ଇଡି ଆଗରେ ହାଜର ହେବାକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ସୋରେନ୍ । ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିବା ପରେ ଏନେଇ ଚର୍ଚ୍ଚା ଜୋର ଧରିଛି।ପତ୍ନୀ କଳ୍ପନା ସୋରେନଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରାଇବାକୁ ସୋରେନ ଯୋଜନା କରୁଥିବା କୁହାଯାଉଛି ।
ସୋମବାରଠାରୁ ନିଖୋଜ ଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ରାଞ୍ଚିରେ ଦଳୀୟ ନେତାଙ୍କ ସହ ବୈଠକ କରି ନୂଆ ରଣନୀତି କରିଛନ୍ତି । ଆଜିର ବୈଠକରେ ସୋରେନଙ୍କ ପତ୍ନୀ କଳ୍ପନା ମଧ୍ୟ ଉପସ୍ଥିତ ଥିଲେ । ଖଣି ଟଙ୍କା ଡିଲ୍ ଦୁର୍ନୀତି ମାମଲାରେ ଗତକାଲିଠାରୁ ହେମନ୍ତଙ୍କ ଦିଲ୍ଲୀ ଓ ରାଞ୍ଚି ସ୍ଥିତ ବାସଭବନ ସହ ଅନ୍ୟ ୧୨ଟି ସ୍ଥାନରେ ଇଡି ଚଢ଼ାଉ ଜାରି ରହିଛି । ଆଜି ହେମନ୍ତଙ୍କ BMW କାର୍ ସହିତ ୩୬ ଲକ୍ଷ ଟଙ୍କା ଜବତ କରିଛି ଇଡି । ଏପଟେ ଆଜି ରାଞ୍ଚିର ବିଭିନ୍ନ ସ୍ଥାନରେ ହେମନ୍ତଙ୍କ ନିଖୋଜ ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ହେମନ୍ତଙ୍କୁ ଧରାଇଦେଲେ ୧୧ ହଜାର ଟଙ୍କାର ଇନାମ ଉଲ୍ଲେଖ ଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଞ୍ଚି ସ୍ଥିତ ହେମନ୍ତଙ୍କ ବାସଭବନ, ରାଜଭବନ ଓ ଇଡି ଅଫିସ ପରିସରରେ ମଧ୍ୟ ଧାରା ୧୪୪ ଜାରି ହୋଇଛି । ବୁଧବାର ଇଡିରେ ହାଜର ହେବାକୁ ନିଜେ ହେମନ୍ତ ଇ ମେଲ ପଠାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜଣାଇଛନ୍ତି । ଆସନ୍ତାକାଲି ଦିନ ଗୋଟାଏରେ ତାଙ୍କ ବାସଭବନରେ ବୟାନ ରେକର୍ଡ କରିବ ଇଡି ।
ସେପଟେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଗତକାଲି ଲାଲୁଙ୍କ ପରେ ଆଜି ଇଡି ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ । ଗତକାଲି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୧୦ ଘଣ୍ଟା ଜେରା କରିଥିଲା ଇଡି । ତେଜସ୍ବୀଙ୍କ ଗିରଫ ଆଶଙ୍କାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଇଡି କାର୍ଯାଳୟ ଆଗରେ ନାରାବାଜି କରିଛନ୍ତି । ମାମଲାରେ ଲାଲୁ ଯାଦବଙ୍କ ସହ ପୁଅ ତେଜସ୍ୱୀ ଯାଦବଙ୍କୁ ଜାନୁଆରି ୧୯ରେ ସମନ ଜାରି କରିଥିଲା ଇଡି । ଏପଟେ ଲାଲୁଙ୍କ ପରିବାରକୁ ନିର୍ଦ୍ଦୋଶ ଦାବି କରିବା ସହ ୨୦୨୪ ନିର୍ବାଚନ ପୂର୍ବରୁ କର୍ମୀଙ୍କ ମନୋବଳ ଭାଙ୍ଗିବାକୁ କେନ୍ଦ୍ରୀୟ ଏଜେନ୍ସି ବାରମ୍ବାର ସମନ ଜାରି କରୁଥିବା କହିଛନ୍ତି ଲାଲୁଙ୍କ ଝିଅ ତଥା ମାମଲାରେ ଅଭିଯୁକ୍ତ ମିଶା ଭାର ।
📱 Get Argus News App
✨ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ BMW ଜବତ କଲା ଇଡି
ଦୁର୍ନୀତି ଜାଲରୁ ବର୍ତ୍ତିବାକୁ ଲୁଚକାଳି ଖେଳୁଛନ୍ତି ସୋରେନ ଓ ଲାଲୁଙ୍କ ପରିବାର । ଖଣି ଟଙ୍କା ଡିଲ୍ ମାମଲାରେ ଦିଲ୍ଲୀରୁ ରାଞ୍ଚି ଯାଏ ଇଡି ତନାଘନା ଜାରି ରଖିଥିବାବେଳେ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ପାଟନା ଇଡି ଅଫିସରେ ଇଡି ଜେରାରେ ନାକେଦମ ହୋଇଛନ୍ତି ତେଜସ୍ବୀ । ଉଭୟ ନେତାଙ୍କ ଗିରଫ ଆକଳନକୁ ନେଇ ଦଳୀୟ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି ।