|
logo
Live
Argus News App
GET APP

Argus News - ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

National

ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

Jitendra Dash
Browse all articles by Jitendra Dash
·2 years ago·3 min read
ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଅର୍ଗସ ବ୍ୟୁରୋ : ଜଣେ ମୁଖ୍ୟମନ୍ତ୍ରୀ, ଯାହାଙ୍କ ବିରୋଧରେ ଦୁର୍ନୀତିର ସଂଗୀନ ଅଭିଯୋଗ, ଇଡି ପକ୍ଷରୁ ୧୦ ଥର ସମନ, ତା ପରେ ଲୁଚକାଳି ଖେଳ, ଆଉ ଶେଷରେ ୮ ଘଣ୍ଟାର ମାରାଥନ ଜେରା ପରେ ହେଲା ଗିରଫଦାରୀ । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ବସିଲା ଇଡି ଚୋଟ । ଇଡି ପକ୍ଷରୁ ଲମ୍ବା ପଚରାଉଚୁରା ପରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବୁଧବାର ରାତିରେ ଗିରଫ ହେଲେ ହେମନ୍ତ ସୋରେନ୍ । ଆଜି ହେମନ୍ତ ସୋରେନଙ୍କୁ ଅଦାଲତରେ ହାଜର କରିବ ଇଡି । ମିଳିଥିବା ସୂଚନା ଅନୁସାରେ ତାଙ୍କ ବିରୋଧରେ ଥିବା ପ୍ରମାଣ ଉପସ୍ଥାପନ କରି ୧୫ ଦିନର ରିମାଣ୍ଡ ପାଇଁ କରିବ ଆବେଦନ । 

ହେମନ୍ତ ସୋରେନଙ୍କ ବିରୋଧରେ ରହିଛି ବହୁ ସଂଗୀନ ଅଭିଯୋଗ । ଅବୈଧ ଖନନ, କୋଇଲା ଘୋଟାଲା ନେଇ ଜମି ଘୋଟାଲାରେ ତାଙ୍କ ବିରୋଧରେ ଚାଲିଥିଲା ତଦନ୍ତ । ହେମନ୍ତ ସୋରେନ ଓ ତାଙ୍କ ପରିବାର ନାଁରେ ପ୍ରାୟ ୧୦୦୦ କୋଟି ଟଙ୍କାର ଜମି କିଣାବିକା ଦୁର୍ନୀତିର ଅଭିଯୋଗ ରହିଛି । ଏ ନେଇ ପ୍ରାୟ ବର୍ଷେ ହେଲା ଇଡି ସ୍କାନରରେ ଥିଲେ ହେମନ୍ତ ସୋରେନ୍ । ଜେରା ପାଇଁ ପ୍ରଥମେ ଗତ ୨୦୨୩ ଅଗଷ୍ଟ ମାସରେ ହେମନ୍ତ ସୋରେନଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେହି ଅଗଷ୍ଟ ମାସରେ ଦ୍ବିତୀୟ ଥର ବି ସମନ ହୋଇଥିଲା । ଅଗଷ୍ଟରୁ ଜାନୁଆରୀ ମଧ୍ୟରୁ ହେମନ୍ତଙ୍କୁ ଜେରା ପାଇଁ ଇଡି ୧୦ ଥର ସମନ କରିନଥିଲେ ବି ହାଜର ହେଉନଥିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ : ଗିରଫ ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ 27 ତାରିଖରେ ଦିଲ୍ଲୀରେ ଇଡି ଆଗରେ ହାଜର ହେବାକୁ କହିଥିଲେ ବି ପହଞ୍ଚିନଥିଲେ ହେମନ୍ତ ସୋରେନ୍ । ଗତ ସୋମବାରଠାରୁ ଆଉ ମିଳିନଥିଲା ତାଙ୍କର ପତ୍ତା । ଶେଷରେ ତାଙ୍କୁ ଧରିବାକୁ ଦିଲ୍ଲୀରୁ ନେଇ ରାଞ୍ଚି ଯାଏଁ ହେମନ୍ତ ସୋରେନଙ୍କ ବାସଭବନ ସମେତ ୧୨ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ଦିଲ୍ଲୀ ବାସଭବନରୁ ଜବତ ହୋଇଥିଲା ଏକ ବିଏମଡବ୍ଲୁ କାର୍ ସହ ୩୬ ଲକ୍ଷ ଟଙ୍କା । ୟା ଭିତରେ ମଙ୍ଗଳବାର ଅପରାହ୍ନରେ ରାଞ୍ଚିରେ ପହଞ୍ଚିଥିଲେ ହେମନ୍ତ ସୋରେନ୍ । ନିଜ ଦଳର ନେତାଙ୍କ ସହ ବୈଠକ କରି ନୂଆ ରଣନୀତି ପ୍ରସ୍ତୁତ କରିଥିଲେ । ବୁଧବାର ଇଡିରେ ହାଜର ହେବାକୁ ଇଡିକୁ ଜଣାଇଥିଲେ । ଆଉ ବୁଧବାର ତାଙ୍କ ବାସଭବନରେ ହେମନ୍ତ ସୋରେନଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ଟିମ୍ । ଇଡି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ହେମନ୍ତ ସୋରେନ୍ । 

