Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନୂଆ ସୋପାନରେ ଭାରତ-ୟୁଏଇ ସମ୍ପର୍କ

Manini Pattanayak
Browse all articles by Manini Pattanayak
·2 years ago·2 min read
ନୂଆ ସୋପାନରେ ଭାରତ-ୟୁଏଇ ସମ୍ପର୍କ

ନୂଆଦିଲ୍ଲୀ:  ଆହୁରି ସୁଦୃଢ ହେଲା ଭାରତ-ୟୁଏଇ ଦ୍ବିପାକ୍ଷିକ ସମ୍ପର୍କ । ଆବୁଧାବିରେ IIT ଦିଲ୍ଲୀର କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା ରେକର୍ଡ ସମୟରେ କାର୍ଯ୍ୟରେ ପରିଣତ ହୋଇଛି ।  ମାତ୍ର ଗୋଟିଏ ଦଶକ ପୂର୍ବରୁ ଯାହା ଅସମ୍ଭବ ମନେହେଉଥିଲା, ଏବେ ତାହାକୁ ବାସ୍ତବତାରେ ପରିଣତ କରି ବିଶ୍ବକୁ ଚମକାଇଛି ଭାରତ । ଆବୁଧାବିରେ ସ୍ଥାପନ ହେବାକୁ ଯାଉଛି ଆଇଆଇଟି ଦିଲ୍ଲୀ କ୍ୟାମ୍ପସ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସଦ୍ୟତମ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ, ଭାରତ-ୟୁଏଇ ଦ୍ବିପାକ୍ଷିକ ସମ୍ପର୍କକୁ  ନୂଆ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଆବୁ ଧାବିର ଶିକ୍ଷା ଓ ଜ୍ଞାନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଓ ସମ୍ପର୍କର ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଉଭୟ ଦେଶର ବିକାଶ ନୀତି ଓ ପାରସ୍ପରିକ ସହଯୋଗ ବୈଶ୍ବିକ ଶିକ୍ଷାର ଅନନ୍ୟ ଉଦାହରଣ ହେବାକୁ ଯାଉଥିବା ଖବରକାଗଜ ସମ୍ପାଦକୀୟରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେବ୍ ଅଲ ନାହ୍ୟାନ୍ ଆବୁ ଧାବିଠାରେ ଆଇଆଇଟି ଦିଲ୍ଲୀର ଏକ କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା କରିଛନ୍ତି । ଏହି ନିଷ୍ପତ୍ତିକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟରେ ପରିଣତ କରାଯାଇଛି । 2022 ମସିହା ପ୍ରାରମ୍ଭରେ ଏଥିପାଇଁ ଦୁଇ ଦେଶର ନେତୃବର୍ଗଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହେବା ପରଠୁ 2023 ମସିହା ଜୁଲାଇ 15 ତାରିଖ ଦିନ ଏଥି ନିମନ୍ତେ ଆଉ ଏକ ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯାଇଥିଲା । ଏବେ 2024 ମସିହା ଜାନୁଆରୀ 29ରେ ସେଠାରେ କମ୍ପସ୍ ସ୍ଥାପନ ସହ ପ୍ରଥମ ଦଫା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆରମ୍ଭ ହେବା ଏହି ସମୟବଦ୍ଧତାକୁ ପ୍ରମାଣିତ କରିଛି । ତେଣୁ ଆଇଆଇଟି ଦିଲ୍ଲୀ-ଆବୁଧାବି ସ୍ବଳ୍ପ ସମୟ ମଧ୍ୟରେ ଏକ ଦୀର୍ଘ ପଥ ଅତିକ୍ରମ କରି ଭାରତ-ୟୁଏଇ ଦ୍ବିପାକ୍ଷିକ ସମ୍ପର୍କରେ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିପାରିଛି ବୋଲି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ଦେଶର ସଂସ୍କୃତି, ଚିନ୍ତାଧାରା ଓ ଆଭିମୁଖ୍ୟର ଅନୁକୂଳ ସମ୍ମିଶ୍ରଣରେ ଏହି ନୂତନ କ୍ୟାମ୍ପସ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ସାଂସ୍କୃତିକ ବନ୍ଧନକୁ ଆହୁରି ଦୃଢ କରିବ ବୋଲି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚଳିତ ସପ୍ତାହରେ ସୁଦୂର ମଧ୍ୟପ୍ରାଚ୍ୟରେ 27ଏକର ଜମିରେ ନିର୍ମାଣ ହୋଇଥିବା ବାପ୍ସ ହିନ୍ଦୁ ମନ୍ଦିରର ଉଦଘାଟନ କରି ବିଶ୍ବକୁ ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଦେଶ ମାଟିରେ ଭାରତୀୟ ସଂସ୍କୃତି, ପରାମ୍ପରା ଓ ଐତିହ୍ୟର ଝଲକ ଦେଖିବାକୁ ମିଳିଥିବା ଏହି ମନ୍ଦିର ୟୁଏଇ ଏବଂ ଭାରତ ସମ୍ପର୍କର ପ୍ରତୀକ ସାଜିଛି । ସେହିପରି ଆବୁଧାବିରେ IIT ଦିଲ୍ଲୀର କ୍ୟାମ୍ପସ୍ ସ୍ଥାପନା ନିଷ୍ପତ୍ତିକୁ ବିଶ୍ବ ସମୃଦ୍ଧି ନିମନ୍ତେ ସହଭାଗୀ ପରିକଳ୍ପନା ଓ ଜ୍ଞାନ ସଂଯୋଗର ଏକ ଉପକ୍ରମ ବୋଲି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଗତବର୍ଷ ନଭେମ୍ବରରେ 3 ଦିନିଆ ୟୁଏଇ ଗସ୍ତ ସମୟରେ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ସହ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ। ୟୁଏଇ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଭାରତ ଓ ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କରେ ଶିକ୍ଷାକୁ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ଆଲୋଚନା ହୋଇଥିଲା । ଯେଉଁ ଆଶା ଏବେ ସାକାର ହେବାକୁ ଯାଉଛି ।
 

ଅଧିକ ପଢନ୍ତୁ ଭାରତ ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IIT Delhi Campus Installation Design in Abu Dhabi | Argus News