ତା ପରେ ସୁନିଶ୍ଚିତ ହୋଇଥିଲା ତାଙ୍କର ଗିରଫଦାରୀ । ତେବେ ତା ପୂର୍ବରୁ ବୁଧବାର ସଂଧ୍ୟାରେ ଇଡି ଟିମ୍ ହେପାଜତରେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ସୋରେନ୍ । ଗୋଟିଏ ପଟେ ହେମନ୍ତ ସୋରେନଙ୍କ ଇସ୍ତଫା ଅନ୍ୟପଟେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଲା ଚମ୍ପଇ ସୋରେନଙ୍କ ନାଁ । ଚମ୍ପଇ ସୋରେନ୍ ହେମନ୍ତ ସୋରେନଙ୍କ ବାପା ଶିବୁ ସୋରେନଙ୍କ ଘନିଷ୍ଠ ଓ ଲଗାତାର ପାଞ୍ଚ ଥରର ବିଧାୟକ । ଜେଏମଏମ ବିଧାୟକ ଦଳ ବୈଠକରେ ଚମ୍ପଇଙ୍କ ନାଁରେ ମୋହର ପରେ ୪୭ ବିଧାୟକଙ୍କ ସମର୍ଥନ ପତ୍ର ନେଇ ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପଇ ସୋରେନ୍ ଓ ଜେଏମଏମ ନେତା । ରାଜ୍ୟପାଳଙ୍କ ସାମ୍ନାରେ ସମର୍ଥକ ବିଧାୟକଙ୍କୁ ପରେଡ୍ ପାଇଁ ମଧ୍ୟ କରାଯାଇଥିଲା ପ୍ରସ୍ତୁତି । କିନ୍ତୁ ୫ ଜଣରୁ ଅଧିକ ଲୋକଙ୍କୁ ଭେଟିବାକୁ ଅନୁମତି ଦେଲେନାହିଁ ରାଜ୍ୟପାଳ । ୟା ଭିତରେ ରାଜଭବନ ଆଗରେ ବସିରହିଲେ ଜେଏମଏମ ବିଧାୟକ । ଅନ୍ୟପଟେ ରାତି ପ୍ରାୟ ସାଢ଼େ ୯ଟାରେ ହେମନ୍ତ ସୋରେନଙ୍କୁ ଗିରଫ କରିବା ପରେ ତାଙ୍କୁ ରାଜଭବନ ପଛ ପାଖ ଗେଟ୍ ଦେଇ ବାହାରିଗଲା ଇଡି ଟିମ୍ । ବୁଧବାର ରାତିରେ ରାଞ୍ଚି ସ୍ଥିତ ଇଡି ଅଫିସରେ ହେମନ୍ତ ସୋରେନଙ୍କୁ ରଖାଯାଇଥିବାବେଳେ । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି ୧୪୪ ଧାରା ।

Sponsored
ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ | Argus News